Unknown

 

 

 

 

 

 

 

 

 

 

 

ଧୂସର

ଶ୍ରୀ ଜଗନ୍ନାଥ ଦେବବର୍ମା

 

–ବୁଢ଼ୀ–

 

ତୁ ଯେତେବେଳେ ବର୍ଷେ ଦଶ ମାସର ଛୁଆ,

ଜରରେ ପଡ଼ି ଆଖିପତା ଫିଟୁ ନଥିଲା,

ଠିକ୍ ସେତିକିବେଳେ ତୋ ମାଁ,

ଆଖି ବୁଜି ଦେଇଚି ।

ଆଜି ତତେ ଏଗାର ବରଷ । ମୁଁ ଶଯ୍ୟାଶାୟୀ ।

ଆଜି ମୋର ଜୀବନ ଧୂସର ମୟ;

ତୁ ଜାଣୁ—

ତୋର ସେଇ ଚାରି ବରଷିଆ ଛୋଟ ହାତ

ପାପୁଲି ଉପରେ ଆଜି ମୋର

ଏଇ ‘ଧୂସର’ ପୋଥିକୁ ଥୋଉଚି—

ଝିଅ ନେବୁ—

 

ରବିବାର

ତୋ

୧୪-୭-୫୭

ବାପ

Image

 

 

Image

ନାଦଶ୍ରୀ

 

କାକଳୀ

 

ଜୀବନର ଯେଉଁ କେତୋଟି ମୁହୂର୍ତ୍ତଟିମାନ ଅତର୍କିତରେ ସ୍ପର୍ଶ କରି ଲୁକ୍‍କାୟିତ ଭାବରେ ଅତୀତ ଗର୍ଭରେ ଅବସର ନେବା ପାଇଁ ଇଙ୍ଗିତ ଦେଇଗଲେ ସେ ଗୁଡ଼ିକର ପଛରେ ଧାଇଁ ଯେଉଁ ଦଳା ପାଖୁଡ଼ା ଗୋଟାଇଚି ସେଥିକୁହିଁ ଏଇ ଗଳ୍ପ ଦେହରେ ଅଙ୍କନ କରିଚି । ସେଗୁଡ଼ିକ ଥରେ କରୁଣ ଚକ୍ଷୁରେ ଚାହିଁଲେ ସେମାନଙ୍କ ନିକଟରେ ଲେଖକର ଆନ୍ତରିକ ସ୍ନେହ ରହିଲା ।

 

ଗତିଶୀଳ ସ୍ରୋତ ମଧ୍ୟରେ କେଉଁ ପାଖୁଡ଼ାଟି ଅକାଳରେ ଝଡ଼ିଯାଇଚି—ସୁରଭି ଦେଇ । କେଉଁଟି ବନ୍ୟାର ମୁଖରେ ଦଳି ହୋଇଯାଇଚି—କେଉଁଟି ବା, ଫୁଟି ଆସୁଥିବା, ଗ୍ରୀଷ୍ମର ଝଞ୍ଜାରେ ମଉଳି ଯାଇଚି । ସବୁଗୁଡ଼ିକ ସେଇ ପ୍ରଭାତ ଲଗ୍ନରେ ଆସି ଧୂସର ମୁହୂର୍ତ୍ତରେ ହିଁ ଫେରି ଯାଇଚନ୍ତି । ଏହାତ ବ୍ୟକ୍ତିଗତ ଜୀବନର ପ୍ରତିଚ୍ଛବି ନୁହେଁ—ଏହା ସକଳ ଜୀବନର ଅନୁରୂପ । ଅନୁଭୂତିର ପାଥେୟ ହେଲେ ଚିର ଆପ୍ୟାୟିତ ହେବି ।

 

ସାହିତ୍ୟ ଲେଖାରେ ତ ଜୀବନ କେବଳ ନିୟୋଜିତ ହୋଇ ପାରିନାହିଁ । ସଙ୍ଗୀତର ତନ୍ତ୍ରୀ ସ୍ଫୁରଣ ମଧ୍ୟରେ ସ୍ରୋତ ବହି ଆସିଚି । ଦୁଇ ସପତ୍ନୀଙ୍କ ମଧ୍ୟରେ ଅତୃପ୍ତି ପାଇବା ଏକ ଗତାନୁଗତିକ । ହୁଏତ ପରସ୍ପରଙ୍କ ନିକଟରେ ଅନ୍ୟାୟ ଥାଇପାରେ । ଏବଂ ସେମାନଙ୍କ ନିକଟରୁ ଅଭିମାନ ପାଇବା ମଧ୍ୟ କୌଣସି ଅସଙ୍ଗତ ହୋଇନାହିଁ—ଗଳ୍ପଗୁଡ଼ିକ ପାଠକ ଚିତ୍ତରେ ସେଇ ଦୃକ୍‍ପାତ କଲେ ବିଶେଷ ଉପକୃତ ହେବି ।

 

ବର୍ତ୍ତମାନ ମୁଁ ଶଯ୍ୟାଶାୟୀ । ଯଦିଚ ଏ ସବୁଥିରେ ସ୍ପୃହା ଆପେ ଆପେ କମି ଆସିଚି ସେଇ କ୍ଷୀଣ ଦୀପଶିଖାଟିକୁ ଜଳାଇ ଦେବା ପାଇଁ ଶ୍ରୀମତି କବିତା କୁମାରୀ ଦେବୀ ଯେଉଁ ପ୍ରାଣ ଚେଷ୍ଟା କରି ଆସୁଛନ୍ତି, ସେଥିପାଇଁ ମୁଁ ତାଙ୍କୁ ଆନ୍ତରିକ ସ୍ଵାଗତ ଜଣାଉଚି । ‘ଧୂସର’ ତାଙ୍କର ଅନୁପ୍ରେରଣାରେ ହିଁ ଆଜି ମୁଦ୍ରଣ ସମ୍ଭବ ହୋଇପାରିଚି । ସେ ମୋର ସ୍ତ୍ରୀ । କୃତଜ୍ଞତା ଜଣାଉଚି ।

 

ଶେଷରେ ଯଶସ୍ଵୀ କଳାକାର ଶ୍ରୀଯୁକ୍ତ ଗୋପାଳ କାନୁନ୍‍ଗୋ ‘ଧୂସର’ର ପ୍ରଚ୍ଛଦପଟ୍ଟକୁ ରୂପାଙ୍କନ କରିଥିବା ଯୋଗୁଁ ଶ୍ରୀଯୁକ୍ତଙ୍କ ନିକଟରେ ହାର୍ଦ୍ଦିକ ଧନ୍ୟବାଦ ଅର୍ପଣ କରୁଚି ।

 

ଶନିବାର-୮

 

୧୭-୮-୫୭

ଲେଖକ

Image

 

Image

ଲେଖକ

 

ସୂଚୀପତ୍ର

 

୧.

ଧୂସର

୨.

ନୀଳଚନ୍ଦ୍ର

୩.

ଗତାନୁଗତିକ

୪.

ଦଧିମଂଥନ

୫.

ଝଡ଼ର ପକ୍ଷୀ

୬.

ନଷ୍ଟନୀଡ଼

୭.

ବଳାକା ଓ ଅଳକା

୮.

ମୁମୂର୍ଷୁ

୯.

ଭଗ୍ନ କଙ୍କଣ

Image

 

ଧୂସର

 

ଫଗୁଣ ପ୍ରଦୋଷ ।

 

ପ୍ରଶାନ୍ତ ଜଳଧିର ଦିଗ୍‍ବଳୟ ତଳେ ତପନ ନଇଁ ଆସୁଥିଲେ । ଢେଉ ଉପରେ ଢାଉ ରଙ୍ଗର ପ୍ରଲେପନ । ନୀଳ ସୁନ୍ଦର ଆକାଶ ତଳେ ଚପଳ ମଳୟ ଯେପରି ଧୀରେ ପରଶି ଯାଉଥିଲା ସେଥିରେ ଦୁଇଟି ଆଶାନ୍ୱିତ ପ୍ରାଣୀର ଆନ୍ଦୋଳିତ କୋମଳ ହୃଦୟ ଅଭଙ୍ଗ ନିର୍ଯ୍ୟାତନାରେ ଭାସିଯାଉଥିଲା । ଆଖି ଆଗରେ ଖଦ୍ୟୋତର କ୍ରମ ବିମଳିନ ଦ୍ୟୁତି ପରି ସଂଧ୍ୟା ନଭ-ଜଳ ସନ୍ଧି ଭିତରେ ଅପସରି ଯାଉଥିଲା ।

 

ବନ୍ଦନା ସେହି ଦୃଶ୍ୟକୁ ହିଁ ଅନାଇ ରହିଥିଲେ । ଦୃଷ୍ଟିରେ ବିଦାୟ କାଳୀନ ସନ୍ଧ୍ୟା ପ୍ରତି କରୁଣ ସହାନୁଭୂତି ଓ ଅନାଗତ ନିଶୀଥ ପ୍ରତି ପ୍ରଣାମ । କ୍ଷଣ ସନ୍ଧି ! ଯେପରି ପୁରୁଣା ପାଉଛ ଉପରେ ଗୋଡ଼ଦମ୍ଭ ରଖି ଆଉ ଏକ ଶିଆଳି ଖସଡ଼ା ପାଉଛରେ ପାଦ ପକାଉ ପକାଉ ଖସିଯାଇ ମନୁଷ୍ୟ ଗଭୀର ପାଣି ଭିତରକୁ ଠେଲି ହୋଇଯାଏ—କୂଳରୁ ଖସିପଡ଼େ, କିନ୍ତୁ ପହଁରିପାରେ ନାହିଁ–ସତେକି ସେତେବେଳକୁ ତାର ଦୁଇଟି ବାହୁ ଅଚଳ ହୋଇ ଯାଇଥାଏ ।

 

ବନ୍ଦନାର ହାତରେ ମୋର ହାତ ଛନ୍ଦି ହୋଇଯାଇଚି । ପଦ୍ମପତ୍ର ଓ ପଦ୍ମପାଖୁଡ଼ାର ସଂଯୋଗ । ଗୋଟିଏ କଠିନ, ଅପରଟି ମୃଦୁଳ ।

 

ଆଜି ବନ୍ଦନା ମୁକ୍ତି ଚାହେଁ, ଏକ ଆନନ୍ଦ ପରିଧି ଭିତରୁ ମୁକ୍ତି । ସମାଜର ଭ୍ରୂକୁଟିକୁ ଆଜି ସେ ଏଡ଼ାଇ ପାରିବ ନାହିଁ । ପରିସ୍ଥିତିର ସଂଘର୍ଷ ଭିତରେ ତାକୁ ଆଜି ସ୍ୱାର୍ଥ ତ୍ୟାଗ କରିବାକୁ ପଡ଼ିବ–ଯେହେତୁ ଜଣକ ସାଥିରେ ସାଙ୍ଗ ହୋଇ ସମାଜ ସହିତ ଯୁଝିବା ଶକ୍ତି ସେ ପାଇ ପାରିନାହିଁ-। ପ୍ରାଣରେ ଅଦମ୍ୟ ଭାବର ଦୀପନ ଅଛି, ସୁବାସ ଅଛି, ସ୍ପନ୍ଦନ ଅଛି । ତଥାପି ତାକୁ ସେ ଫୁଟାଇ ପାରିବ ନାହିଁ-। ଆଜିର ଏ କୀଟ ଦଂଶନରେ ସେ ମଉଳି ପଡ଼ିବ । ସେଥିପାଇଁ ସେ ଚାହେଁ ମୁକ୍ତି-। ସମାଜ ଯଦି ସ୍ନେହ ବୁଝିବାର ମାପକାଠି ହେଲା ତେବେ ସେଇ ବିଚାରକ ସମାଜ ହିଁ ନିରୂପଣ କରୁ ନାରୀହୃଦୟର ସ୍ଵରୂପକୁ ।

 

ବନ୍ଦନା ଅନାଇ ରହିଥିଲେ ଆକାଶର ଦୁଇଟି ମୁକ୍ତ ବିହଗ ଆଡ଼େ । ପାଣ୍ଡୁର ନଭ । ସେଥିରେ ପୁଣି ପୀତ ବର୍ଣ୍ଣର ଦୁଇଟି ଉଡ଼ନ୍ତା ପକ୍ଷୀ । ରକ୍ତଚଞ୍ଚୁ । ଦୁହେଁ ନୀଡ଼କୁ ଫେରୁଥିଲେ । ପବନ ସ୍ରୋତରେ କିମ୍ୱା ପ୍ରୀତିସ୍ରୋତରେ ଦୁହେଁ ଦୁହିଁଙ୍କ ଦେହକୁ ପରସ୍ପର ମୃଦୁ ସଂଘର୍ଷ କରି ବାଟକାଟି ଚାଲିଚନ୍ତି । ପକ୍ଷୀ ଦୁଇଟି ଶୁଆ । କି ସୁନ୍ଦର ସତେ ସେମାନଙ୍କ ଯାତ୍ରା ପଥ !

 

ବନ୍ଦନା ଏକ ସ୍ଵପ୍ନାବେଶରୁ ଚମକିଉଠିଲା ପରି କହିଲେ, ‘ନା, ଆପଣ ବାହା ହୁଅନ୍ତୁ । ସଂସାରକୁ ସୁଖରୁ ବଞ୍ଚିତ କରନ୍ତୁନା । ଜଗତ ଆପଣଙ୍କଠୁ କିଛି ପାଇବାକୁ ଚାହେଁ । ସେଥିରେ ଆପଣଙ୍କର କଲ୍ୟାଣ ହେବ—ମୋର ବି । ଆମର ହୃଦୟରେ ଯଦି ଶ୍ଵାଶ୍ଵତ ସ୍ନେହର ସ୍ଫୁଲିଙ୍ଗ ବଞ୍ଚି ରହିବା ପାଇଁ ଇଚ୍ଛା କରନ୍ତି, ତେବେ ଆପଣ ବାହା ହୁଅନ୍ତୁ ।

 

‘ବିବାହର ପରିଣାମ କେଉଁଠି, ବୁଝି ପାରିଚ ବନ୍ଦନା ? ସେଥିରେ ସ୍ନେହର ଆଦର୍ଶ କିପରି ବା ବଞ୍ଚି ରହିବ ?’

 

‘ରହିବ । ଜୀବନର ପ୍ରତିଛନ୍ଦରେ, ପ୍ରତି ପଲକରେ ସେ ଉକୁଟି ଉଠିବ । ତାର ସମାପ୍ତି ନାହିଁ । ଏ ଅସମାପ୍ତି ଭିତରେ ହିଁ ଆପଣ ସ୍ନେହକୁ ଖୋଜି ପାଇବେ । ଆଜି ଆମେ ପରସ୍ପର ଅନ୍ୟୋନ୍ୟ । ବିନିମୟର ପସରାକୁ ଆମେ ମେଲିଚୁ କିନ୍ତୁ ଦେଖିବେ ଆମ ଭିତରେ ଆଉ ସେ ବ୍ୟବଧାନ ରହିବନି । ସେ ହଜିଯିବ । ତା’ ପରିବର୍ତ୍ତେ ପ୍ରତିଷ୍ଠା ପାଇବ ଐକ୍ୟ । ଯେପରି ଆପଣ ମତେ ବାହ୍ୟ ଜଗତରୁ ହଜାଇଦେଇ ଅନ୍ତକରଣରେ ବାନ୍ଧି ରଖିଛନ୍ତି ।

 

‘କିନ୍ତୁ ବନ୍ଦନା, ତୁମର ସ୍ମୃତିକୁ ବଞ୍ଚାଇ ରଖିବାପାଇଁ ମୋର ସମ୍ବଳ ବା କାହିଁ ? ତୁମର ମୁଁ ଯୋଗ୍ୟ ନୁହେ । ଏକ କ୍ଷୁଦ୍ର ହୃଦୟରେ ତୁମର ପୂଜା—’

 

‘ନିଜକୁ ଏଡ଼େ ଛୋଟ ମନେ କରିବା ଅର୍ଥ ଆପଣ ମତେ ଭୁଲି ଯିବାକୁ ଚେଷ୍ଟା କରୁଚନ୍ତି-। ଜଗତର କ୍ଷୁଦ୍ର ମନୋବୃତ୍ତି ଆଗରେ ଆପଣ ମାମୁଲି ମଣିଷ ହୋଇପାରନ୍ତି, କିନ୍ତୁ ମୋ ପାଖରେ ନୁହେ । ଆପଣ ମୋର କବି, ରାଜା, ନମସ୍ୟ । ବନ୍ଦନା ଆପଣଙ୍କର ଦାସୀ । ଆଜି ସେତ ଅଉ ଜାତିର ଦୂରଭିମାନରେ ଆପଣଙ୍କୁ ଭଲ ପାଇନି, ପାଖେଇ ଆସିବ ଭିତରେ ଅନ୍ତରର ଆହ୍ଵାନ ଅଛି-।’

 

ପକ୍ଷୀ ଦୁଇଟି ନୀଡ଼କୁ ଦେଖିପାରି ଥିବେଣି । ଏଇ-ସେଇ ଶ୍ୟାମ ଶାଖା କ୍ରୋଡ଼—ଦୁହେଁ ଆଶ୍ରା ନେବେ ।

 

ବନ୍ଦନା ମଥାପୋତି ମୋର ଛାତି ଉପରେ ରେଖା ଟାଣିବାରେ ଲାଗିଚି । ଆଶ୍ୱାସନାର ଗୋଟି ଗୋଟି ରେଖା ହୃଦୟ ତଳେ ଯେପରି ରଚି ଯାଉଚି ଏକ ଦ୍ରବିଳ ଅଗ୍ନିସ୍ରୋତ । ଏଡ଼େ ତୀବ୍ର ସେ, ଅଥଚ ଏଡ଼େ ଶୀତଳ !

 

‘ବନ୍ଦନା, ମୃତ୍ୟୁମୁଖରୁ ବଞ୍ଚାଇ ତୁମେ ବଡ଼ ଭୁଲ୍‍ କରିଚ । ଜୀବନର ବିନିମୟରେ ହୁଏ ତ ଏ ପ୍ରତିଶୋଧ ନେବା ପାଇଁ ବଞ୍ଚାଇବାକୁ ପଡ଼ିଲା ।’ ଚକ୍ଷୁ ଅଶ୍ରୁ, ଛଳ ଛଳ ।

ବାଲି ଶେଯରେ ଭଙ୍ଗା ଢେଉର ବିକ୍ଷିପ୍ତ ଫେନ ଉପରେ ଲୟ ରଖିଥିଲେ ବନ୍ଦନା । ଦୁଇଟି ସଜଳ ଚକ୍ଷୁ ଧୀରେ ପହଁରି ଆସିଲା କେଉଁଏକ କରୁଣ ମୁରଲୀର ଅକୁହା ବ୍ୟଥା ଧରି ।

ହାତଟି ମୋର କାନ୍ଧ ଉପରେ ଦୋଳାଇ ଆସିଲା ।

‘ବଞ୍ଚାଇବା ଭିତରେ ବନ୍ଦନାର କୌଣସି କୃତିତ୍ଵ ନାହିଁ ଦେବ ! ରକ୍ତ ବିନ୍ଦୁଟିଏ ଛାତି ଭିତରୁ ଦେବାପାଇଁ ଯେଉଁ ବ୍ୟକ୍ତି ତା’ ପ୍ରାଣରେ ଉତ୍ସାହ ଖେଳାଇ ଦେଇଚି, ତାଙ୍କର ପ୍ରତିଷ୍ଠାରେ ହିଁ ବନ୍ଦନା ଆଜି ଉନ୍ନତ ! ତଥାପି ସେ ଭୁଲ୍‍ କରିଚି । ଆଜି ଭାବୁଚି ଏ ଅଧିକାର ଦେଲା କିଏ ? ମୋଠାରେ ସେ ଅଧିକାର ଆସିଲା କେଉଁଠୁ ?’

ନାରୀର ଏ ଅନୁନୟାତ୍ମକ ଅଭିଯୋଗରେ କରୁଣତା ଯେତିକି ଥାଉ ପଛକେ, କ୍ଷଣକ ପାଇଁ ସେ ମୋର ଅନ୍ତରକୁ ପ୍ରୀତିମଳୟରେ ସରସ କରିଥିଲା ।

ପାଟଳ ଢଳ ଢଳ ସୂର୍ଯ୍ୟକୁ ରତ୍ନାକର ଗ୍ରାସ କରିବାକୁ ଉଦ୍ୟତ । ମଣ୍ଡଳର ଅର୍ଦ୍ଧଭାଗ ତଳକୁ ଖସି ଖସି ଆସୁଚି । ମଥା ପିଟିପିଟି ଲହଡ଼ିର କପାଳ ହଳଦିଆ ପାଲଟିଚି ।

ବନ୍ଦନା ମୋଆଡ଼େ ଅନାଇ ରହିଥିଲେ । କ୍ଷୁଧିତ ସମୁଦ୍ର ଭିତରେ ରକ୍ତରାଗ ଯେପରି ବୋଳି ହୋଇ ଆସୁଥିଲା ସେପରି ବନ୍ଦନାର ଅପଲକ ଚାହାଣୀରେ ତାଙ୍କର ସ୍ନେହ-ସୁଧା ସଞ୍ଚରି ଯାଉଥିଲା ।

 

‘ହଁ ବନ୍ଦନା, ବଞ୍ଚାଇ ଦେବା ଭିତରେ ଆମ ପୂର୍ବ ଜନ୍ମର ସଂଧାନ ଅଛି—କିନ୍ତୁ ସେ ଅଖଣ୍ଡ ନୁହେ । ପ୍ରାଣ ଭିତରେ ଭାବ ଅଛି—କିନ୍ତୁ ସେ ଗୀତିମୟ ନୁହେ ।’

 

ସମୀରଣର ମନ୍ଦ ସଞ୍ଚରଣରେ ମଧ୍ୟ ବନ୍ଦନାର ମୁଖ ମଣ୍ଡଳରେ ସ୍ଵେଦବିନ୍ଦୁ ରଚିଥିଲା ବେଦନାର କ୍ଲାନ୍ତ ମୂର୍ଚ୍ଛନା । ଘର୍ମବାରିରେ ସିନ୍ଦୂର ଟୋପାର ଅର୍ଦ୍ଧାଂଶ ଝରିଆସିଥିଲା ଭ୍ରୂଯୁଗଳ ମଧ୍ୟ ପଥରେ ।

 

‘ଦେଖୁଚ ବନ୍ଦନା ସଂଧ୍ୟା ପରେ ଯାମିନୀର ଏ ଆଗମନ । ଏଣେ ଚକ୍ରବାକ୍‍ର ବିଚ୍ଛେଦ, ତେଣେ ଚକୋରର ମିଳନ । ଏଣେ ନଳିନୀର ନିକାଶ, ତେଣେ କୁମୁଦିନୀର ବିକାଶ । ଜଣକର ଦୁଃଖରେ ଅପରର ସୁଖ । ଜଣକର ତ୍ୟାଗରେ ଅପରର ଭୋଗ । ଗୋଟିଏ ପଦାର୍ଥ ଧୀରେ ଧୀରେ ଘୁଞ୍ଚିଗଲେ ଅପରଟି ତା ସ୍ଥାନ ମାଡ଼ିବସେ । ବିଯୋଗ ଓ ସଂଯୋଗର ଅପୂର୍ବ ସମାବେଶ, ଏ ତ ସଂସାର ।’

 

ବନ୍ଦନାର ଏକ ଦୀର୍ଘନିଶ୍ୱାସ ମୋର ଗଣ୍ଡ ଦେଶକୁ ସ୍ପର୍ଶ ଜରିଗଲା । କପାଳ ଉପରେ ପଣତ କାନିକୁ ସେ ଘୋଡ଼ାଇ ଆଣିଲେ ।

 

‘ହଁ ଜାଣେ, ତଥାପି—’ ହଠାତ୍ ଉଚ୍ଛ୍ୱାସରେ ସେ ମୁଣ୍ଡ ପୋତିଲେ ।

 

‘ଏଥିପାଇଁ ତୁମେ ହତାଶ ହୁଅନାହିଁ, ବନ୍ଦନା । ଏ ତ ସୃଷ୍ଟିର ଆଦେଶ । ଆମେ ମାନିବାକୁ ପଡ଼ିବ । ଯେ ଯାହାକୁ ଭଲପାଏ ସେ ତାକୁ ପାଇ ପାରେ ନାହିଁ । ଶେଫ ତାଙ୍କର ପ୍ରଣୟୀ ଦରିଦ୍ର ନାଉରୀ ଫଏନ୍‍କୁ ସ୍ନେହ କରି ବି ପାଇପାରି ନଥିଲେ । ସେ ସଂଭ୍ରାନ୍ତ । ଅଭାବ କିଛି ନଥିଲା-। କିନ୍ତୁ ଜୀବନକୁ ସଲିଳ ସମାଧି କରିବାକୁ ପଡ଼ିଥିଲା । ପୁଣି କିଟ୍‍ସ୍‍ଙ୍କୁ କ୍ଷୟରୋଗ ଗ୍ରାସି ଥିଲା-। ପୁଣି ଏ ନିୟମବଦ୍ଧ ସମାଜ ଭିତରେ ଆମେ ଯେତେବେଳେ ଜନ୍ମ ଲଭି ବଢ଼ିଚେ, ସେ ସମାଜ ବିରୋଧରେ ଯିବା ପାଇଁ ଆମକୁ ଅନୁମତି ମିଳିବ ନାହିଁ । ମୁଁ ଜାଣେ ସମାଜ ଆଉ ତୁମ ହୃଦୟକୁ ।’

 

‘ଜୀବନରେ ଯଦି ପବିତ୍ରତା ଆଲୋକ ଆହରଣ ପାଇଁ କ୍ଷୁଦ୍ର-ମନୋବୃତ୍ତି ସମାଜ ପ୍ରତିରୋଧ କଲା, ସେଥିର ପ୍ରାୟଶ୍ଚିତ୍ତ କଣ ? ବ୍ୟକ୍ତିତ୍ଵ ଆଗରେ ସମାଜର ଅନ୍ଧଶାସନ ଅତ୍ୟାଚାର ନୁହେତ ଆଉ କଣ ? ସମାଜ ଓ ବ୍ୟକ୍ତିତ୍ଵର ସ୍ଥାନ ନିର୍ଣ୍ଣୟ କିଏ କରିବ ? ଜାତି ଜାତି ଭିତରେ, ଗୋଷ୍ଠୀ ଗୋଷ୍ଠୀ ଭିତରେ ପାର୍ଥକ୍ୟ ଆସିଲା କେଉଁଠୁ ? ମନର ମିଳନରେ ସମାଜର ଏ ଦୁର୍ଗମ ପ୍ରତିବନ୍ଧକ କାହିଁକି ?’

 

ସତକଥା । ତଥାପି ସମାଜ ଏ ଦୁହିଁଙ୍କ ମିଳନରେ ପରାନ୍ମୁଖ, ବିଦ୍ରୋହୀ । ହୃଦୟ ଭିତରେ ଯେତେବା ସ୍ନେହର ଆଦାନ ପ୍ରଦାନ ଥାଉ ପଛକେ ଚରିତ୍ରକୁ ସ୍ଥାନ ଦିଆଯାଇ ପାରିବ ନାହିଁ-

 

ଆମେ ଦୁହେଁ ସେଇଠି ବସି ରହିଲୁ ବହୁକାଳ ଯାଏ । ସଂଧ୍ୟା ହଜିଯାଇଥିଲା । ଆକାଶର ପ୍ରସାରିତ ନୀଳ ବକ୍ଷରେ ଚନ୍ଦ୍ର ଉଦୟ ହୋଇଥିଲେ । ମେଘ ଓ ଚନ୍ଦ୍ରର ଲୁଚକାଳି ଖେଳ କି କୌତୁକ ।

 

ବନ୍ଦନା ଆଉ ମୁଁ ନୀରବ ଥିଲୁ । ପରସ୍ପର ଅବଲୋକନ ଗଭୀର ଭାବ ପ୍ରକାଶ ଥିଲା ଆମର ଭାଷା ।

 

ଦୁହେଁ ଉଠିଲୁ । ଇଚ୍ଛାବିରୁଦ୍ଧରେ ଉଠିବାକୁ ପଡ଼ିଲା । ଗତିରେ ସାମ୍ୟ ନଥିଲା । ଚାଲିବାକୁ ହେବ—ତେଣୁ ଚାଲିଛୁ ।

 

ହଠାତ୍ ବନ୍ଦନା ଚମକି ମତେ ଜାବୁଡ଼ି ଧରିଲେ । କୂଳରେ ଗୋଟାଏ କଦାକାର ଶବ । ବୃଦ୍ଧ, ଗଳିତ ଚର୍ମ, ପଳିତ କେଶ । ଦାନ୍ତଗୁଡ଼ିକ ଚନ୍ଦ୍ର କିରଣରେ ଝଲସି ଉଠୁଚି । କୋଟରଗତ ଚକ୍ଷୁ-। ପଞ୍ଜରା ହାଡ଼ ଫୁଟି ଦିଶୁଚି ।

 

କହିଲି, ‘ବନ୍ଦନା, ଡରୁଚ ? ଏତ ଆମର ଭବିଷ୍ୟତ । ଦିନେ ଆମେ ଏଇ ରୂପକୁ ବରି ନେବାକୁ ପଡ଼ିବ । ଆଜିର ଏ ଗୋରାତୋରା ଦେହ, ହସହସ ମନ ସବୁ ହଜିଯିବ—ଏକ ଅତୀତ ଗର୍ଭରେ । ଆସିବ ଜରା । ସେ ଆମକୁ ତିଳ ତିଳ କରି କାଟି ନେବ । ଆମର ଏ ବିଚ୍ଛେଦ ଯାତ୍ରା ପଥରେ ଏତ ଅମୂଲ୍ୟ ଦ୍ୟୋତକ । ଆସ, ବିଗତ ଆତ୍ମାର ତର୍ପଣ ବଢ଼ାଇ ତୁଣ୍ଡରେ ମୁନ୍ଦେ ପାଣି ଅଜାଡ଼ିବା ।

 

ବନ୍ଦନା ମୋ ହାତକୁ ଧରିଥିଲେ ଅତି ନିବିଡ଼ ଭାବରେ । ମୋର ଉଦ୍ୟମରେ ତାଙ୍କର ହାତ ଶିଥିଳ ହୋଇଗଲା । କହିଲି, ‘ଆସ ବନ୍ଦନା, ତୁମେତ ମୋ ହାତକୁ ଛାଡ଼ି ପାରିବନି । କିନ୍ତୁ ମୁଁ ତର୍ପଣ କରିବାକୁ ପଡ଼ିବ !’

 

ବନ୍ଦନା ମୋ ପଛେ ପଛେ ଚାଲିଲେ । ଯେଉଁ ସମୁଦ୍ର ଗର୍ଭରେ ତ୍ରିବେଣୀର ନିତ୍ୟ-ମହୋଦୟ, ସେଥିରୁ ଜଳାଞ୍ଜଳି ଆଣି ଆମେ ମୃତ ଅଧରରେ ଅର୍ପଣ କଲୁ ।

 

ମହା ବିଜନତା ଚତୁର୍ଦ୍ଦିଗକୁ ଘେରାଇ ରଖିଥିଲା । କେବଳେ ସିନ୍ଧୁ ଗର୍ଜନ କାନରେ ବାଜୁଥିଲା ।

 

ବନ୍ଦନା ମୋ ଆଡ଼େ ଅନାଇଲେ । ତାଙ୍କରି ଦୁଇଟି ଛନ୍ଦିତ ବାହୁତଳେ ମୋର ହୃଦୟ ସ୍ପନ୍ଦିତ ହେଉଥିଲା । ଦୁଇଟି ହୃଦୟର ଅଚ୍ଛେଦ୍ୟ, ଅଭଙ୍ଗ, ଚିରନ୍ତନ ମିଳନ । ତାର ଅବସାନ ନାହିଁ ।

 

ଦୁହେଁ ନିଜ ନିଜର ମାର୍ଗ ଅନୁସରଣ କଲୁ ।

 

କାଳ ବିତିଗଲା । କାହାକୁ ତ ସେ ଅପେକ୍ଷା କରେ ନାହିଁ । ସେ ବସୁଧା ଆଜି ପୁରୁଣା ହୋଇଗଲାଣି । ସବୁ ଯେପରି ଅତି ପରିଚିତ । ତଥାପି ସମାଚାର ବୁଝିବାକୁ କାହାର ଅବସର ନାହିଁ-। ଜୀବନର ମଧୁରତମ ଦିନମାନ କୁଆଡ଼େ ଉଭେଇ ଗଲାଣି ।

 

ମନେ ପଡ଼ିଗଲା—ସେଦିନ ଆଉ ଏ ଦକ୍ଷିଣ ରାଇଜରେ ଜଣେ ବୁଢ଼ୀ ମହାକବି କାଳିଦାସଙ୍କୁ ପରାସ୍ତ କରି ଥିଲେ । କି ମଧୁର ସେ ପରାଜୟ ! କି ସଚିତ୍ର ସେ ଘଟଣା ! ବୁଢ଼ୀ ଯୌବନକୁ ଖୋଜୁଚି । କବିର କାବ୍ୟଭଙ୍ଗି ମୋଡ଼ି ହୋଇଗଲା । ଭାବୁ ଭାବୁ ମନ ଭିତରେ ମୋର ସେଇ ତରୁଣ ଜୀବନର ଛୋଟ ଚଗଲା ପିଲା କ୍ୟୁପିଡ୍ ଡିଆଁ ମାରିଲା । ସତେ ସେ ମତେ ହସାଇ କେତେ ବ୍ୟତିବ୍ୟସ୍ତ କରିନଥିଲା । ଅସମ୍ଭାଳ ସେ ହସ । କିନ୍ତୁ ଆଜି ଅତୀତକୁ ଖୋଜି ବସିଲେ ସେ କି ଧରାଦେବା ଜିନିଷ ।

 

ଜୀବନ ପ୍ରବାହରେ ଇମିତି ହଠାତ୍ ଏକ ପୂର୍ବ ସ୍ମୃତିର ଆବେଶ ବାସ୍ତବିକ ଗମ୍ଭୀର ।

 

ଦୀର୍ଘ ତିନିବର୍ଷ ପରେ ମୁଁ ଫେରିବି ମୋର ସେଇ ଶତ ସ୍ମୃତିଭରା ଦେଶକୁ—ପୁରୀ ।

 

ନୀଳଚକ୍ରରେ ବାନା ଉଡ଼ୁଛି—ପତିତପାବନ ବାନା । ସେଇ ଧ୍ଵଜାର ଛାୟାତଳେ ଜାତି ଜାତି ଭିତରେ ଭେଦନାହିଁ—ସମସ୍ତେ ସମାନ । ଭାରତର ପୁଣ୍ୟଧାମ—ସାମ୍ୟବାଦର ପ୍ରତୀକ ।

 

ଠିକ୍ ପୂର୍ବ ଦ୍ଵାର ଦେଶର ଶୃଙ୍ଗାଟକ ଉପରେ ଠିଆ ହୋଇ ମୁଁ ପ୍ରଣାମ ଜଣାଇଲି—‘ହେ ସାମ୍ୟବାଦର ପ୍ରଭୁ ! କି ମହନୀୟ ତୁମର ସୃଷ୍ଟି ।’

 

ଜନସ୍ରୋତ ଚାଲିଚି—କର୍ମମୟ, —ଶୃଙ୍ଗାର, ବୀଭତ୍ସ, ଭୟାନକ, କରୁଣ ସମସ୍ତ ରସର ନାଟ୍ୟ ମଞ୍ଚ ।

 

ସଂଧ୍ୟା ଘନୀଭୂତ ହୋଇ ଆସୁଥିଲା—ଧୂସର ଓ କରୁଣ ।

 

ଭୁଷଣ୍ଡ କାକର ଉଦକକୁ ମଥାରେ ସିଞ୍ଚି ଛୁଆର ମଥାରେ ହାତକୁ ବୁଲାଇ ଆଣୁ ଆଣୁ ଦେଖିଲି ସେ ଚମକି ପଡ଼ିଲେ । ତଥାପି ସ୍ଵଚ୍ଛନ୍ଦ ଭାବରେ ଅନ୍ୟ ଏକ ଆଡ଼େ ଚାଲିଲେ । ଗତି ମନ୍ଥର ହୋଇଆସିଲା । କଟୀରେ ଛୁଆର ପରଶ ।

 

ତୀର୍ଥ ଜଳ ସେବାକରି ମୁଁ ସେଇ ପଥ ଧଇଲି । ଚାଲିବାରେ ସେ ଯେପରି ଦୁର୍ବଳ ମନେ କରୁଥିଲେ ।

 

କ୍ଲାନ୍ତି ନିବାରଣ ପାଇଁ ଅଧା ବାଟ ଯାଇ ଆଡ଼ବାଙ୍କରେ ସେ ଟିକିଏ ଠିଆହୋଇ ପଡ଼ିଲେ–ଯେପରି କାହାର ଆଗମନ ଅପେକ୍ଷାରେ ସେ ପଛକୁ ଅନାଇ ଅନାଉ ନାହାନ୍ତି ।

 

ମୁଁ ପାଖେଇ ଗଲି । ଚାରୋଟି ଆଖି ଏକାଠେ ଥକିଗଲା । ପୁଣି ସେ ପାଦ ଚଳାଇଲେ–ଅତି ଧୀରେ ଯେପରି ଛାତି ଭିତରେ କୌଣସି ଏକ ସଂଘର୍ଷ ଉପୁଜିଛି ।

 

କଳ୍ପଦ୍ରୁମ ତଳୁ ସେ ଆଉ ଘୁଞ୍ଚିପାରିଲେ ନାହିଁ । ହଠାତ୍ ଟିକିଏ ବୁଲିପଡ଼ି ମୋ ଆଡ଼େ ସତୃଷ୍ଣ ନୟନରେ ଅନାଇ ରହିଲେ । ମୋର ପାଦ ସେଇଠି ଅଟକି ଗଲା ।

 

‘ଦେବ ।’

 

‘ହଁ ବନ୍ଦନା ।’

 

ଦେଖିଲି ତାଙ୍କର ଅଧୋବଦନର ଦୁଇଟି ଅଶ୍ରୁବିନ୍ଦୁ ଝରି ପଡ଼ିବା ପାଇଁ ବ୍ୟାକୁଳ ହୋଇ ଉଠିଚି ।

 

ବିଶ୍ୱାସ କରି ହେଲାନି । ବନ୍ଦନା—ହଁ—ସେଇ ବନ୍ଦନା ! ହାତର କାଚ—ତୁଟି ଯାଇଛି–କପାଳରେ କୁଂକୁମ ତିଳକ ବିରାଜୁ ନାହିଁ ।

 

ବର୍ଷା ଟୋପା ପରି ମୋ ଆଖିରୁ ଦୁଇଟି ବିନ୍ଦୁ ଅଶ୍ରୁ ଝରି ପଡ଼ିଲା ।

 

‘ଭଲ ଅଛନ୍ତି ?’

 

‘ତମେ ଯିମିତି ।’

 

‘ହଁ ଆଜି କାଲି ଭଲ ଅଛି । ଇଶ୍ଵର ଯାହା କରନ୍ତି ମଙ୍ଗଳ ସକାଶେ ।’

 

‘ତୁମେ—’

 

‘ବିଧବା ବୋଲି କହୁଚନ୍ତି ? ସମାଜ ଆଗରେ ମୁଁ ବିଧବା ।’

 

ମୋର କଣ୍ଠ ବାଷ୍ପ ରୁଦ୍ଧ ହୋଇଆସିଲା ।

 

‘ଆପଣଙ୍କ ‘ଚିରନ୍ତନୀ’, ‘ଥିଲା ମୋର ଏକରାଣୀ’ ରେ ମୋର କୁଂକୁମ ଅଛି । ସେ ଫଲ୍‍ଗୁଝର ଶୁଖିବନି ।’

 

‘ହଁ ବନ୍ଦନା, ତୁମେ ମୋର ଚିରନ୍ତନୀ । ଏ ଦୁନିଆରେ ତୁମେ ଆଉ ମୁଁ ଆମେ ଦୁହେଁ ହିଁ ବଳିଗଲୁ । ସେ ଆମର ଭାଗ୍ୟ । ଦୁହେଁ ଗୋଟିଏ ନାହାଁରେ ଭାସି ଚାଲିଚୁ ।’

 

ବନ୍ଦନା ଶଂକିତ କଣ୍ଠରେ କହିଲେ, ‘ସମସ୍ତେ ଭଲ ?’

 

‘କିଏ?’

 

‘ସମସ୍ତେ ।’

 

‘ସୁନନ୍ଦା ଚାଲିଯାଇଚି ବନ୍ଦନା ।’

 

ବନ୍ଦନା ଆକାଶ ଦିଗେ ଅନାଇ ରହିଲେ । ତାଙ୍କର ଚକ୍ଷୁ ଅଶ୍ରୁ ଛଳ ଛଳ ହୋଇଆସିଲା-। ନକ୍ଷତ୍ର ମଣ୍ଡଳୀରେ ଚାଲିଥିଲା ଅସ୍ପଷ୍ଟ ସମ୍ଭାଷଣ—ପ୍ରଶାନ୍ତ ଓ ଗମ୍ଭୀର ।

 

ଦେବାଳୟରେ ସଂଧ୍ୟାବତୀ ଘଣ୍ଟା ବାଜି ଉଠିଲା—ମୃଦଙ୍ଗ ଝଞ୍ଜାର ଶବ୍ଦ ସଂପାତ ।

 

ଆମେ ଦୁଇ ପ୍ରାଣୀ ସେଇ କଳ୍ପତରୁ ତଳେ ଠିଆରହି ଚକାଡୋଳାର ଜ୍ୟୋତିକୁ ଅନ୍ତର ଭିତରେ ଦେଖି ପାରୁଥିଲୁ ।

 

ବନ୍ଦନା ଦେବତାଙ୍କ ଉଦ୍ଦେଶରେ ପ୍ରଣାମ କରି କହିଲେ, ‘ସତ୍ୟର ସନ୍ଧାନ ଆମେ କେଉଁଠି ପାଇବା, ଦେବ ।’

 

ଦେବତା ପ୍ରତି ମୋର ବିଶ୍ଵାସ—ଅଟଳ ବିଶ୍ୱାସ । ତଥାପି ପ୍ରଣିପାତ କଲାବେଳକୁ ତୁଣ୍ଡରୁ ସ୍ଫୁରି ଆସିଲା, ‘କାହୁଁ ତୁମେ ସାମ୍ୟବାଦ ପ୍ରଭୁ !’

 

୩-୬-୧୯୫୨

Image

 

ନୀଳଚନ୍ଦ୍ର

 

ମହେଶ ଓଢ଼ଣିଟାକୁ ବେକରେ ବୁଲାଇ ଆଣି ଯାଉ ଯାଉ କହିଲା, ‘ଆଜି ସ୍କୁଲ ତନଖି ଅଛି । ଆସିଲା ବେଳକୁ ବିଳମ୍ବ ହୋଇପାରେ । ଅପେକ୍ଷା କରନି ।’

 

କାଞ୍ଚନ ଶୁଣି ବି ନ ଶୁଣିଲା ପରି କିଛି କହିଲା ନାହିଁ । କହିବା ଲାଭଟା କଣ ? କର୍ତ୍ତବ୍ୟକୁ ସେ ପାଳି ନେଉଚି । ନେବ ବି । ସେଥିଦ୍ୱାରା ତାର ଗୌରବର କୌଣସି ଆଘାତ ଲାଗିବନି । ସଂସାର ଭିତରେ ସେ ନୂତନ ଅତିଥି ନୁହେ, ବରଂ ବହୁ ଅତିଥିର ସେବିକା ହୋଇପାରିଚି । ବୟସ ଆସି ପଞ୍ଚତିରିଶରେ ପାଦ ଦେଲାଣି । କେତୋଟି ପୁଅ ଝିଅର ମାଁ ହେଲାଣି-। ଆଉ ବା କେତେଦିନ । ବଞ୍ଚି ରହିବାର ଅଦମ୍ୟ ଜିଗୀଷା ତାର ଆଜି ନାହିଁ ବୋଲି କହିଲେ କେହି କଣ ମାନିବେ ? ପତିଙ୍କ ବଳିଷ୍ଠ ବକ୍ଷ, ମେଣ୍ଢାସିଙ୍ଘ ପରି ମାଂସଳ ବାହୁକୁ ଅନାଇ ମୁଗ୍‍ଧ ହେଉଥିଲା । ନିଶ୍ଚୟ ଦିନଥିଲା ସେ ଏ ସଂସାରକୁ ବେଶ୍ ଭଲ ପାଉଥିଲା । ଛାତି ଭିତରେ ଏ ଧରଣୀକୁ ଜାକି ଅନୁଭବ କରିଯିବା ପାଇଁ ତାର ମନ ନିରନ୍ତର ବ୍ୟାକୁଳିତ ହୋଇ ଉଠୁଥିଲା-। କ୍ଷୁଦ୍ର ସଂସାରଟି କିପରି ଭଲହେବ—ଛୁଆ ପିଲାଙ୍କୁ କୋଡ଼ରେ ଧରି କିପରି ମନଖୋଲି ତାର ପତି ଚୁମା ଦେଉଥିବେ—କାଞ୍ଚନ କିପରି ତାଙ୍କର ଆଗ୍ରହ ଦେଖି ଜୀବନକୁ ସଫଳ ମଣିବ ପାଖରେ ଥାଇ ମନେ ମନେ ଆନନ୍ଦ ପାଇବ—ପିଲାଦିନର ମାତୃ ପିତୃହରା ଦୁଃଖକୁ ଭୁଲିଯିବ—ସଂସାରରେ ଥିଲା ଯାଏଁ ଲୋକେ ତାକୁ ଭଲ ଭଲ ବୋଲି କହିବେ—ସ୍ଵାମୀ ସେବାରେ ସେ ଜୀବନକୁ କଟାଇ ଦେବ ଏହାହିଁ ଯଥେଷ୍ଟ । ଦେଶର ସେ ଅଭିନେତ୍ରୀ ହେବାକୁ ଚାହେଁନା ଯେହେତୁ ସେ କଲେଜ ଗର୍ଲ୍ କିମ୍ୱା ଫାରୱାର୍ଡ ଲେଡି ନୁହେ । ସେ ଜଣେ ନିହାତି ଅନାଦୃତ ପରିବାରର ହତଭାଗିନୀ କନ୍ୟା ।

 

କାଞ୍ଚନ ଯାହା ଲୋଡୁଥିଲା ତାହା ପାଇଚି । ଲୋକେ ତାକୁ ଭଲ ଭଲ ବୋଲି କହନ୍ତି । କିନ୍ତୁ ସ୍ୱାମୀଙ୍କ ଠାରେ ସେ ଭଲ ହୋଇପାରିନି । କାରଣ ସ୍ୱାମୀଙ୍କୁ ସେ ସୁଧାରି ବସେ । ଅଭିମାନ କରେ । ସମୟ ସମୟରେ ବିରକ୍ତ ହୋଇ ପଦେ ଅଧେ କଥା ଫୋପାଡ଼ି ଦିଏ—ବୁଢ଼ା ହେଲାଣି ତମର ସେ ପ୍ରକୃତି ଆହୁରି କେତେ ଦିନ ରହିବ ହେ ଲାଜ ଲାଗୁନି ଏଇ କାଲିକି ଦୁଃଖି ଆସିଲେ ଯତିକୁ କାଖେଇବ—’

 

ମହେଶ କିଛି କହେ ନାହିଁ, କହି ପାରେନାହିଁ । ଭୁଲତ ସବୁ ଆପଣାର, କାହାକୁ କହିବ । ତଥାପି କେଉଁଦିନ ଇମିତି ଅକାଳରେ ତା ମୁଣ୍ଡରେ ଭୂତପଶେ ଅନାୟତ ଭାବରେ—କାଞ୍ଚନ ଉପରେ ତାର ନିଷ୍ଠୁର ହାତ ଏକ ବାର ଢୋଲ ପିଟି ଚାଲିଯାଏ, ତହୁଁ ସେ ଚେତା ପାଇ ବୁଝେ ତୁଛାଟାରେ ମାଇପିଟାକୁ ପିଟି ପକାଇ ବଡ଼ ଭୁଲ୍‍ କରିଚି । ଦୋଷ ବିହୀନ ଦଣ୍ଡ । ପରିତାପ ଲାଭଟା କଣ ? ମନେ ମନେ ଦୃଢ଼ ସଙ୍କଳ୍ପକରେ—ସେ ଆଉ ଇମିତି ବ୍ୟବହାର କଦାଚ କରିବ ନାହିଁ । ଏଇଟା ଶୋଭନୀୟର ବାହାରେ । ଛୋଟ କଥା, ତଥାପି ତାର ପାହୁଣ୍ଡ ଯେତେବେଳେ ଏରଣ୍ଡି ଡେଇଁପଡ଼େ, ସେ ଦୃଢ଼ ପ୍ରତିଜ୍ଞା କୁଆଡ଼େ ହଜିଯାଏ । ସବୁ ଫସର ଫାଟେ, ଯେପରି କୁକୁର ଲାଞ୍ଜ ଯେଉଁ ବଙ୍କାକୁ ସେଇ ବଙ୍କା ।

 

ଗାଁର ଛୋଟ ବଡ଼ ସମସ୍ତେ ମହେଶକୁ ଯେତିକି ଭଲ ପାଅନ୍ତି ସେତିକି ତା ପ୍ରତି ବିରକ୍ତ ହୁଅନ୍ତି । କ୍ରୋଧ ସଙ୍ଗେ କାରୁଣ୍ୟ ଆସେ । ପ୍ରତିଭା ଉପରେ ଦୁଶ୍ଚରିତ୍ରର ଧ୍ଵଂସଲୀଳା ତାଙ୍କଠାରେ ଦେଖା ଦେଇଛି । ନଚେତ ଆଜି ସେ ଜଣେ ଶ୍ରେଷ୍ଠ କବି ହୋଇ ପାରିଥାନ୍ତେ । ଏଇ ଗଲା କାଲି ନୂଆ ଝିଅଟି ସଙ୍ଗେ ଆଖିଠରା ଲାଗିଥିଲା । ଦଶଦିନ ତଳେ ସ୍କୁଲଛାତ୍ରୀ ଉପରେ ଅତ୍ୟାଚାର । ଚାରି ପାଞ୍ଚ ବର୍ଷ ତଳେ ଜଣେ ନାରୀ ପାଶବିକତାରେ ପ୍ରାଣ ହରାଇଚି । ଦାରୀ ଗୋଟାଏ ପୋଷ ଯାଉଚି—ତା ଘରେ ନିତି ନିତି ଟୁଙ୍ଗି ବସେ—ରାତି ତମାମ ହସ କୌତୁକ—କାଳିଦାସ ଓମାର ଖାୟାମ ମନେ ପଡ଼ିଯାନ୍ତି । ରାତି ପାଏ ଘର ବାହୁଡ଼ା ହୁଏ । ଇମିତି କେତେ ଜଣ ଅଲେଖା ଘଟଣା–ସେ ଯେ ବଣର ଅମାନିଆ ମରଦ ହାଡ଼ି ପରି ଉଚ୍ଛୃଙ୍ଖଳ ହେଲେଣି, ସେଥିରେ ଲୋକେ ବା କେତେ ଦିନ ଯାଏ ସହିବ । ତଥାପି ସ୍ତ୍ରୀ ଗୁଣମତୀ, ତେଣୁ ମୁହଁ ଖୋଲି କେହି କିଛି କହିବା ପାଇଁ ଟିକିଏ ସଙ୍କୋଚ କରନ୍ତି ।

 

ଛୋଟ ଘରଟି ଭିତରେ କେଉଁ ଦିନ ମାଂସ ଝୋଳହୁଏ, କେଉଁ ଦିନ ବେସର ହୁଏ, କେଉଁ ଦିନ ଦିଖଣ୍ଡ ଖଡ଼ାରେ ଗୁଡ଼ ଦେଇ ରନ୍ଧା ଯାଏ ସେ କଥା କେହି ବୁଝନ୍ତି ନାହିଁ, ଯେଉଁ ଦିନ ଯାହା କାଞ୍ଚନ ହାତରେ ପଡ଼େ ତାହା ଅମୃତ ପାଲଟେ । ପରିବାକୁ ଭଲ ଭାବରେ କଟାକଟି କରି ଠିକ୍ କଣ୍ଟରେ ଲୁଣ ମରିଚ ଦିଏ । ସେତିକିରେ ବେଶ ରୁଚି ଆସେ । ସେ ସ୍ଵାମୀଙ୍କ ଅପେକ୍ଷାରେ ଆଣ୍ଠୁରେ ଥୋଡ଼ି ଥାପି ଅନାଇ ବସେ ।

 

ମହେଶ ମଉଜ ମଜଲିସ୍ କରି ସାଢ଼େ ଏଗାର କେବେ ବାର କେବେ ବା ଗୋଟାକରେ ଆସି ପହଞ୍ଚନ୍ତି । କାଞ୍ଚନ କଥା କହେ ନାହିଁ । ଭାତ ବାଢ଼ି ଦେଇ ସ୍ଵାମୀଙ୍କ ମୁହଁକୁ ଅନାଇ ଠିଆ ହୋଇ ରହେ ! ଆଖି ପିଛୁଳାକେ ମହେଶ ପୁଣି ଚାଲିଯାଆନ୍ତି । ସେତିକିରେ ତାଙ୍କର ଖିଆ ଶେଷ । ଛୁଆ ଦୁଇଟିକୁ ବୁକ ଉପରକୁ ଜାକି ଆଣି କାଞ୍ଚନ ଗୋଟାଏ ଦୀର୍ଘ ନିଶ୍ଵାସ ଛାଡ଼େ ।

 

ଗତକାଲି କାଞ୍ଚନର ଜନ୍ମଦିନ ଥିଲା । ଚଉତିରିଶି ପୂରି ପଞ୍ଚତିରିଶିରେ ସେ ପାଦ ପକାଇଚି । ହାତିଖିଆ କଇଠ ପରି ବର୍ଷଗୁଡ଼ିକ ଧୀରେ ଧୀରେ ଅପସରି ଯାଉଚନ୍ତି । ଦେହ, ବଳ, ମନ, ଆଶା ସବୁ ଯାହା କିଛି କ୍ରମେ ଫମ୍ପା ପଡ଼ି ଆସିଲାଣି । ବ୍ୟାଧି ବି ବସା ବାନ୍ଧିଲାଣି । ସେଥି ପାଇଁ ତାର ସ୍ଵାମୀହିଁ ଦାୟୀ ।

 

ମହେଶ ଜାତିରେ ଉଣା । ନାୟକ—ତାଙ୍କର ସ୍ତ୍ରୀ ବି ସେଇ ଜାତିର କନ୍ୟା । ଅସବର୍ଣ୍ଣ ବିବାହ ସେ କରିନାହାନ୍ତି । ତଥାପି କାଞ୍ଚନର ଏ ଗୁଣ-ଗରିମା ଆସିଲା କେଉଁଠୁ ? ସେ କର୍ମବଳ ।

 

ମହେଶଙ୍କ ପୂର୍ବ ପୁରୁଷ କେହିତ ଏଭଳି ଶିକ୍ଷକ ହୋଇ ନଥିଲେ; କବି ହୋଇ ନ ଥିଲେ-। ସେମାନେ ଥିଲେ ଖାଣ୍ଟି କଷ୍ଟଜୀବୀ । ସେମାନଙ୍କର ତୁଣ୍ଡରେ ଟାକରା ଫୁଟୁଥିଲା-। କାନ୍ଧରେ ଲଙ୍ଗଳ ଜୁଆଳି ପଡ଼ୁଥିଲା । ହାତରେ ବିଣ୍ଡି ପଡ଼ି ଯାଉଥିଲା । ସେମାନେ ଯୁଡ଼ା ପକାଉଥିଲେ; ଆଣ୍ଠୁ ପର୍ଯ୍ୟନ୍ତ ଗାମୁଛା ପିନ୍ଧୁଥିଲେ; କାନରେ ଖଣ୍ଡିଆ ପିକା ଖୋସୁଥିଲେ; ଖଡ଼ା ସନ୍ତୁଳି ଖାଉଥିଲେ-। ସେମାନଙ୍କର ସ୍ତ୍ରିରିମାନେ ଘୋଟଣା ଧରି ବିଲ ବାଡ଼କୁ ଯାଉଥିଲେ । କିନ୍ତୁ ଆଜି ମହେଶ ପାଠପଢ଼ି ମୁଣ୍ଡ ଟେକିଲେ; ଭଲ ଲେଖକ ବୋଲାଇଲେ; ନାଁ କଲେ । କିନ୍ତୁ ଜାଉ ପେଜ ଖାଇ ଜମାଇଥିବା ବାପ ପଣିବାପଙ୍କ ପଇସାରେ ସୁରା ଓ ସାକୀକୁ ବି ସେ ସାଥିକଲେ ।

 

ସେଦିନ ହୋଟେଲବାଲା ସହିତ ବାକ୍‍ଯୁଦ୍ଧ ଚାଲିଥିଲା ଅନ୍ୟ ଏକ ଦିନ ପାନବାଲା ଚାପୁଡ଼ା ମାରିଥିଲା । ରସିକ ହେବାର କଣ ଏହି ଲକ୍ଷଣ ?

 

ସାଇ ପଡ଼ିଶା ମାଇକିନାଏ କାଞ୍ଚନ ପାଖରେ ଏ ପସରା ଯେତେବେଳେ ବାଢ଼ନ୍ତି ସେ ଅଭିମାନରେ କହେ, —‘ଯିମିତି ଲୋକକୁ ସିମିତି ଦଣ୍ଡ—ଯାହା କରିବେ କରନ୍ତୁ—କାର କି ଯାଏ ?’ ତହୁଁ ସେ କବାଟ କିଳି ବାଡ଼ିପଟ ମୁନିଙ୍ଗା ଗଛମୂଳରେ ବସି କିପାଳରେ ହାତଦେଇ କାନ୍ଦେ ।

 

ଦୁଇ ଦୁଇଟା ଛୁଆ—ଜଣକୁ ଆଠ ବର୍ଷ—ଅଉ ଜଣକୁ ପାଞ୍ଚ ପୂରିବଣି । ସବା ସାନଟି ଛାତି ଛାଡ଼ିନି । ସଚି ଆଉ ଶୁଭ ମା ମୁହଁକୁ ବଲ ବଲ ଅନାଇ ଭୋ ଭୋ ରଡ଼ି ଛାଡ଼ନ୍ତି । ସେମାନେ ବଡ଼ ହୋଇଗଲେଣି । କଥାଗୁଡ଼ାକ କଣ ଅବୁଝା ହୋଇରହିବ ?

 

ସାନଟି ଘର ଭିତରେ କାନ୍ଦି ଉଠେ । ସଚି ଧାଇଁଯାଏ । ଗେଲ କରେ, ବୋକ ଦିଏ । ତଥାପି ତା’ କାନ୍ଦୁଣି ବନ୍ଦ ହୁଏ ନାହିଁ । ସଚି ଆଣି ମା କୋଳକୁ ବଢ଼ାଇ ଦିଏ ।

 

ମିନି ଛାତି ଭିତରେ ଲେଙ୍କିଟି ଯାଏ ।

 

କାଞ୍ଚନ ପିଲାଗୁଡ଼ାକୁ ଦେଖି ଗୋଟାଏ ଦୀର୍ଘ ନିଶ୍ୱାସ ମାରେ ।

 

ମହେଶ ଏ ସବୁକଥା ଜାଣିବେ ବା କୁଆଡ଼ୁ ? ସେ ଗାଁ ତମାମ ଘୂରି ଘୂରି ଘରକୁ ଫେରନ୍ତି । ଯଦିଚ କେଉଁଦିନ ରନ୍ଧାବଢ଼ା ପର ଟିକିଏ ଉଛୁର ହୋଇ ଯାଇଥାଏ, ସେଦିନ ଗୋରୁ ଗାଇଙ୍କୁ ପିଟିଲା ପରି କାଞ୍ଚନ ଉପରେ ପ୍ରହାର ପଡ଼େ ।

 

ପଡ଼ିଶାଘର ଲୋକେ ଚମକି ପଡ଼ନ୍ତି—ଠିକ୍ ଯେପରି ଏ ବିଧା ଗୋଇଠା ତାଙ୍କରି ଉପରେ ଛିଡ଼ୁଛି ।

 

କାଞ୍ଚନ ରଡ଼ି ଛାଡ଼ି କାନ୍ଦେ ନାହିଁ । ତା ଦେହଟା ଯେପରି ପଥର ପାଲଟି ଗଲାଣି । କିନ୍ତୁ ତା ଆଖିରୁ ଲୁହ ଛପି ଛପି ଝରେ । ତା ଛାତି ଫଟାଇ ଗୋଟାଏ ଦୀର୍ଘଶ୍ଵାସ ବାହାରି ଆକାଶରେ ମିଳେଇ ଯାଏ ।

 

ସେଦିନ କାଞ୍ଚନ ଚଉଁରା ମୂଳରେ ସଞ୍ଜବତୀ ଜାଳିଲା । ଆଉ ପ୍ରତିଦିନ ପାଞ୍ଚିଲା ପରି ତୁଳସୀ ଚରଣ ତଳେ ଜୁହାର କରି କହୁଥିଲା ‘ମା, ଜୀବନ ବେଗି ଚାଲିଯାଉ ।’

 

ମହେଶ କଣ୍ଠ ଶୁଭିଲା, ‘ମାଁ କେଉଁଠି ?’

 

ସଚି ଥରି ଥରି କହିଲା, ସଞ୍ଜ ଦୀପ ଦେଉଛି’—‘ଡାକ’

 

କାଞ୍ଚନ ଆସି ପହଞ୍ଚିଲା । ‘କଣ’—

 

ମହେଶ ଟିକିଏ ଲଡ଼ବଡ଼ ପୁଣି ଥଙ୍ଗ ଥଙ୍ଗ ହେଲେ । ଗଳାଟା ନରମ ହୋଇଆସିଲା । ସେ ହାତକୁ ବେକ ଉପରେ ଘୋସାଡ଼ି ଆଣିଲେ ।

 

କାଞ୍ଚନ ଜାଣିଗଲା, ଆଜି ସ୍ଵାମୀଙ୍କର ଏ କୋମଳ ବ୍ୟବହାର କେଉଁଥି ପାଇଁ–ପାଷାଣ ଦେବତା ଆଜି କଥାକୁହା ହେବାକୁ କାହିଁକି ପଡ଼ିଲା । ‘ନା ମୋଠି କିଛି ନାହିଁ’—

 

ସତରେ କାଞ୍ଚନ ପାଖରେ ବେକରେ ଥିବା ଅଧତୋଳା ସୁନା ପଦକ ଛଡ଼ା ଆଉ କିଛି ନଥିଲା । ନାକରୁ କାନରୁ ସବୁ ତୋଳେ ଚିନେ ସୁନାରୂପା ସରିଗଲାଣି । ଯାହାକିଛି ପଦକଟି ରହିଯାଇଚି ! ଏଇଟିକୁ ସେ ଲଗାଇ ଦେଇଥିଲେ ବିବାହ ଦିନ । ସେଇଟିକୁ ସେ କଦାଚ ଦେଇ ପାରିବିନି ।

 

ଅପେକ୍ଷା କରିବା ମହେଶଙ୍କ ପକ୍ଷରେ ଯେପରି ଅସମ୍ଭବ ହୋଇପଡ଼ିଲା । ସଞ୍ଜ ହୋଇଗଲାଣି । ବର୍ଷା ପାଗ । ସାଙ୍ଗ ସାଥି ବାହାରେ ଛିଡ଼ା ହୋଇଛନ୍ତି । ମଧୁଶାଳା ପାଖକୁ ଯିବାକୁ ପଡ଼ିବ । ଦେଢ଼ ମାଇଲ ବାଟ । ନିଶାଟା କମି ଆସିଲାଣି । ସୂତାଟା ଛିଣ୍ଡାଇବା ସେ କେଭେ ଜାଣନ୍ତି ନାହିଁ ।

 

ବାହାରୁ ଡାକରା ଆସିଲା, ‘ମହେଶ’—

 

‘ହଁ ଆସୁଛି’—ଏତିକି କହି ସେ କାଞ୍ଚନକୁ ମାଗିଲେ ସେଇ ପଦକଟି ।

 

ଆଜି ସକାଳେ ନିର୍ଧୂମ ମାଡ଼ ଖାଇ ପିଠି ପାଚି ଯାଇଚି । କାଞ୍ଚନର ମନ ଡହଳ ବିକଳ ହେଲା । ସେ କରିବ କ’ଣ ? ଭୋଳାନାଥ । ସେ ଆଉ ବଞ୍ଚିବନି । ପ୍ରାଣଥିଲେ ସିନା ଇମିତି କରୁଥିବେ । ହେଲେବି—ସେ ପଦକଟାକୁ ସେ ଥାଉ ଥାଉ ବେକରୁ କିମିତିବା କାଢ଼ି ଦେବ ? ‘ସବୁ ସରି ଏଇଟି ଅଛି—ମୁଁ ଦେବିନି—

 

ମହେଶଙ୍କ ନରମ ବ୍ୟବହାର ଉଭେଇ ଗଲା । ସେ କର୍କଶକଣ୍ଠରେ କହିଲେ—‘ଦେ’—

 

‘ନା’—

 

‘ନା ?’ ବେକରୁ ସୁତାଖିଅଟା ଛିଡ଼ିଗଲା । ମହେଶ ପଦକଟିକୁ ଧରି ଚାଲିଗଲେ ।

 

ରାତି ବେଶି ହେବନି । ବର୍ଷାକାଳ ।

 

ସଚି ବାହାରକୁ ଟୋକାଙ୍କ ସାଥିରେ ଖେଳିବାକୁ ଚାଲିଯାଇଚି । ଶୁଭ ତା’ ସାଥିରେ । ଛୁଆଟା ଶୋଇ ପଡ଼ିଚି । ପ୍ରାଣକୁ ବଡ଼ ବାଧିଲାଣି । ଘର ସଂସାରର ଦୁଃଖ କଷ୍ଟ ବଳେଇ ଗଲାଣି । କବାଟ କିଳିଦେଲା ।

 

ମିନି ଘର ଭିତରେ ।

 

ବାହାରେ ବର୍ଷାର ଝର ଝର ମୃଦୁ ବାରିପାତ ।

 

କବାଟ ଉପରେ ବିଧା ମାରି ସଚି ଆଉ ଶୁଭ ଡାକ ପକାଉଚନ୍ତି–କବାଟ କିନ୍ତୁ ଫିଟୁ ନାହିଁ-

 

ସାଇ ପଡ଼ିଶା ରୁଣ୍ଡହେଲେ । କବାଟ ଖୋଲୁନି । କବାଟ ଭାଙ୍ଗି ଦେଲେ ।

 

କାଞ୍ଚନ ଫାଶି ନେଇଚି ।

 

ମହେଶ ଫେରି ଆସିଲେ—ଏକବାର ମାତାଲ । ଆଖିପତା ଉଠୁନି—ଘର ପାଖରେ ଲୋକ ରୁଣ୍ଡ । କଥା କ’ଣ ? ସେ ବୁଝି ପାରିଲେନି—କାହିଁକି ବା ସେମାନେ ଜମାହେଲେ ।

 

ଘରେ ପଶି ମହେଶ ଦେଖିଲେ କାଞ୍ଚନର ଶୀର୍ଣ୍ଣ ବେକଟି ଦଉଡ଼ି ଦେଇ ଝୁଲି ଆସିଚି । ଆଖିରୁ ଦୁଇ ଟୋପା ଲୁହ ଭୂଇଁ ଉପରେ ଝରି ପଡ଼ିଲା ।

 

ରାତିପ୍ରାୟ ଦଶରୁ ଅଧିକ ହୋଇଯିବଣି । ଶବ ସତ୍କାର ଶୀଘ୍ର କରିବାକୁ ପଡ଼ିବ ।

ନହବତ ବାଜିଲା । ଜୀବହୀନ ଅବୟବଟିକୁ ଛୋଟ କୋକେଇଟିରେ ଥୋଇ ବାହାକମାନେ କାନ୍ଧଦେଲେ । କାଞ୍ଚନର ମହାଯାତ୍ରା ପଥରେ ‘ରାମନାମ ସତ୍ୟହେ’ ର ଶେଷ ସଂକୀର୍ତ୍ତନ ଚତୁର୍ଦିଗର ନୀରବତାକୁ ପ୍ରତିଧ୍ୱନିତ କରି ଉଠୁଥିଲା ।

ଶ୍ମଶାନର ନିମଗଛ ଉପରେ ଦରଘୁମାଟା ବସି ଡାକ ଦେଉଥିଲ । । ସେ ଉଡ଼ିଗଲା । ତାର କାମ ଶେଷ ହୋଇଚି ।

କାଠ ସଜାଡ଼ି କାଞ୍ଚନକୁ ଶୁଆଇ ଦେଲେ । ଉପରେ କାଠ ଫଡ଼ାକୁ ଫଡ଼ା ଲଦି ଦେଲେ–ଯିମିତି ଇଟା ଭାଟି । ଶୀଘ୍ର ମୁଠାଏ ପାଉଁଶ ହୋଇ ମାଟିରେ ଯିମିତି ମିଶିଯାଏ ।

ତଳ ଆଡ଼ୁ ନିଆଁ ଧଇଲା । ଏକ ଛୋଟ ଅଗ୍ନି ଶିଖା ।

ଅଧରାତି ଗଡ଼ି ଗଲାଣି । ଚତୁର୍ଦ୍ଦିଗ ନୀରବ, ନିଶ୍ଚଳ ! ଅନାଥିତେୟ ବର୍ଷା ଉଭେଇ ଯାଇଚି, ଶୁଭ୍ର ନୀଳ ଶରତ ଆକାଶର ଉଜ୍ଵଳ ପୂର୍ଣ୍ଣଚନ୍ଦ୍ର ଠିକ୍ ମୁଣ୍ଡ ଉପରେ ଲୁଚିକାଳି ଖେଳି ଚାଲିଥିଲା । ଦିଗନ୍ତକୁ ଆଲୋକିତ କରି ଜ୍ୟୋଚ୍ଛ୍ନାର ମଧୁର ବିହାର । ଦୂର ଶ୍ୟାମଳ ଚନ୍ଦ୍ରିକାଧୌତ ପର୍ବତ, ବୃକ୍ଷଲତା, ପ୍ରକୃତିର ଏଇ ମଧୁର ଆଲୋକ ସମାରୋହ ଭିତରେ କାଞ୍ଚନର ଚିତାଗ୍ନି ଲିଭି ଆସିଲା । ଦୁନିଆ ଦାଉରୁ ସେ ଆଜି ନିସ୍କୃତି ପାଇଚି ।

ମହେଶ କାହାଁନ୍ତି ? ସେ ଚାଲିଯାଇଥିଲେ ମଧୁଶାଳା ଦିଗେ ଆଉ ଦୁଇ ଚାରି ଚଷକ ପେଟରେ ଅଜାଡ଼ି ଏ ଗୁରୁ ବେଦନକୁ ଲଘୁ କରିବା ପାଇଁ । ନଚେତ୍ ଏ ଭଳି ଏକ ମର୍ମନ୍ତୁଦ ଖେଦକୁ ଭୁଲିବେ ବା କିପରି ?

 

ମହେଶ ଫେରିଲେ—କାଞ୍ଚନର ମୁଖଶ୍ରୀକୁ ଶେଷ ଥର ପାଇଁ ଥରେ ଦେଖିବେ । ମଧୁର ଆହ୍ଵାନ । କିନ୍ତୁ କାଞ୍ଚନ ସେଇଠି ନଥିଲା—ତାର ଚିତା ବି ସେଠି ଜଳୁ ନଥିଲା । ଦୀପ ନିର୍ବାପିତ ।

 

ଲିଭି ଯାଇଥିବା ଚିତାରୁ ମୁଠାଏ ଗରମ ପାଉଁଶ ହାତରେ ଧରି ଆକାଶର ନୀଳଚନ୍ଦ୍ର ଆଡ଼େ ଅନାଇ ରହିଲେ ।

Image

 

ଗତାନୁଗତିକ

 

କରୁଣସିକ୍ତ ଗ୍ରୀଷ୍ମ ସନ୍ଧ୍ୟା ।

 

ଧରଣୀ ଧୂମ୍ରିଳ ଓ ଧୂସର ।

 

ଗଗନର ନୈର୍ଋତ ପ୍ରାନ୍ତରେ ଧଳା କଳା ମେଘ ଖଣ୍ଡିଏ ସ୍ଥିର, ଶାନ୍ତ ଭାବରେ ଅନାଇ ରହିଛି—ଯେପରି ତା’ର ଚକ୍ଷୁ ଦୁଇ ସଜଳ ଓ ନିର୍ଜଳ । ସେଇ ପଲକ-ହୀନ ନୟନ ତଳେ ମୌକ୍ତିକ ଅଶ୍ରୁବିନ୍ଦୁ ପରିଦିଶୁଚି ଏକ ସୁଦୂର ମନ୍ଦଗାମୀ କ୍ରୌଞ୍ଚପକ୍ଷୀ ।

 

ଅଞ୍ଜଳିର ଦୁଇଟି ସଜଳନେତ୍ର ସେଇ ଅପହୃତ ସୌନ୍ଦର୍ଯ୍ୟ ଦେଖିବାରେ ହିଁ ଆପାତତଃ ନିବଦ୍ଧ ହୋଇ ରହିଯାଇଛି । ତଥାପି ଜୀବନର ଏକ ଜଟିଳ ସମାସ୍ୟା ସମାଧାନରେ ସେତେବେଳେ, ମଧ୍ୟ ତା’ର ଅନ୍ତର ଯେପରି ବ୍ୟତିବ୍ୟସ୍ତ । ସେ ସେଥିର ଉତ୍ତର ପାଇବା ଅପେକ୍ଷାରେ ଉତ୍କଣ୍ଠିତ ହୋଇ ମିନତିଭରା ଚକ୍ଷୁରେ ଗବାକ୍ଷ ଦେଇ ଅନାଇ ରହିଥିଲା ।

 

ପାର୍ଶ୍ଵସ୍ଥ ରାଜମାର୍ଗ ଉପରେ ଯାତାୟାତ ଜନତାର କୋଳାହଳ, ଅସଂଖ୍ୟ ଯାନବାହନର ପ୍ରବଳ ଶବ୍ଦ ଅଞ୍ଜଳିର ଏକାଗ୍ରତା ଭାଙ୍ଗିବା ପାଇଁ ବଦ୍ଧ ପରିକର । ତଥାପି ସେ କୌଣସି ଏକ ଯୋଗ-ସାଧନାର ବ୍ରତିନୀ ହୋଇ ଯେପରି ନିସ୍ପନ୍ଦ ନିଶ୍ଚଳ ଭାବରେ ଠିଆ ହୋଇଚି । ଏହି ସଂଜୀବିତ କୋଳାହଳ ଭିତରେ ହୁଏତ ତାହାର ପ୍ରାଣ ଆହୁରି ବିହ୍ଵଳ, ଆବେଗପୂର୍ଣ୍ଣ ବେଦନାରେ ଭାରାକ୍ରାନ୍ତ ହୋଇଯାଇଛି ।

 

‘କାହାକୁ ଅନାଇ ରହିଚ ?’ କର୍କଶ କଣ୍ଠରେ କିଶୋର ଶାସନ କରି ଉଠିଲେ ।

 

ଅଞ୍ଜଳି ଚମକି ପଡ଼ିଲା । ଭୀରୁର କୋମଳ ହୃଦୟରେ ବଜ୍ର-ବିଦ୍ୟୁତ୍ ଯେପରି କ୍ଷିପ୍ର ଭାବରେ ଏକ ତପ୍ତ ଉତ୍ସ ଝରାଇ ଖସିଯାଇଚି, ତଥାପି ରଖିଗଲା ଚମକ ।

 

‘ବସିଥିଲି—’

 

‘କାହାର ଅପେକ୍ଷାରେ ?’

 

କ୍ଷୁବ୍ଧ ଭାବରେ ଅଞ୍ଜଳି କଣ୍ଠରୁ ବାହାରି ପଡ଼ିଲା, ‘କାହାର—’

 

କିଶୋର କିଛି କହିଲେ ନାହିଁ । ବିଶ୍ଵ ଶୋଭା ଠୁଳ ସୌନ୍ଦର୍ଯ୍ୟକୁ ବଦଳିତ କରି ଅଞ୍ଜଳିକୁ ଯେଉଁ ନିଖୁଣ ରୂପସୀ ଭାବେ ପ୍ରକୃତି ଗଢ଼ିଛି, ତାହାହିଁ ହୋଇଛି ଅଞ୍ଜଳି ପକ୍ଷରେ ଅଭିଶାପ । କିଶୋର ପକ୍ଷାନ୍ତରେ ସନ୍ଦେହ କରିବାର କାରଣ ବି ଯଥେଷ୍ଟ ଅଛି । ‘ଭାର୍ଯ୍ୟା ରୂପବତୀ ଶତୃଃ’ ଏହି ଭାବ ତାଙ୍କର ବିବେକ ଚ୍ୟୁତ କରିଛି । ଅଞ୍ଜଳିର ରୂପ ପ୍ରତି ତାଙ୍କର ଦୃଷ୍ଟି ପଡ଼ିଲା ଦିନରୁ କାହିଁକି କେଜାଣି କିଶୋରଙ୍କ ମନ କୁସୁମରେ ଏ କଥାଟା ବତାସ ସୃଷ୍ଟି କରିଛି—ସତେକି ଯେପରି ଅଞ୍ଜଳି ଆପଣା ସୌକୁମାର୍ଯ୍ୟର ମଦିରା-ପିଆଲା ଧରି ପାରସ୍ୟ ବଧୂ ରୂପ ସାଜିଛି ।

 

ନାରୀକୁ ଆଘାତ ଦେଇ ପରୀକ୍ଷା କରିବା ପାଇଁ ପୁରୁଷର ମନ କାହିଁକି ଏପରି ସ୍ପନ୍ଦିୟାନ ହୁଏ, ତାହାର କାରଣ କହିବା ଦୁରୂହ ବ୍ୟାପାର । ତଥାପି ମାନବ–ଇତିହାସରେ ଏକଥା ବାରମ୍ବାର ଘଟିବାର ଦେଖାଯାଏ । ଠିକ୍‍ ସେହି ଉତ୍ସ୍ଵସିତ ଉତ୍ସ ଉତ୍‍କ୍ଷିପ୍ତ ଭାବରେ ବହି ଚାଲିଥିଲା କିଶୋରଙ୍କ ସବଳ ସ୍ନାୟୁ ଦେଇ । ରୁକ୍ଷ କଣ୍ଠରେ ସେ ପଚାରିଲେ, ‘ବକ୍ଷ-ବସନରେ ଶିଥିଳତା କାହିଁକି ?’

 

ଅଞ୍ଜଳି, ମ୍ରିୟମାଣ ହେଲା । ହୃଦୟ ଖୋଲି ସ୍ୱାମୀଙ୍କ ଚରଣ ତଳେ ତା’ର ପ୍ରଣୟର ବିମଳ ଧାରା ଅଜାଡ଼ି ଦେବି ବୋଲି ସେ ଯେତେ ଚେଷ୍ଟା କରିଚି, ଫଳରେ ପାଇଛି ପରାଭବ, ପ୍ରତ୍ୟାଖ୍ୟାନ । ବିବାହ ହୋଇ ଦୁଇ ବର୍ଷ ବିତି ଗଲାଣି—ଏଇ ଭିତରେ ପ୍ରଣୟ-ପୁଷ୍ପଦଳ ହୃଦୟ ଭିତରେ ବିକଶି ଉଠିବା ପରିବର୍ତ୍ତେ ସନ୍ଦେହ କୀଟ ଦ୍ଵାରା ଛାରଖାର ହୋଇ ଯାଇଛି ।

 

ଅଞ୍ଜଳି କିଛି କହି ପାରିଲା ନାହିଁ । ସ୍ଵାମୀଙ୍କ ନିକଟରେ ଅର୍ଦ୍ଧ-ବିବସନ-ବକ୍ଷ ତା’ର ଯେ ଅସଂଯମତା ପ୍ରକାଶ କରିଚି, ଏ କଥାର ମୀମାଂସା ସେ କିଛି କରିପାରିଲା ନାହିଁ ।

 

କମିଜ୍‍ର ବୋତାମଗୁଡ଼ିକ ଖୋଲୁ ଖୋଲୁ କିଶୋର ପ୍ରଶ୍ନ କଲେ, ‘ପଲ୍ଲୀ’ ବିଷୟରେ ଯେଉଁ କବିତାଟି ଲେଖିବାକୁ କହିଥିଲି, ତାହା ଶେଷ କରିଚ ?’

 

ନମନୀତ କଣ୍ଠରେ ଅଞ୍ଜଳି ଉତ୍ତର ଦେଲା, ‘ନା—ଲେଖିନି ।’

 

କିଶୋରଙ୍କ ହୃଦୟ କ୍ରୋଧରେ ଆନତ ହେଲା । କ୍ଳିଷ୍ଟ ଭ୍ରୂଯୁଗଳ କୁଞ୍ଚିତ ହେଲା । ସେ ଚାହନ୍ତି ଆଦର୍ଶ—ନିଜର ଆଦର୍ଶ ସଙ୍ଗେ ମିଳାଇ ଅଞ୍ଜଳିକୁ ଗଢ଼ିବା ପାଇଁ । କାବ୍ୟ ବିନୋଦ କିଶୋର, କଳାପ୍ରବଣ କିଶୋର, ଯଶୋଲିସ୍ପୁ କିଶୋର ଅଞ୍ଜଳିକୁ ସେଇ ନିଜର ଅଭୀପ୍‍ସିତ ପଥରେ ଚଳାଇ ଜୀବନ ଯାତ୍ରା କରିବା ପାଇଁ ଚାହାନ୍ତି—ସେ ଚାହାନ୍ତି ପୁଷ୍ପ ମଧୁପର ସଂଯୋଗ । କିନ୍ତୁ—

 

କିଶୋର ପୁଣି ପ୍ରଶ୍ନ କଲେ, ‘ରାଜନୀତିରେ ଭାରତର ସ୍ଥାନ, ପ୍ରବନ୍ଧଟି ଶେଷ କରିଚ ?’

 

ସିଂହ ମୁଖରୁ କୋମଳାଙ୍ଗୀ ମୃଗୀ ବନପଥରେ ଖସି ଯାଇଚି । କିନ୍ତୁ ହୋଇପାରିଲା ନାହିଁ । ମୃଗରାଜର ଗମ୍ଭୀର ଗର୍ଜନରେ ବନସ୍ଥଳ କଂପି ଉଠୁଥିଲା ବେଳେ ମୃଗୀ ବା ଲୁଚିବ କେଉଁଠି-?

 

ପୁଣି ଶୁଭିଲା, ‘କ’ଣ ଶୁଭୁନି ?

 

ସଂଲଗ୍ନ କକ୍ଷରୁ ଅଶ୍ରୁସିକ୍ତ ଉତ୍ତର ଆସିଲା, ‘କରିନି’

 

କିଶୋର ମସ୍ତିସ୍କରେ ଅଗ୍ନିର ଝଲକ ଅନୁଭବ କଲେ । ସେ ଯେଉଁ ଆଶାରେ ନିଜର ସ୍ତ୍ରୀକୁ ଗଢ଼ିବାକୁ ବିପୁଳ ଚେଷ୍ଟା ଲଗାଇଚନ୍ତି, ସେଥିରେ ପଦେ ପଦେ ସେ ପ୍ରତିହତ । ଆପଣ ! ସ୍ତ୍ରୀଠାରୁ ସହାନୁଭୂତି, ସମବେଦନା, ଉତ୍ସାହ ପାଆନ୍ତି ନାହିଁ । ଏକଥା ସ୍ମରଣ କରି ଦିନେ ଦିନେ ତାଙ୍କର ହୃଦୟରେ ଝଞ୍ଜା ବହିଯାଏ । ସେ ଉଗ୍ରମୂର୍ତ୍ତି ଧରି ଠିଆ ହୁଅନ୍ତି, ପୁଣି କେଉଁ ସେ ଲଗ୍ନରେ ତାଙ୍କର ସ୍ଵଭାବ ସୁଲଭ କୋମଳ କବି-ପ୍ରକୃତି ପଲ୍ଲବିତ ହୁଏ—ସେ ନିଜ ପ୍ରେୟସୀକୁ କୋଳକୁ ଟାଣି ଆଣନ୍ତି—ଅଥଚ ହୃଦୟ ଖୋଲି ସ୍ନେହ କରିପାରନ୍ତିନାହିଁ—ଯେହେତୁ ତାଙ୍କର ଜୀବନ–ପୁଷ୍ପକୁ ବିଖଣ୍ଡିତ କରି କାଟି ଦେଇଚି କିଛି ଗୋଟାଏ ଅର୍ଥହୀନ ସନ୍ଦେହ—ଶକୁନ୍ତ ।

 

ଘନାୟମାନ ଧୂସର ସଂଧ୍ୟାର ଅନ୍ଧକାର କକ୍ଷରେ ବ୍ୟଥିତା କପୋତୀ ଯନ୍ତ୍ରଣା ଅନୁଭବ କରୁଚି । କ୍ରମ ଅପସୃତ ସବିତାର କ୍ଷୀଣାଲୋକ ଦିଗେ ଚାହିଁ ଅଞ୍ଜଳିଇ ବେପଥୁ-ଶ୍ଲିଷ୍ଟ ଚଷୁ ଦୁଇଟି ଅଶ୍ରୁଳ ହୋଇ ଆସିଥିଲା । ସ୍ତ୍ରୀର ଅନ୍ତର କଥା ସ୍ଵାମୀ ବୁଝି ନପାରି ନିଷ୍ଠୁର ପଦାଘାତରେ ଯେପରି ତାକୁ ଠେଲି ଦେଉଚନ୍ତି—ସେଥିର ପ୍ରତିକାର ସେ କଣ ବା କରିବ, ସେଇ ଚିନ୍ତାରେ ସେଥିଲା ଗ୍ରସ୍ତା-

 

‘ଅଞ୍ଜଳି !’

 

‘ଯାଉଚି’—ଅଞ୍ଜଳି ଆସି ପତିଙ୍କ ସମ୍ମୁଖରେ ଠିଆ ହେଲା ।

 

କିଶୋର ଲାଇଟ୍‍ର ସ୍ୟୁଚ୍‍ଟିକୁ ଟିପି ଦେଲେ । ‘କଫି ଆଣିବାର ଭୁଲି ଯାଇଚ ନା କ’ଣ-?’ କର୍କଶ କଣ୍ଠରେ ଶାସନ କରି ଉଠିଲେ ।

 

ଅଞ୍ଜଳିର ଛାତି ଉଠିଲା । ‘ଆଣୁଚି ।’

 

ଘଣ୍ଟାଏ ହେବ ‘କେଟଲ୍’ରେ କଫି ବସିଛି ! ‘ଡିକାକସେନ୍’ଟା ପୋଡ଼ିଯାଇଥିବ—ଅଞ୍ଜଳି ହୃଦୟରେ କୋହ ଜମି ଆସିଲା ।

 

ସନ୍ଧ୍ୟା ଅପସାରିତ ହୋଇଚି । ଧରଣୀ-ଚକ୍ରର ଅକ୍ଷ ବୁଲି ଯାଇଚି । ଶୁଭ୍ର ନୀଳାକାଶ ଉପରେ ବିଞ୍ଚିହୋଇ ପଡ଼ିଥିଲା ଦର ବିକଚ ବିଚକିଳର ନକ୍ଷତ୍ର-ପସରା । କିଶୋରଙ୍କ ମନରେ ପରିବର୍ତ୍ତନ ଆସିନାହିଁ । ସେ ଚିନ୍ତାମଗ୍ନ ହୋଇ ପଡ଼ିଥିଲେ ।

 

ଅଞ୍ଜଳି କପ୍ ଧରି ଠିଆ ହୋଇଥିଲା । କିଶୋର ହାତରୁ ନେଇ ଢୋକାଏ ପିଇଲେ । ‘କଫିରେ କ’ଣ ଗୁଡ଼ାଏ ମିଶାଇଛ ନା କଣ ?’

 

ଅଞ୍ଜଳି ସ୍ତମ୍ଭୀତ ହେଲା । ଗଣ୍ଡ ବ୍ରଣ ଉପରେ କରତାଡ଼ନା ଭଳି ସେ ଅନୁଭବ କଲା । ‘ଆପଣଙ୍କର ଶତ୍ରୁ ନୁହେ—ସ୍ତ୍ରୀ—’

 

ଅଧପିଆ କଫିକୁ ଟେବୁଲ୍‍ ଉପରେ ଥୋଇଦେଇ କିଶୋର ଗମ୍ଭୀର କଣ୍ଠରେ ପୁଣି କହି ଉଠିଲେ, ‘ସ୍ୱାମୀର ଅନୁଗତା ସ୍ତ୍ରୀ ତୁମେ ନୁହ—ତୁମେ ସ୍ଵେଚ୍ଛାଚାରିଣୀ, ବିଳାସିନୀ—’

 

ଅଞ୍ଜଳି ମର୍ମାହତ ହେଲା । ଅସମ୍ଭାଳ ହୋଇ କହି ପକାଇଲା, ‘ଆପଣଙ୍କର ଦୃଷ୍ଟି ଅତିକ୍ଷୁଦ୍ର—ମୁଁ ବ୍ୟଭିଚାରିଣୀ ନୁହେ—’

 

ସ୍ଵାମୀଙ୍କ ନିକଟରେ ଅଞ୍ଜଳି ବାସ୍ତବିକ ଅପରାଧ କରିଚି । ଏଇ ଗତାନୁଗତିକ ଜୀବନ ମଧ୍ୟରେ ସେ ସ୍ୱାମୀଙ୍କ ମନ ମୂଳରୁ କିପରି ଭାବେ ଧୂନାଇ ପାରିବ ସେକଥା ସେ ସଂଧାନ କରି ପାଇ ପାରି ନାହିଁ । ନିଜକୁ କବି ବନାଇବାପାଇଁ ସେ ବହୁବାର ଚେଷ୍ଟା କରିଚି । ଛୋଟ ଛୋଟ କବିତା ଲେଖିଚି । କିନ୍ତୁ ଭାବ ପାଇ ପାରିନି । କାବ୍ୟ ଦେହରେ ରସକୁ ଫୁଟାଇ ପାରିନି । ସ୍ୱାମୀଙ୍କର ଭାବ ପୁଷ୍ପକୁ ହାତ ବଢ଼ାଇ ତୋଳି ପାରିନି । ଏଥିପାଇଁ ସେ ବହୁବାର ଯତ୍ନ କରିଚି, ସ୍ୱାମୀଙ୍କର ଅନୁଗତା ସ୍ତ୍ରୀ ହେବାପାଇଁ । କିନ୍ତୁ—ନାରୀର ଚରିତ୍ର ଉପରେ ଆକ୍ଷେପ କରି ତାକୁ ସନ୍ଦିହାନ ଚକ୍ଷୁରେ ଦେଖିବାର ଅଧିକାର କିଶୋରଙ୍କର ବାକି ଅଛି । ନାରୀର ଗୌରବ କୀର୍ତ୍ତନକୁ ସ୍ଵାଗତ ଜଣାଇ କଳ୍ପନାର ସୌଧ ଉପରେ ତାକୁ ଅଧିଷ୍ଠିତ କରିବାରେ ହିଁ ତାଙ୍କର ସମ୍ମାନ । ଭାବସଲିଳରେ ବୁଡ଼ିରହି ପଦ୍ମକୁ ଧରି ନ ପାରିଲେ ସେ ତୃଟି ବା କାହାର ।

 

ଯାହାହେଉ, ଅଞ୍ଜଳିର ଆଉ କ୍ଷମା କାହିଁ ? କିଶୋର ଅପମାନିତ ହୋଇଚନ୍ତି । ମୁଖ ମଣ୍ଡଳ ଉପରେ କ୍ରୋଧର ଆରକ୍ତ ଫଲ୍‍ଗୁଧାରା ଖେଳି ଯାଇଛି । ‘ମୁଁ ଦେଖୁଚି, ତୁମେ କ୍ରମେ ଗାର୍ହସ୍ଥ୍ୟ ଶୃଙ୍ଖଳାକୁ ଛିଣ୍ଡାଇ ଚାଲିଯିବାରୁ ଚାହୁଁଛ—’

 

‘ମୁଁ ସ୍ଵେଚ୍ଛାଚାରିଣୀ ନୁହେ—’

 

‘ତୁମେ ବ୍ୟଭିଚାରିଣୀ—’

 

ଅଞ୍ଜଳିର ଚକ୍ଷୁକୋଣ ଅଶ୍ରୁ, ଛଳ ଛଳ ହୋଇ ଆସିଲା । ‘ଆପଣଙ୍କ ପ୍ରତାରଣା ପୂର୍ଣ୍ଣ ବେବେଚନାରେ ମୁଁ ହୋଇପାରେ ।’

 

କିଶୋର ଆଘାତ ପାଇଲେ । ଅତର୍କିତରେ ତାଙ୍କର ନିଷ୍ଠୁର ହାତ ଅଞ୍ଜଳିର ଗଣ୍ଡଦେଶରେ ଆଘାତ ଦେଲା ।

 

ଅଞ୍ଜଳି କାନ୍ଥର ଏକ କଡ଼କୁ ଢଳିପଡ଼ିଲା ।

 

କିଶୋର ଦୀର୍ଘ ନିଶ୍ଵାସଟିଏ ପକାଇ ଘରୁ ବାହାରି ପଡ଼ିଲେ—ତାଙ୍କର ସେଇ ରୁକ୍ଷ ପଦାଘାତରେ ବସୁଧା ଯେପରି ଥରି ଉଠୁଥିଲା । ଭାବ-ବଂଧୁର ଚିନ୍ତା-ଭାର ପ୍ରାଣକୁ ବହନ କରି ଗତି ଆପେ ଆପେ ମନ୍ଥର ଓ ଶାନ୍ତ ହୋଇ ଯାଇଚି ।

 

ବିସ୍ତୃତ ଦୁର୍ବାଦଳ ପଥ ଉପରେ କିଶୋର ଯେପରି ଭାବେ ପରାହତ ହୋଇ ଚାଲି ଯାଉଥିଲେ ସେଇପଥକୁ ଅଞ୍ଜଳି ସଜଳ ଆଖିରେ ଚାହିଁ ରହିଥିଲା । ବାହାରେ ଧୌତ ଚନ୍ଦ୍ରିକାର ସମାରୋହ । କଲିକତା ଯିବା ଗାଡ଼ି ତୂର୍ଯ୍ୟତାନଦେଇ ଛୁଟି ଚାଲିଥିଲା ।

‘ଅଞ୍ଜଳି !’

ଅଞ୍ଜଳିର ତନ୍ମୟତା ଭାଜିଗଲା । ସମ୍ମୁଖରେ ଅଶୋକ । ପତିବଂଧୁ । ଅଶ୍ରୁଳ ଗଣ୍ଡ ଉପରେ ପଣତ ଟାଣି ଅଶୋକଙ୍କୁ ସ୍ଵାଗତ ଜଣାଇଲା ।

‘ତୁମେ ବଡ଼ ଭୁଲ୍‍ କରିଚ, ଅଞ୍ଜଳି !’

ଝଡ଼ ବହି ଯାଇଚି । ଦୁର୍ବା ଉପରେ ଜଳାଘାତର ବେପଥୁ ଶ୍ଳଥ ଭଜିନି । ‘ବଡ଼ ଭୁଲ୍‍ କରିଚ—ଅଞ୍ଜଳି’ ପୁନରପି ସେ ଆବୃତ୍ତି କରି ଉଠିଲେ ।

ଅଶୋକଙ୍କ ପ୍ରତି ଅଞ୍ଜଳି ଅନାଇ ରହିଥିଲା । ‘ଭୁଲ୍‍ କରିଚି କିନ୍ତୁ ସେ ଯଦି ଆପଣଙ୍କ ପରି ମୋର ବ୍ୟଥା ଟିକକ ବୁଝି ପାରୁଥାନ୍ତେ, ତେବେ ଏ ଭୁଲ୍‍ର ଅବକାଶ କାହୁଁ ଥାଅନ୍ତା,

ଅଶୋକ ବାବୁ ?’

ଅଞ୍ଜଳି-କିଶୋର ସଂସାରର ବିକଶିତ ପୁଷ୍ପ ଦଳକୁ ବିଖଣ୍ଡିତ କରି ଯେ ବିଚ୍ଛେଦକୀଟ କାଟି ପକାଉଚି, ଏ କଥା ଅଶୋକ ଭଲ ଭାବେ ଜାଣନ୍ତି—ଯେହେତୁ ସେଇ ଖଣ୍ଡିତ କୁସୁମର ପୁନଃ ସଂସ୍ଥାନ ପାଇଁ ସେ କିଶୋର ଆଗରେ ବହୁବାର କହିଚନ୍ତି, ସାନ୍ତ୍ୱନା ଦେଇଚନ୍ତି, ବାଟ ବତାଇଚନ୍ତି ।

 

ଜୀବନତ କେବଳ ଅଭିଳାଷ ପୂର୍ଣ୍ଣକରିବା ପାଇଁ ନୁହ । ପୁଣି ଅଭିଳାଷ ଚିର ପ୍ରତିହତ । ଯାହା କଳ୍ପନା ତାହା ବାସ୍ତବରେ ରୂପ ଧରି ପାରେ ନାହିଁ । ଯାହା ବାସ୍ତବ ତାହା ହୁଏତ କଳ୍ପନାର ଭୂମିକାରେ ହଜି ରହେ । କଳ୍ପନାକୁ ଛାଡ଼ି ବାସ୍ତବରେ ଚାଲିବାରେ ହିଁ ଜୀବନ ବୃନ୍ତ କଳିଧରେ । କେବଳ ବୈଶାଖୀ ସମୀରରେ ଭାସି ବୁଲିଲେ ଗୋଲାପର ସୌରଭ କଣ ଲଭ୍ୟ ହୋଇପାରେ ।

 

ବଂଧୁ ହିସାବରେ ଅଶୋକ ବହୁବାର ଏକଥା କିଶୋରଙ୍କ ଆଗରେ କହିଚନ୍ତି ! ଯେ ହେତୁ ଦୁହେଁ ବାଲ୍ୟ ସହପାଠୀ ଥିଲେ । ପୁଣି କର୍ମକ୍ଷେତ୍ରରେ ମଧ୍ୟ ଦୁହେଁ ଏକତ୍ର ମିଶି ଅଧ୍ୟାପକତ୍ଵ କରନ୍ତି । ତେଣୁ କିଶୋରଙ୍କୁ ସାନ୍ତ୍ୱନାଦେବା ଅଧୀକାର ସେ ଯଥେଷ୍ଟ ପାଇ ପାରିଚନ୍ତି ।

 

‘ଅଞ୍ଜଳି, ଠିଆ ହେଲ ଯେ’ ଅଶୋକ ସାବର ଆହ୍ଵାନ କଲେ ।

 

ପତିବଂଧୁଙ୍କର ଏ ସ୍ଵାଗତ ଦେଖି ଅଞ୍ଜଳି କେବଳ ଠିଆ ରହିଲା ।

 

ସେ ଅଞ୍ଜଳିର ହାତଧରି ସଂଲଗ୍ନ ଭାବରେ ବସାଇଦେଲେ ।

 

ଅଶୋକ ଆଡ଼େ ଅଞ୍ଜଳି ଥରେ ଅନାଇଲା । ପତିର ଅନାଦୃତ ପତି ସେ ।

 

ଅଞ୍ଜଳିର ଦୀର୍ଘ ନିଶ୍ଵାସ ଅବାନ୍ତରେ ଅଶୋକଙ୍କ ହୃଦୟକୁ ଥରାଇ ଦେଇଚି । ତାଙ୍କର ଅନ୍ତର ମୁଖରିତ ହୋଇଉଠିଲା ।

 

‘ତୁମକୁ ପାଇଥିଲେ ମୁଁ ସୁଖୀ ହୋଇଥାନ୍ତି—’

 

ଏତିକି କହି ଅଶୋକ ନିଜର ରୁମାଲ୍‍ରେ ଅଞ୍ଜଳିର ଗଣ୍ଡକୁ ଧୀରେ ସ୍ପର୍ଶକରି ଆଣିଲେ ।

 

ଅଞ୍ଜଳି ଜାଣିଚି ଏ ସମାଜର ବୁଝାବଣା—ଆଉ ପତିବଂଧୁ ଅଶୋକଙ୍କ ଅତି ଭାବପ୍ରବଣ ସାନ୍ତ୍ଵନା ।

 

ବହମାନ ସମୀରଣ ଅଶୋକଙ୍କ ଗଣ୍ଡ ଦେଶକୁ ସ୍ପର୍ଶ କରିଗଲା । ସେ ମୁହଁବୁଲାଇ ଦେଖିଲେ, ଆଗରେ ଦିଗନ୍ତ-ବିସ୍ତୃତ କୌମୁଦୀ ଶ୍ୟାମଳ ପ୍ରାନ୍ତରର ଦୁର୍ବାଦଳ ଉପରେ ବିଚ୍ଛୁରିତ ହୋଇପଡ଼ିଚି; ସୁଦୂର ଅଟ୍ଟାଳିକା ପ୍ରକୋଷ୍ଠ ଭିତରେ ଝଲସି ଉଠିଚନ୍ତି କେତୋଟି ବିଦ୍ୟୁତ୍ ଦୀପ ।

 

ଅଶୋକ ଭାବମୟ ପ୍ରାଣରେ ବାସ୍ତବତା ଭୁଲି ଯାଇଥିଲେ । ହଠାତ୍ ଦେଖିଲେ ଅଞ୍ଜଳି ପାଖରେ ନାହିଁ । ଥର ଥର ସ୍ୱରରେ ଡାକିଲେ, ‘ଅଞ୍ଜଳି—’

 

ଅଶୋକଙ୍କର ଆହ୍ଵାନ-ପ୍ରୀତିକୁ ଦ୍ଵିଗୁଣ ଉତ୍ସାହିତ କରି ଅଞ୍ଜଳି କହିଲା, ‘ଡାକିଲେ ?’

 

‘ହଁ—’

 

ଅବଗୁଣ୍ଠନର ଆବରଣରେ କୌମାର ସୁଲଭ ବ୍ରୀଡାକୁ ପ୍ରକାଶ କରି ଅଶୋକ ସମୀପକୁ ଯାଇ ଅଞ୍ଜଳି ଠିଆ ହେଲା । ଅଶୋକଙ୍କ ଛାତି କ୍ଵିଚିତ୍ ପରିମାଣରେ ଥରି ଉଠିଲା—ଅଭିସାର-ପଥରେ ଆଜି କନକ-ପଦ୍ମର ବିକଶନ ।

 

ଅଞ୍ଜଳିର ଉତ୍ତୋଳିତ ହସ୍ତରୁ କୌଣସି ଏକଝର ଅଶୋକଙ୍କ ମସ୍ତକ ଉପରେ ଝରି ଆସିଲା ।

 

ଅଶୋକ ସ୍ମିତ ବଦନରେ ପ୍ରୀତି ଅଭ୍ୟର୍ଥନା ଜଣାଇ କହିଲେ, ‘କି ଶୀତଳ ! ଏତେ ଚନ୍ଦନ ବୃଥାରେ ନଷ୍ଟକରି ଦିଅନା’ ଅଶୋକ ତରୁଣ କବି, ମନ-ମନ୍ଦିରରେ ‘ଚନ୍ଦନ ଚର୍ଚ୍ଚିତ ନୀଳ କଳେବର’ର କେତୋଟି କାନ୍ତପନ୍ତି ଆବୃତ୍ତି କରି ଉଠିଲା ।

 

ହଠାତ୍ ଦେଖିଲେ ଶୀତଳ ସ୍ପର୍ଶ ପାଇବା ପରିବର୍ତ୍ତେ ଜ୍ଵାଳାର ସୀମା ଅତିକ୍ରାନ୍ତ କରିଚି ।

 

ବେଣ୍ଟୁଆଳିର ବେଣ୍ଟ ଶେଷ ହୋଇଚି ।

 

ବ୍ୟାଧ ମୁଖରୁ ଏଣୀ–ଫାଙ୍କି ଦେଇ ଚାଲି ଯାଇଚି ।

 

ସର୍ପାଘାତରେ ବ୍ୟାଧ ଅନୁଭବ କରିଚି ତୀବ୍ରଜ୍ଵାଳା ।

 

* * *

 

ରାତି ସାଢ଼େ ଦଶ । ଧରଣୀର ବିଶାଳ ଉତ୍ସଙ୍ଗ ଉପରେ ଜ୍ୟୋତ୍ସ୍ନାରାଣୀ ଥିଲା ସ୍ଵପ୍ନ ବିଭୋରା ।

 

ଶଯ୍ୟାର ଏକଧାରରେ ଅଞ୍ଜଳି, ସଂଲଗ୍ନ ଭାବରେ କିଶୋର ! ଅଞ୍ଜଳିର ଦେହ ଉପରେ ଥରେ ହାତ ବୁଲାଇଆଣି କିଶୋର କହିଲେ, ‘ଅଞ୍ଜଳି ତୁମେ ମୋତେ ସ୍ନେହ କର ?’

 

ବଡ଼ ପ୍ରାଚୀନ ଏ ପ୍ରଶ୍ନ, ବଡ଼ ଜଟିଳ ମଧ୍ୟ । ସ୍ନେହର ସ୍ଵରୂପ କି କିଏ ବୁଝାଇ ପାରେ ?

 

ଅଞ୍ଜଳି ଅଶ୍ରୁ ମୁଞ୍ଚିତ କଣ୍ଠରେ ଠିକ୍ ସେହି ମର୍ମରେ ଉତ୍ତର ଦେଲା—‘ସ୍ନେହର ରୂପ ଅନୁଭାବ୍ୟ, ବକ୍ତବ୍ୟ ନୁହେ ।’

 

‘ତୁମେ ରାଗିଚ ?’

 

‘କାହା ଉପରେ ?’

 

‘ମୋl ଉପରେ—’

 

‘ହଁ—

 

‘ଏସବୁ ଗତାନୁଗତିକ ଅଞ୍ଜଳି—ଦୁଃଖ କରନା, ଏତିକି କହି କିଶୋର ଅଞ୍ଜଳିକୁ ନିଜର ବାହୁ ବେଷ୍ଟନୀ ଭିତରକୁ ଟାଣି

 

ଆଣିଲେ ।

Image

 

Unknown

ଦଧିମଂଥନ

 

‘ହ୍ଵିଷ୍‍କି ?

 

‘ଅଛି’

 

‘ଚାରିକାଚ । ବ୍ରାଣ୍ଡି ?’

 

‘ଅଛି’

 

‘ଚାରିକାର । ରାମ୍ ?’

 

‘ଅଛି’

 

‘ଚାରିକାଚ ବୀର୍ ?’

 

‘ଅଛି’

 

‘ଦଶକାଚ । ମୋଟର ଭିତରେ ଲଦି ଦିଅତ ।’

 

ମୋଟରକୁ ଷ୍ଟାଟ୍ ଦିଆଗଲା । ନୋ-ପ୍ରୋହିବିଷନ୍ ପରିସର ମଧ୍ୟରୁ ପ୍ରୋହିବିଷନ୍ ଆୟତନ ଦିଗେ ଗାଡ଼ି ଯାତ୍ରାରମ୍ଭ କଲା । ଆଜି ମଧୁଭକ୍ତ ଦଳଙ୍କର ମନରେ ବସନ୍ତ ଉତ୍ସବର ମଧୁର ପରିପ୍ଳାବନ । ପାଦ ତଳକୁ ଲାଗୁନଥାଏ । ଦଳେ ମଧୁଭକ୍ତ ଗେଟାଏ ଲମ୍ବା ଚୌଡ଼ା ଷ୍ଟେଷନୱେଗନ୍ ଉପରେ ବସି ଉଚ୍ଚ ସ୍ଵରରେ ଗୀତ ଗାଇ ଆସୁଥାନ୍ତି—ଯେପରି ମଦ୍ୟ ପିଇବା ପାଇଁ ଆଗଠୁଁ ସେମାନେ ସଚେତ ହୋଇ ସାରିଚନ୍ତି । ଥୋଡ଼ା ଥୋଡ଼ା ପାଣି ମୁଖପୁଟରେ ଝରିବା ପରେ ସେମାନଙ୍କର ମତିଗତି କଅଣ ବା ହେବ ଠିକ୍ କହି ହେଉ ନାହିଁ । ଗାଡ଼ି ଚାଲିଛି, ମଧୁଭକ୍ତଙ୍କ କଣ୍ଠରୁ ଛୁଟୁଚି ବାଦଲ୍ ସଙ୍ଗୀତ ।

 

ସେଇ ସୁପ୍ରଶସ୍ତ ହର୍ମ୍ୟ ତଳର ବୈଠକ ପ୍ରକୋଷ୍ଠ ଭିତରେ ସଂଧ୍ୟା ହେଲେ ପ୍ରତିଦିନ ବୋତଲ୍ ବୋତଲ୍ ମଦ ଚଟିଆ ପରି ଫର୍ ଫର୍ କୁଆଡ଼େ ଉଡ଼ିଯାନ୍ତି, ସେଥିର ଖାପ ମାପ ବା କିଏ ରଖେ ? ସୋଡ଼ାକାଚ ପରେ ସୋଡ଼ାକାଚ କ୍ଷିପ୍ର ଗତିରେ ଭସ୍ ଭସ୍ ମାରି ଚଷକରେ ପ୍ରତ୍ୟହ ଅଜଡ଼ା ଯାଉଥାଏ । କିନ୍ତୁ ଯେଉଁ ଦିନଠୁଁ ମାନ୍ଦ୍ରାଜ ପ୍ରଦେଶରେ ମଦ୍ୟପାନ ନିବାରଣ ପଦ୍ଧତି ପ୍ରଚଳିତ ହେଲା ସେଇ ଦିନଠୁଁ ସେଇ ହର୍ମ୍ୟଟା ଯେପରି ମ୍ରିୟମାଣ ଅବସ୍ଥାରେ ପହଞ୍ଚି ଯାଇଛି । ସଂଧ୍ୟା ହେଲେ ସେଇ ବୈଠକ ଘରକୁ ମଧୁଭକ୍ତ ମାନେ ଗୋଟିକ ପରେ ଗୋଟିଏ ଆଉ ଜୁଟନ୍ତି ନାହିଁ । ଆଉ ଜୁଟନ୍ତି ନାହିଁ । ନିଦାଘ କାଳରେ ପାଣି ଖଦାଟା ଶୁଖିଗଲେ ବଣ୍ୟଜନ୍ତୁ ଗୁଡାକ ହା-ହା ହୋଇ ଯେପରି ଅବସନ୍ନ ହୋଇପଡ଼ନ୍ତି ଠିକ୍ ସେଇ ଦଶାହିଁ ୟାଙ୍କରି କପାଳରେ ଜୁଟି ଯାଇଚି । ଆଜି କାଲି ପୂର୍ବ ପରି ମଉଜ ମଜିଲିସ୍ ଆଉ କାହିଁ । ତଥାପି ସପ୍ତାହକେ ଥରେ ବା ଦୁଇଥର କିଛି କିଛି ଜୁଟିଯାଏ । ନିକଟସ୍ଥ ଓଡ଼ିଶା ସୀମା ଭିତରେ କିଣି ଆନ୍ଧ୍ର ସୀମାକୁ ଘେନି ଆସୁଥାନ୍ତି, ସେଇ କେତୋଟି ଲୋକ—ଜୀବନଟା ମନ୍ଦନୁହେ !

 

ସେଦିନ ସାଥିରେ ଜଣେ ନୂତନ ଅଭ୍ୟାଗତ । ଶ୍ୟାମଳ କୃଷ୍ଣବର୍ଣ୍ଣ । କୁଞ୍ଚିତ କୁନ୍ତଳ । ବୃନ୍ଦାବନର କୃଷ୍ଣ ଗୋପିକାମାନଙ୍କ ଅଧର–ବୋତଲରୁ ସୁରା ଶୋଷି ବେଶ୍ ମାତାଲ ହୋଇ ନାଚୁଥିଲେ । କିନ୍ତୁ ଏଇ କୃଷ୍ଣ ନନ୍ଦ ସୁତ ନୁହନ୍ତି—ସାଂଧ୍ୟସମୀରରେ ବୃନ୍ଦାବନ–ବିହାର ନାହିଁ । ତେବେ ଗୋପିକାଗଣ ମିଳିବେ ବା କେଉଁଠୁ ? ବ୍ରାଣ୍ଡି, ହ୍ଵିଷ୍‍କି, ରାମ୍ ଇତ୍ୟାଦି ଯାହା ହେଲେ ଗୋପିକା ।

 

ଗାଡ଼ି ଆସି ହର୍ମ୍ୟର ପାଦ ଦେଶରେ ଠିଆହେଲା । ମଧୁଭକ୍ତ ଦଳ ଜଣକ ପରେ ଜଣେ କାଖରେ ଗୋଟାଏ ଗୋଟାଏ ବୋତଲ ଧରି ଉତ୍ପାତରେ ଉତୁରିଲେ । ମନରେ ବନ-ରାଜାର ସ୍ଫୁର୍ତ୍ତି-

 

ଗୋଟାଏ ଡବା କାଳ । ସେଥିଭିତରେ ବ୍ରାଣ୍ଡି, ହ୍ଵିଷ୍‍କି, ଜୀନ୍, ରାମ୍ ଏବଂ ଜୀର୍ ପଞ୍ଚଭୂତକୁ ଏକତ୍ରୀତ କରି ଅଜଡା ଗଲା । ଏଟାକୁ ପୁଣି କହନ୍ତି ‘କାକଟେଲ୍’—

 

ବୃନ୍ଦାବନର କୃଷ୍ଣ ମୁରଲୀଧର—କଦମ୍ବ ମୂଳରେ ତ୍ରିଭଙ୍ଗୀ ଛନ୍ଦରେ ଠିଆ ହୋଇ ମୁରଲୀର ରନ୍ଧ୍ରେ ରନ୍ଧ୍ରେ ସଙ୍ଗୀତ ଫୁଟାଇ ଗୋପି-ଜନ-ମନକୁ ତୋଷୁ ଥିଲେ । ଏ ନବୀନ କୃଷ୍ଣ ମଧ୍ୟ ସଙ୍ଗୀତ ପ୍ରିୟ । ଚଷକେ ଚଷକେ ସମସ୍ତଙ୍କ ପେଟରେ ଝରିଲା । ହାର୍‍ର୍ମୋନିୟମ୍ ଏବଂ ଡୁଗି ତବଲ-। ଚାଲିଲା ସଙ୍ଗୀତ ।

 

କୃଷ୍ଣ ହାର୍‍ର୍ମୋନିୟମ୍ ଧରି ତାଙ୍କର କଣ୍ଠ ରୁଦର୍ଦ୍ଦୂର ଧୈବତ ନାଦ ଫୁଟାଇଲେ । ପାଖରେ ରାମ । ବେଶ୍ ବଜାଇ ଜାଣେ । ତବଲା ଉପରେ ଚାଇଁ ଚାଇଁ ଚାପୁଡ଼ା ମାରି ଡୁଗିଟାକୁ ଗେଞ୍ଜି ଗେଞ୍ଜି ଘୁଂକାର ଶବ୍ଦ ସୃଷ୍ଟି କରୁଥାଏ । ଅନ୍ୟାନ୍ୟ ତାଳପକା ମଧୁଭକ୍ତ ବୃନ୍ଦ କରତାଳରେ ପ୍ରକୋଷ୍ଠଟିକୁ ନାଦମୟ କରୁଥାନ୍ତି । ସମୟେ ସମୟେ ସେମାନଙ୍କ ଗର୍ଦ୍ଦଭ କଣ୍ଟରୁ ଅପଶ୍ରୁତିର ବିଭତ୍ସତା ବା କଦର୍ଯ୍ୟ ଇହି ଇହି ଫିଟି ପଡ଼ୁଥାଏ । ଭାରିମଜା !

 

ସେଇ ହର୍ମ୍ୟକୁ ଲାଗି ନଗରର ପ୍ରଶସ୍ତ ରାଜମାର୍ଗ । ସେଇ ବାଟେ ଯାତାୟାତ କରୁଥିବା ଲୋକ ଏଇ ସଙ୍ଗୀତକୁ ଦେବ ଭଜନ ଭ୍ରାନ୍ତିରେ ଥରେ ଦେଖି ନାକ ଟେକି ଫେରି ଯାଅନ୍ତି । କିନ୍ତୁ ସେମାନେ ବୁଝି ପାରନ୍ତି ନାହିଁ ଯେ ଏଠାରେ ନବୀନ କୃଷ୍ଣ ପ୍ରତ୍ୟକ୍ଷରେ ବିରାଜମାନ କରି ବେଣୁବାଦନ କରୁଚନ୍ତି । ଲୋକଗୁଡ଼ିକ କେଡ଼େ ହତଭାଗା ।

 

ସେତେବେଳକୁ ସମସ୍ତଙ୍କ କୁକ୍ଷିରେ ତିନି ତିନି ଚଷକ ପଡ଼ି ସରିଲାଣି । କୃଷ୍ଣଙ୍କର ଚତୁର୍ଥ ଉପାଖ୍ୟାନ ଆରମ୍ଭ ହୋଇଛି । କଣ୍ଠ ବେସୁରା ହେଲା—ଇ ହି ହି ହି—

 

ତାମ୍ରଚୂଡ଼ର ସଦ୍‍ବ୍ୟବହାର ପ୍ରାୟ ପ୍ରାରମ୍ଭ ହୋଇସାରିଚି । ପ୍ଲେଟ୍ ପରେ ପ୍ଲେଟ୍ କୁରୁମା, ଆମ୍ଵଲେଟ୍, ପୋଟେଟୋ ଚିପ୍ସ୍ ନିଃଶେଷ ହୋଇ ଯାଉଥାଏ । ଝୋଳର ହାଡ଼ଗୁଡ଼ିକୁ ଚୋବାଇଲାବେଳକୁ କୃଷ୍ଣଙ୍କର ବେଣୁବାଦନ କଥା ମନେ ପଡ଼େ । ରନ୍ଧ୍ର ରହିତ ବଂଶୀକୁ ସେ ଧରି ଫୁଙ୍କନ୍ତି । ନାଦ ଉତ୍ପତ୍ତି ହେଉନି ବା କାହିଁକି ? ସେ ଭିତରକୁ ଶୋଷିନିଅନ୍ତି ବଳେ ବଳେ । ବଂଶୀ ବଜାଇଲେ ଶ୍ଵାସ ରୋଗ ହୁଏ । ସେ ଖେଁ ଖେଁ ଖସନ୍ତି । ତଣ୍ଟିରେ କିଛି ଗୋଟାଏ ଅଟକି ଯାଇଥିବ ପରା !

 

ବାହାରେ ଝଡ଼ର ସଂକେତ । ଗଛ ଡାଳଗୁଡ଼ିକୁ ମଡ଼ ମଡ଼ ଭାଙ୍ଗି ଉତ୍କଟ ପବନର ଉତ୍ପାତ ଚାଲିଥାଏ ।

 

ସାଥିମାନେ ମାତାଲ ହୋଇପଡ଼ିଲେ । ବାକି ଥାନ୍ତି କୃଷ୍ଣ ଆଉ ରାମ । ଦ୍ଵାପର ଓ ତ୍ରେତୟା ଯୁଗର ମହାପୁରୁଷ । ଏ ତାଙ୍କର ସପ୍ତମ ପର୍ବ । ପ୍ରେମ ଗୁଞ୍ଜନରେ କୃଷ୍ଣଙ୍କର ଦେହ ଅବଶ ହୋଇ ଆସିଥିଲା । ଯମୁନା ତଟରେ ଇମିତି ତୋଫାନ ବି କେବେ ଆବିର୍ଭୂତ ହୁଏ । ଆଜି ଏ ସ୍ଥାନଟା ଠିକ୍ ବୃନ୍ଦାବନ । ସେ ଝଡ଼ର ପରଶ ପାଇବା ପାଇଁ ବାହାରକୁ ଗଲେ । ସେଇ କଙ୍କରିଳ ପ୍ରାଙ୍ଗଣରେ ବସି ବଂଶୀଟାକୁ ଫୁଙ୍କୁ ଫୁଙ୍କୁ କେତେବେଳେ ଢଳି ପଡ଼ିଛନ୍ତି ରାମ ଜାଣି ପାରି ନାହିଁ । ସେ ମନ୍ଦିର ମଧ୍ୟରେ ଅଶ୍ଵମେଧ ଯଜ୍ଞ ଆରମ୍ଭ କରଚି—ଅର୍ଦ୍ଧ ଦଗ୍‍ଧ ସିଗାରେଟ୍ ଟା ଖଦି ତଳଆଡ଼ୁ ପୋଡ଼ି ଆସିଲାଣି ।

 

ଝଡ଼ର ଶୀତଳସ୍ପର୍ଶ କୃଷ୍ଣଙ୍କ ଦେହରେ କ୍ଵଚିତ ଚେତନା ଆଣିଦେଲା । ସେଇତି ବେଳେ ନବନୀତ ଆଉ ଦଧି ଚୋରା କଥା ତାଙ୍କର ମନ ମନ୍ଥନ କଲା । ଭାବିଲେ ଏଇ ତୀବ୍ର ଜ୍ଵାଳାକୁ ନିବାରିବା ପାଇଁ ପରମ ମହୌଷଧି କେବଳ । ସେହିଁ ହେବ ଉପଯୁକ୍ତ ଉପଚାର । ଅବଶ କଣ୍ଠରେ ସେ ଡାକିବାକୁ ଆରମ୍ଭ କଲେ, ‘ଲେମ୍ବୁ ଆର୍ ଦହି—ଲେମ୍ବୁ ଆର୍ ଦହି ।’ ସେଇ ଡକାରେ ଥାଏ ଯମକ—କିନ୍ତୁ ଶୁଣିବା ପାଇଁ ସେଇଠି କେହି ନଥିଲେ । ତଥାପି ତାଙ୍କର କଣ୍ଠରୁ ଛୁଟିଥିଲା—‘ଲେମ୍ବୁ ଆର୍ ବହି, ଲେମ୍ବୁ ଆର୍ ଦହି—’

Image

 

ଝଡ଼ର ପକ୍ଷୀ

 

—ଶ୍ରାବଣର ବର୍ଷଣ ସଂଧ୍ୟା । ଚତୁର୍ଦିଗ ଝଡ଼ ଝଙ୍କୃତ । ପବନର ପ୍ରକୋପରେ ବୃକ୍ଷଗୁଡ଼ିକ ଲେଉଟି ପଡ଼ୁଥାନ୍ତି ! ମହେଶ ବୈଠକଖାନାର କବାଟ ଧଡ୍ ଧାଡ୍ ପକାଇ ବିଦ୍ୟୁତ୍-ଖଡ଼ିକାର ସ୍ୟୁଚ୍‍ଟିକୁ ଟିପିଦେଲେ । ମେଘର ସ୍ତନିତ । କ୍ଷଣପ୍ରଭାର ମୁହୁର୍ମୁହୁ ସ୍ଫୁରଣ । ଗୋଟାଏ ଦୀର୍ଘ ନିଶ୍ଵାସ ପକାଇ ସୋଫାରେ ଏକାକୀ ବସିଲେ । ଉପର ମହଲାରୁ ଓହ୍ଲାଇ ଆସିଲେ ବିନୀତା–

 

ବିନୀତା—ବେଶ୍, ଠିକ୍ କରିଚନ୍ତି ।

 

ମହେଶ—କି, ହେଲା କ’ଣ ?

 

ବିନୀତା—ବାହାରେ ଭୀଷଣ ଝଡ଼, ଆଉ ଭିତରେ ବିଦ୍ୟୁତ୍‍ଖଡ଼ିକାର ମୋହମୟ ଆଲୋକ । ଚମତ୍କାର ।

 

ମହେଶ—ବାହାରେ ବିଦ୍ୟୁତ୍ର ସ୍ଫୁରଣ ଆଉ ଭିତରେ ବିଦ୍ୟୁତ୍ର ନୀଳ ଆସ୍ତରଣ—ଠିକ୍ ନୁହେ ?

 

ବିନୀତା—ଏମିତି ପାଗରେ ଉପନ୍ୟାସ ପଢ଼ାଟା ଖୁବ୍ ଖାପ ଖାଏ ନା ?

 

ମହେଶ—ହଁ, ଏମିତି ତୋଫାନ୍ ହଉଥିବ । ଆଉ ଏମିତି ଜ୍ୟୋତିମୟ ଘର ଭିତରେ ଶେଯଟିରେ ଶୋଇ ଉପନ୍ୟାସ ପଢ଼ା ଆରମ୍ଭ କରିବ । ବେଶ୍, ତା’ର ସମାପ୍ତ ବା କେଉଁଠି ?

 

—ବିନୀତା ଚା’ କପ୍ ଫରମାସ ଦେବାପାଇଁ ଅନ୍ୟ ଏକ କକ୍ଷରୁ ଯାଇ ଡାକ ଦେଲେ—

 

ବିନୀତା—

 

ଆରେ ଦାମା, ଦାମା, ଗୋଟାଏ କପ୍ ଚା’ ଆଣିଦେ ତ ।

 

ମହେଶ—ବିନୀ, —ବିନୀ—

 

ବିନୀତା—ଉଁ—

 

ମହେଶ—ମୋ ପାଇଁ ମଧ୍ୟ, ଅଧ କପ୍, —

 

ବିନୀତା—ଆରେ, ଦାମା, ଦୁଇ କପ୍ ଚା’ ଜଲଦି ଆଣେ, ଉଁ—ଏଇ–ଶୁଣ୍, ଏଇ ବୈଠକଖାନାକୁ ।

 

ଦାମା—ହଁ, ଏଇଲାଗେ ଆଣୁଛି, ମାଁ ।

 

—ବିନୀତା ଫେରି ଆସିଲେ—

 

ବିନୀତା—ବେଳକୁ ବେଳ ତୋଫାନ୍ ବଢିଲା ପରି ଲାଗୁଛି । ନୁହେଁ ?

 

ମହେଶ—ବଢ଼ୁ । ସେଥିରେ ଆମର ଯାଏବା କେତେ; ଝଡ଼ି ପାଗଟା ବଢ଼ୁଥିଲେ ଭାରି ମଜା ନା ! ଆସ ଏଇଠି ଟିକିଏ ବସ ।

 

ବିନୀତା—ବାଃ, ଭଲ କହୁଚନ୍ତି ! ବର୍ଷା ପାଣିରେ କେତେ ଘର ଦ୍ଵାର ଭାସିଯିବ, ଦେଶର କେତେ କ୍ଷତି ହେବ, ସେଥିପାଇଁ ଆପଣଙ୍କର ଟିକିଏ ହେଲେ ବିଚାର ନାହିଁ । କେବଳ ନିଜ ଭାବରେ ତନ୍ମୟ ।

 

ମହେଶ—ଆରେ, ଆରେ ଚିମୁଟି ଦେଉଛ କିଆଁ ? ଭାରି ମୁସ୍କିଲ—, ତମ ସାଥିରେ !

 

—ବିନୀତା ଏକ ଗୀତର ଲହରୀକୁ ଧରି ସ୍ଵର ଅବଲମ୍ବନରେ ଉଁ–ଉଁ ଛଳନାରେ ଗାଇଲେ—

 

ମହେଶ—ସ୍ପଷ୍ଟରୂପେ ଗାଉନା—

—ବିନୀତା ଗାନାରମ୍ଭ କଲେ—

ଝର ଝର ଝର ବାଦଲ ଝରେ

ଧାରା ଶିରାବଣ ରାତିରେ,

ଚପଳା ଜାଳେ ଗୋ ସୁନାର ଦୀପ

କଳା ମଚ ମଚ ମେଘ ଛାତିରେ ।

ବ୍ୟର୍ଥ ଆଜି ଗୋ ଜୀବନ ମୋର,

ନାହିଁ ଯେବେ ପାଶେ ସାଥିରେ;

ଆଗୋ ବ୍ରଜ ଡାକେଗୋ ଧ୍ଵଂସ କୋଳେ,

ବାହୁଚି ଉଡ଼ୁପ ଝଡ଼ର ତଳେ;

ରାତି ଯାଉ ମୋର ବିତିରେ ।

 

ମହେଶ—ଏହା କାହାର ରଚନା, ବିନୀତା ।

 

ବିନୀତା—ମୋର—

 

ମହେଶ—ବେଶ୍ ସୁନ୍ଦର ଲେଖି ଜାଣତ ! ତମ ରଚନାରୁ ଆଉ ଖଣ୍ଡିଏ ଗାଅତ ।

 

ବିନୀତା—ଆଜି ପରା ଆପଣ ସାଥି ଓକିଲମାନଙ୍କୁ ନିମନ୍ତ୍ରଣ କରିଛନ୍ତି ? ସେଥିର ବ୍ୟବସ୍ଥା କରୁନାହାନ୍ତି ?

 

ମହେଶ—ଦାମାକୁ ସବୁ ଅର୍ଡର ଦେଇସାରିଛି ।

 

ବିନୀତା—ସେମାନେ ଏଇ ତୋଫାନରେ ଆସିବେ ?

 

ମହେଶ—ବୋଧହୁଏ ଆସିବେ । କେହି ଆସିବାକୁ ନ ମଙ୍ଗିଲେ ମଧ୍ୟ ଶିବ ସେମାନଙ୍କୁ ବାଧ୍ୟ କରି ଘେନି ଆସିବ । ଯଦିଚ କେହି ନ ଆସିପାରନ୍ତି, ଶିବ ଆସିବା ନିଶ୍ଚିତ ।

 

—ମୋଟର ଗାଡ଼ିର ପଉଷିଆ ଗର୍ଜନ ସହ ଟ୍ରଂ ପେଟ୍ ହର୍ଣ୍ଣ ଶୁଣାଗଲା—

 

ମହେଶ—ଏଇ—ବୋଧହୁଏ ଶିବର ମୋଟର ।

 

—ମହେଶ କବାଟ ଫିଟାଇଲେ—

 

ଶିବ—ମହେଶବାବୁଙ୍କ ଝଡ଼ ଲଗ୍ନଟାକୁ ଆମେ ବିଗାଡ଼ି ଦେଇ ନାହୁଁ ତ ?

 

—କକ୍ଷ ପ୍ରବେଶ କରୁ ଶିବ ସମନ୍ଵୟ କରି ଉଠିଲେ—

 

ମହେଶ—ଫକଡ, ଇମିତିଗୁଡାଏ କଥାରେ ତୁ ପରମ ପାରଙ୍ଗମ । ନବବାବୁ ଆସିଛନ୍ତି ତ ?

 

ନବୀନ—ନମସ୍କାର, ମହେଶବାବୁ ।

 

ମହେଶ—ନମସ୍କାର ।

 

ଶିବ—ମହେଶବାବୁ, ଆଜ୍ଞା—ଶୁଣନ୍ତୁ—

 

ମହେଶ—କ’ଣ କହମ—

 

ଶିବ—ଆପଣଙ୍କ ନିମନ୍ତ୍ରଣ ରକ୍ଷା କରି ଏ ଝଡ଼ ତୋଫାନରେ ହାଜର ହୋଇଚନ୍ତି—ଶିବ କୁମାର, ନବକୁମାର, ଆଉ ଶିଶିର କୁମାର । ତ୍ରି କୁମାର । ଆପଣଙ୍କର କୃପା, ସେମାନଙ୍କର ଭାଗ୍ୟ ।

 

—ସମସ୍ତଙ୍କ ହାସ୍ୟରୋଳ—

 

—ସମାଗତ ବଂଧୁବର୍ଗ ଆସନ ଗ୍ରହଣ କଲେ—

 

ମହେଶ—ବିନୀତା, ବିନୀତା—

 

—ବିନୀତାର ପ୍ରବେଶ । ବକ୍ଷଦେଇ ଦୁଇ କେଶମୃଣାଳ ଝୁଲି ଆସିଚି । ରଙ୍ଗ ଓ ନୀଳ ବର୍ଣ୍ଣବିନ୍ୟାସ ଶାଢ଼ିଭିତରେ ତାରୁଣ୍ୟର ହଲନ—

 

—ମହେଶ ଆଗନ୍ତୁକ ବଂଧୁଙ୍କ ସହ ପରିଚୟ କରାଇ ଦେଲେ—

 

—ଶିବକୁମାର ମହେଶଙ୍କ ସ୍ଵର ସହିତ ସ୍ଵର ମିଳାଇଲେ—

 

ଶିବ—ଆଉ ଏ ଶିଶିର କୁମାର ।

 

ବିନୀତା—ନମସ୍କାର ।

 

—ଅଧରରେ ଝରି ପଡ଼ୁଥିଲା ଫଲ୍‍ଗୁର ଉତ୍ସ ।—

 

ଶିଶିର—ନମସ୍କାର ।

 

—କ୍ଷଣକାଳ ନୀରବତା ପରେ—

 

ଶିବ—ମହେଶ, ତୁ ଏ ଝଡ଼ରେ ପ୍ରସ୍ତୁତ ଥିବୁ କି ନାହିଁ ଆମେମାନେ ବାସ୍ତବିକ ସନ୍ଦେହ କରି ଆସିଛୁ । ତୁ ଯଦି ଅପ୍ରସ୍ତୁତ, ତେବେ ସେଥିରେ ଆମର କୌଣସି ଆପତ୍ତି ନାହିଁ ।

 

—ସହଜ ବ୍ୟଙ୍ଗ କଣ୍ଠରେ କହିଲେ ଶିବ—

 

ମହେଶ—ପ୍ରସ୍ତୁତ ଅଛି । ସେଥିପାଇଁ ତୁ ବ୍ୟସ୍ତ ହେବାର କୌଣସି ଅବକାଶ ନାହିଁ ।

 

ଶିବ—ଧନ୍ୟବାଦ । Thank God.

 

—ଶିବ ଛାତି ଉପରେ ହାତକୁ କୁଷି ଯାଏଁ ଆଉଁସି ଆଣି ଦୀର୍ଘଶ୍ଵାସ ନିକ୍ଷେପକଲେ—

 

ମହେଶ—ଏଇଲାଗେ ବିନୀତା ସନ୍ଦେହ କରୁଥିଲା, ତୁମେମାନେ ଫେର ଏମିତି ବର୍ଷାରେ ଆଉ ଆସିବ ନାହିଁ ! କିନ୍ତୁ ମୁଁ ତୋର ଫାଜଲାମି ସବୁ କହିଲି, କେହି ନ ଆସିଲେ ବି ଶିବ ନିଶ୍ଚୟ ଆସିବ । କିନ୍ତୁ ତିନିହେଁ ଆସିଚନ୍ତି (ବିନୀତା ଆଡ଼େ ଚାହିଁ) ଦେଖିଲ, ବିନୀତା ।

 

ବିନୀତା—ଶିବବାବୁ ପ୍ରତିଶ୍ରୁତି ରକ୍ଷା କରି ପାରିଛନ୍ତି ।

 

—ବତାସ ପବନ ଟିକିଏ କମି ଆସୁଥାଏ—

 

ମହେଶ—ଆରେ ଦାମl ।

 

—ଦାମାର ପ୍ରବେଶ—

 

ମହେଶ—ଜଳଯୋଗ ଠିକ୍‍ କରି ଏଠିକି ଘେନି ଆଣେତ, ଜଲ୍‍ଦି—

 

—ଦାମା ଚାଲିଗଲା ଜଳଯୋଗର ବ୍ୟବସ୍ଥା କରିବା ପାଇଁ—

 

ଶିବ—ଶିଶିର, ଏଇ ସଦ୍ୟ ପ୍ରକାଶିତ ‘ସହକାର’ରେ ‘ସମାଜରେ ନାରୀର ସ୍ଥାନ’ ଶୀର୍ଷକ ପ୍ରବନ୍ଧର ଲେଖିକା ନିରୁପମା ଦେବୀଙ୍କୁ ତୁ କଣ ଚିହ୍ନୁ ?

 

ଶିଶିର—ନା ମୁଁ ଚିହ୍ନେନି, କିନ୍ତୁ ପ୍ରବନ୍ଧଟା ଥରେ ପଢ଼ିବାର ସୁଯୋଗ ମିଳିଥିଲା । ଭାବ ସ୍ଵାଧୀନ । ମୁଁ ଯେତେ ଦୂର ବୁଝି ପାରୁଛି, ନିରୁପମା ଦେବୀ ଏଇ ଆଧୁନିକ ନାରୀ ଜାତି ପ୍ରତି ବିଶେଷ ଘୃଣା ପ୍ରକାଶ କରିଛନ୍ତି ।

 

ବିନୀତା—ଆଧୁନିକା ନାରୀ ଜାତି ପ୍ରତି ଘୃଣା !

 

—ବିନୀତା ଅଳ୍ପ ଥକିଯାଇ ଚିତ୍କାର କରି ଉଠିଲେ—

 

ଶିଶିର—ହଁ !

 

ମହେଶ—ନାରୀଜାତି ପ୍ରତି ତାଙ୍କର ଅସହ୍ୟ ପ୍ରକାଶ ପାଇଚି । ଆଧୁନିକ ନାରୀ ଜାତିର ବନ୍ଧନ ରହିତ ଚାଲି ଚଳନରେ ମୁହ୍ୟମାନ ହେବା ବାସ୍ତବିକ ସ୍ୱାଭାବିକ ।

 

ଶିଶିର—ସ୍ଥୂଳତଃ ବିଚାର କଲେ, ତାଙ୍କର ଅଭିପ୍ରାୟ—ସମାଜର ଶୃଙ୍ଖଳକୁ ଛିଣ୍ଡାଇ ନାରୀ ଉନ୍ମୁକ୍ତ ହେବା ସମୀଚୀନ ନୁହେ । ଏ ସବୁ ପାଶ୍ଚାତ୍ୟ ଢଙ୍ଗ ଆମ ଭାରତୀୟଙ୍କ ପକ୍ଷରେ ଅଶୋଭନୀୟ । ନାରୀ କେବଳ ମୁକ୍ତ ନିଜର ଗନ୍ତବ୍ୟ ପଥରେ । ପୁରୁଷର ସ୍ଵାଧୀନତାଠାରୁ ନାରୀର ସ୍ଵାଧୀନତା ସ୍ଵତନ୍ତ୍ର । ନାରୀ ସ୍ଵାଧୀନତା ପାଇଁ ଲଢ଼େଇ କରିପାରେ । ତଥାପି ସେ ପୁରୁଷର ସ୍ଵାଧୀନତା ସାଗରକୁ ଦୀପସ୍ତମ୍ଭ କରି ଚାଲିବା ବିଡମ୍ବନା ମାତ୍ର । ସଭା-ସମିତିରେ ବତ୍କୃତାର ସ୍ରୋତ ଫିଟାଇ ନାଟକ-ଚିତ୍ର ପ୍ରଭୃତିରେ ଯୋଗ ଦେଇ, ପୁରୁଷ ମେଳରେ ସ୍ଵେଚ୍ଛା ଭ୍ରମଣ କରି କ୍ରମେ ସଚ୍ଚରିତ୍ରା ସ୍ତ୍ରୀର ଗୋଡ଼ ମଧ୍ୟ ଏହି ଛଳନାତ୍ମକ ସ୍ଵାଧୀନତା–ପଥରେ ଖସି ଯିବାର ଦେଖାଯାଏ । ନାରୀ ନିଜ ମହଲରେ ସାହିତ୍ୟ, ସଙ୍ଗୀତ, ରାଜନୀତି ସମସ୍ତ ପ୍ରକାର କଳାରେ ଶିକ୍ଷିତା ହୋଇ ସ୍ଵାଧୀନା ହେଉ । କିନ୍ତୁ ପୁରୁଷ ମେଳ ଛାଡୁ । ନିରୁପମା କେଉଁଆଡ଼ୁ କେତେ କଥା ଲେଖିଛନ୍ତି । କିନ୍ତୁ ତାହା ଅକ୍ଷରେ ଅକ୍ଷରେ ସତ୍ୟ । ଛଳନା କିମ୍ବା ଭାଷା-ଚାତୁର୍ଯ୍ୟ ନୁହେ । ପ୍ରବନ୍ଧଟି ଯୁକ୍ତି-ସଙ୍ଗତ ହୋଇଛି । ମୋର ମତରେ ମଧ୍ୟ ନାରୀର ସେହି ମାର୍ଗହିଁ ଉନ୍ନତି ସୂଚକ ।

 

ମହେଶ—ଆଚ୍ଛା ଏଣେ ଚା’ ଥଣ୍ଡା ହୋଇଯିବ । ଜଳଯୋଗ ଚାଲୁ । ଶିବ, ତୁ ଆରମ୍ଭ କର ।

 

ଶିବ—ହଁ, ଶିଶିର, ଚାଲୁ । ଏ ନବ, ବୋକା ପରି ଅନେଇ ରହିଚ କଣମ ? ଥଣ୍ଟ ଫିଟା-

 

—ପ୍ରସଙ୍ଗ ଉଭେଇ ଯାଇଚି । ବିନୀତା ପ୍ରତିବାଦ କଲେ—

 

ବିନୀତା—ଏ ଲେଖା ଏକ କାଳ୍ପନିକ ମଖାତଳୁ ଆତ୍ମପ୍ରକାଶ କରିଚି ବୋଧହୁଏ । ‘ସହକାର’ର କେଉଁ ସଂଖ୍ୟାରେ ପ୍ରକାଶ ପାଇଛି, ଶିଶିରବାବୁ ?

 

ଶିଶିର—ବଂଶ ସଂଖ୍ୟାରେ, ବୋଧହୁଏ ।

 

ବିନୀତା—ମୁଁ କେବଳ ଗଳ୍ପ ଆଉ କବିତା ପଢ଼େ; ପ୍ରବନ୍ଧ ପ୍ରତି ମୋର ମନ ଯାଏନି । ଯାହା ହେଉ ମୁଁ ସେଇ ପ୍ରବନ୍ଧର ସମାଲୋଚନା କରି ଲେଖିବି ।

 

—କ୍ଷଣକାଳ ଅତିବାହିତ ହୋଇଯାଇଚି—

 

ମହେଶ—ଶିଶିରବାବୁ, ବିନୀତା ଛୋଟ ଗଳ୍ପ ଓ କବିତା ଲେଖେ, ସୁବିଧା ପାଇଲେ ଆପଣ ଥରେ ଦେଖିବେ ।

 

ଶିବ—ଓ, ତେବେ, ମହେଶ, ତୁ ଜଣେ ଲେଖିକାକୁ ପାଇ ଧନ୍ୟବାଦାର୍ହ ହୋଇସାରିଛୁ ।

 

—ମହେଶ ଅଳ୍ପ ଗାମ୍ଭୀର୍ଯ୍ୟ ପ୍ରକାଶ କରି କହିଲେ—

 

ମହେଶ—ଶିବ, ତୋର ପ୍ରତ୍ୟେକ କଥା ଯେପରି ବିଶେଷ କୌତୁକ ସୃଷ୍ଟି କରେ—

 

—ଆଠ ଘଣ୍ଟା ବାଜିଲା—

 

ନବ—ଶିବ ବାବୁ, ଆଠଟା ବାଜିଲା । ବାଟରେ କାମ ଟିକିଏ ରହି ଯାଇଛି ।

 

ଶିବ—ଆଚ୍ଛା, ତେବେ ବିଦାୟ ନେଉଛୁ । ଜଳଯୋଗ ପାଇଁ ଧନ୍ୟବାଦ ।

 

—ବୈଠକ ଖାନା ନମସ୍କାର ବିନିମୟରେ ମୁଖରିତ ହୋଇଉଠିଲା—

 

-ଦୁଇ-

 

—ବୈଠକ ଖାନା । ପୁଝାରି ଟୋକା ଦାମା କକ୍ଷର ଏକ ପ୍ରାନ୍ତରେ ବସି ଢୁଳାଉଥାଏ । ସ୍ତିମିତ ମଧ୍ୟାହ୍ନ । ମହେଶ ଚଟି ଶବ୍ଦରେ ପ୍ରବେଶ କରି ପଚାରିଲେ—

 

ମହେଶ—କିରେ ଦାମା, ତୁ ଏଇଠି ଅଛୁ, ବଉମାଁ କେଉଁଠି ?

 

ଦାମା—ଏଇ ସାଢ଼େ ତିନିଟାରେ ଦିଦିମଣି ପୁଳିନବାବୁଙ୍କ ସାଥିରେ କୁଆଡ଼େ ଗଲେ ।

 

ମହେଶ—ପୁଳିନବାବୁ !

 

ଦାମା—ଆଜ୍ଞା ।

 

ମହେଶ—କିରେ, ପୁଳିନବାବୁ କିଏ ?

 

ଦାମା—ଦୁଇ ତିନି ମାସ ହେଲା ଏଠାକୁ ଦୁଇଟା ବେଳେ ସେ ଆସନ୍ତି । ସେଇ କୁଞ୍ଚି କୁଞ୍ଚିଆ ବାଳ ।

 

ମହେଶ—ଆସି ଏଠି ସେ କଣ କରନ୍ତି !

 

ଦାମା—ପୁସ୍ତକ ଯାକ ଏଣେ ତେଣେ ଲେଉଟା ପାଉଟା କଲା ଉତ୍ତାରୁ ଦିହେଁ ମିଶି ବୁଲିଯାନ୍ତି । ସବୁଦିନେ ବେଗେ ଫେରି ଆସନ୍ତି । ଆଜି ଏକା ଉଛର ହୋଇଯାଇଛି ।

 

ମହେଶ—ଆଉ କ’ଣ କରନ୍ତି ?

 

—ଦାମାର କଣ୍ଠ ଥକିଗଲା—

 

ଦାମା—ଆଉ—

 

ମହେଶ—ଡର କିଆଁମ ? କଉନୁ—

 

ଦାମା—ଆଉ କ’ଣ କ’ଣ କରନ୍ତି, ମୁଁ କିମିତି ଜାଣିବି, ବାବୁ ?

 

—ମହେଶ ଚିନ୍ତାଶୀଳ ହୋଇପଡ଼ିଲେ—

 

ଦାମା—ବାବୁ ମୁଁ କ’ଣ ସବୁ ଦେଖେ । ଦିହେଁ ସେ ଘରେ ବସି କ’ଣ କ’ଣ କଥା ହୁଅନ୍ତି-। ହସା ହସି ହେବାର ଶୁଣିଛି ।

 

—ମହେଶଙ୍କ ଶରୀରରେ ଅବସନ୍ନତା ଆସିଗଲା—

 

ମହେଶ—ଚା’ କପେ ଆଣେତ ।

 

—ହାତରେ ଧରିଥିବା ପୋଥି ବିଡ଼ାକୁ ଟେବୁଲ୍ ଉପରେ ଛେଚିଦେଇ ସୋଫା ଉପରେ ବସିଲେ—

 

—ଶିକ୍ଷିତା ବୋଲି ବିନୀତାର ଗର୍ବ ଓ ଅହଙ୍କାର ସାମାନ୍ୟ ନୁହେ । ପତିର ବିନାନୁମତିରେ ସ୍ଵେଚ୍ଛାଚାରିଣୀ ହୋଇ ଚାଲିଯାଇଛି କେଉଁ ଗୋଟାଏ ଅଜଣା ପୁଳିନ ସାଥିରେ । ଦିନେ ସୁଦ୍ଧା ପୁଳିନ କିଏ, ତାହା ମହେଶ ଜାଣି ପାରିନାହାନ୍ତି । ପତିର ଅପ୍ରକାଶ ଭାବରେ ସେ ଆଜି ପର୍ଯ୍ୟଟନ କରି ଯାଇଛି ପୁଳିନ ସାଥିରେ ? ବାସ୍ତବିକ ବିନୀତା ସ୍ଵାଧୀନତାର ଅପଚୟ ଘଟାଇଛି । ବିବାହର ଦଶ, ବାର ମାସ ଯାଏ ତାର ସ୍ଵଭାବକୁ ମହେଶ ଲକ୍ଷ୍ୟ କରିପାରି ନଥିଲେ । କିନ୍ତୁ ଛବିଳ ମାୟାର ଅବଗୁଣ୍ଠନ ଖୋଲି ଯାଇଚି । ଆଜି ସେ ଅଭିସାରକା । ପୁଷ୍ଣ ଫୁଟାଇବାକୁ ଯାଇଚି । ପ୍ରଥମେ ତାର ଅଭିନୟ ଯେପରି ମହେଶଙ୍କ ହୃଦୟ ମୂଳକୁ ଧୁନାଇ ଦେଇଚି ସେଥିରେ ତାଙ୍କର ଯୁବକ ପ୍ରାଣ ଆତ୍ମହରା ହୋଇ ପଡ଼ିଥିଲା । କିନ୍ତୁ ଆଜି ମାୟାଚକ୍ଷୁ ଫିଟି ଯାଇଚି । ଦିନ ଆସିଲା ସନ୍ଦେହ କଲେ—କ୍ଷୋଭ କଲେ—ଚିନ୍ତାଶୀଳ ହେଲେ । ଶେଷରେ ଜାଣିଲେ—ବିନୀତା ଜଣେ ସର୍ପିଣୀ । ବାସ୍ତବିକ୍ ସେ ମସ୍ତବଡ଼ ଭୁଲ୍‍ କରିଛନ୍ତି । ଜୀବନର-ଚିର ସାଥି ରୂପେ ବେକରେ ବୁଲାଇ ଆଣିଚନ୍ତି ଟୋଟାଏ କୃଷ୍ଣ ସରିସୃପକୁ, ଆଉ ତା ଆଗରେ ଉନ୍ମୁକ୍ତ କରିଦେଇଚନ୍ତି ନିଜର ହୃଦୟ-ପଦ୍ମକୁ । ପିତାଙ୍କର ଶତ ଅନୁନୟ, ଶତ ଆବୃତି, —ତଥାପି ସେ ରକ୍ଷା କରିପାରିନାହାନ୍ତି । ନିରୁପମା ଅଶିକ୍ଷିତା, ନିରୀହ ପଲ୍ଲୀବାଳିକା । ଏଇ ତା’ର ପ୍ରାୟଶ୍ଚିତ । ଯେଉଁଦିନ ବିନୀତା ସହିତ ତାଙ୍କର ପରିଣୟ ହେଲା, ସେଇ ଦିନଠୁଁ, ହିଁ ତାଙ୍କର ସୁଖର ଅଧ୍ୟାୟ ଶେଷ ହୋଇଛି । ନୀରଦ ଭିତରେ ଯେ କୁଳିଶ ଲୁଚି ରହିଥାଏ ସେ କଥା କିଏ ଜାଣେ ?

 

—ମହେଶ ଚିନ୍ତାଭିଭୂତ ହୋଇ ବସିଥିଲେ—

 

—ପୁଳିନ ଓ ବିନୀତାଙ୍କ ସ୍ଵଚ୍ଛନ୍ଦ ଆଳାପ ଅନତି ଦୂରରୁ ଶୁଭିଲା—

 

ବିନୀତା—କାଲି ଠିକ୍ ସାଢ଼େ ଦୁଇଟାରେ ଆସିବ, ଅପେକ୍ଷା କରିଥିବି ।

 

ପୁଳିନ—ଆସିବି ।

 

—ବୈଠକ ଖାନରେ ପ୍ରବେଶ କଲେ—

 

ବିନୀତା—ତେବେ, ତମେ ଆଙ୍କିଥିବା ଛବିଟା ଆଣିବା ପାଇଁ ଭୁଲି ଯିବନି ।

 

ପୁଳିନ—ନା, ନିଶ୍ଚୟ ଆଣିବି ।

 

—ଏତିକି କହି ପୁଳିନ ନିଷ୍କ୍ରାନ୍ତ ହେଲେ—

 

ମହେଶ—ସେ କିଏ ?

 

ବିନୀତା—କାହିଁକି ? ସେ ମୋର ଭାଇ ।

 

—ବିନୀତା ପ୍ରଗଳ୍‍ଭ କଣ୍ଠରେ କହିଲେ—

 

ମହେଶ—ତମର ଜଣେ ଭାଇ ଅଛି ! ଏକଥାତ ମୁଁ କେବେ ଅପ୍ରତ୍ୟାଶିତ ଭାବରେ ବି ଶୁଣିପାରିନି । ଆସିଲା ବା କେଉଁଠୁ ?

 

ବିନୀତା—ନିଜ ଭାଇ ନୁହେ । ଦୂର ଲେଖାରେ ଭାଇ ।

 

ମହେଶ—ଓ, ତମର ସେଇଦିଗେ ଭାଇମାନଙ୍କ ନା’ସାଥିରେ ‘ବାବୁ’ ବୋଲି ଲଗାଅନା କ’ଣ ?

 

—ବିନୀତା ଅପ୍ରତିଭ ହୋଇପଡ଼ିଲେ—

 

ବିନୀତା—ନା ସେମିତି କିଛି ନୁହେ ।

 

ମହେଶ—ଗଲାବେଳେ ‘ପୁଳିନବାବୁ’ ବୋଲି କହିଲା ଯେ ।

 

—ମହେଶଙ୍କର ଏପରି ଘନ ଘନ ପ୍ରଶ୍ନ ପାଇ ବିନୀତା ଗ୍ରସ୍ତରେ ଆକୁଞ୍ଚିତ ହୋଇପଡ଼ିଲେ । ହଠାତ୍ ପତିଙ୍କର ନୟନ ଦୀପ୍ତିକୁ ଝଲସାଇ ଦେବାପାଇଁ ସେ ଅଧର ପ୍ରାନ୍ତରେ ହସର ବିଦ୍ୟୁତ ରେଖାକୁ ଟାଣି ଆଣିଲେ ।

 

ବିନୀତା—ଆପଣ ନିଜ ସ୍ଵାଭାବିକ ଓକିଲ ଢଙ୍ଗରେ ମୋତେ କ୍ରସ୍ ପରୀକ୍ଷା କରନ୍ତି ନା କ’ଣ ?

 

—ପତିର ମିଷ୍ଟବୋଳା ବାଣୀରେ ମହେଶଙ୍କର ହୃଦୟ ରସସିକ୍ତ ହୋଇ ପାରିଲାନାହିଁ । ସେ ସେଥି ପରିବର୍ତ୍ତେ ଅଳ୍ପ ଅପ୍ରକୃତିସ୍ଥ ହୋଇପଡ଼ିଲେ—

 

ମହେଶ—ସେଥିରେ ତମର ଅଧିକାର ବା କ’ଣ ? ପ୍ରଶ୍ନର ଉତ୍ତର ଦେବା ତମର କର୍ତ୍ତବ୍ୟ ।

 

ବିନୀତା—ଆପଣଙ୍କର ହାତ ତଳେ ମୋ ପ୍ରାଣଟା ନାହିଁ, ଯେପରି ମାନି ଚଳିବାକୁ ପଡ଼ିବ ।

 

—ମହେଶ ଚମକି ଉଠିଲେ—

 

ମହେଶ—ଭଦ୍ରଘର ବୋହୂ ହୋଇ ସିମିତି ବେହିଆମାନଙ୍କ ସାଥିରେ ବୁଲିଲେ ଚଳିବନି-

 

ବିନୀତା—ଆପଣ ଏମିତି ପାଗଳଙ୍କ ପରି କ’ଣ କଥା କହନ୍ତି ।

 

—ମହେଶ ତେଜି ଉଠିଲେ—

 

ମହେଶ— ଚୁପ୍, ଶିକ୍ଷିତା ବୋଲି ନା କ’ଣ ତୁମର ମନରେ ଏତେ ଆସ୍ପର୍ଦ୍ଧା ।

 

ବିନୀତା—ନୀରବ—

 

ମହେଶ—ଇମିତି ସ୍ଵୈଚ୍ଛାଚାରିଣୀଗୁଡ଼ାକ ମୋ ପାଖରେ ଚଳିବା ଅସମ୍ଭବ ।

 

ବିନୀତା—ଆପଣଙ୍କର ନଜର ଅତି ଛୋଟ । ନାରୀକୁ ଯଥାଯଥ ସ୍ଵାଧୀନତା ଦେବାର ପ୍ରତ୍ୟେକ ପୁରୁଷର କର୍ତ୍ତବ୍ୟ । ଆପଣଙ୍କ ଗୋଡ଼ ତଳେ ଚାପିହୋଇ ନିରାନନ୍ଦ ଜୀବନ କାଟିବାକୁ ମୁଁ ଆସିନାହିଁ । ଯେଉଁଠି ଥିଲେ ବି ମୋର ଅଧିକାର ମୁଁ ଦଖଲ କରି ନେଇ ପାରିବି । ସେଥିପାଇଁ ମୋର ପୂର୍ଣ୍ଣ ଧୈର୍ଯ୍ୟ ଅଛି—ଆଉ ଆପଣଙ୍କ ସାଥିରେ ଇମିତି ପଞ୍ଜୁରୀବେଷ୍ଟିତ ପକ୍ଷୀ ପରି ବଞ୍ଚି ରହିବାକୁ ମୋର ତିଳେ ସୁଦ୍ଧା ଇଚ୍ଛା ନହିଁ ।

 

ମହେଶ—ଏଇ ହେଲା ତମର ବୈବାହିକଜୀବନ ପ୍ରତି ନୈବେଦ୍ୟ । ବିବାହ କରି ସାଂସାରିକ ଜୀବନ ଉପରେ ତମର ନାରୀ ସୁଲଭ ମନ୍ତବ୍ୟ ପ୍ରକାଶ କରିବାର ବା କି ଅଧିକାର ଅଛି-? ସ୍ଵାଧୀନ ସଙ୍ଗୀତ ଗାଇପାରେ । ପତାକା ତଳେ ଠିଆ ରହି ଦେଶ ପାଇଁ ଆହୁତି ଦେଇପାର-। ଯଜ୍ଞକୁଣ୍ଡରେ ଡେଇଁପାର । କିନ୍ତୁ ସ୍ଵୈରିଣୀ ରୂପ ଧରି ପୁରୁଷ ଉପରେ ଶାସନ ଚଳାଇ ପାରିବ ନାହିଁ, ବିନୀତା ।

 

—ବିନୀତାର କଣ୍ଠ ଅଶ୍ରୁ ଗଦ୍‍ଗଦ୍‍ ହୋଇଆସିଲା—

 

ବିନୀତା—ଖାଇବା ପାଇଁ ମୁଠାଏ ଭାତ ଆଉ ପିନ୍ଧିବା ପାଇଁ ଖଣ୍ଡେ ଲୁଗା—ଏଇଥି ପାଇଁ ତ ନାରୀ ପୁରୁଷର ଗୋଡ଼ତଳେ ଚାପି ହୋଇ ରହିବାକୁ ପଡ଼େ । ନାରୀର ଫେର୍‍ତ ସ୍ଵାଧୀନତା ଅଛି । ଯଦି ଏ ସ୍ଵାଧୀନତା ଦ୍ଵାରା ମୁଁ ମୋର ସାଂସାରିକ ଜୀବନ ଉପରେ ହଳାହଳର ନୈବେଦ୍ୟ ଅଜାଡ଼ିଚି ସେଥିପାଇଁ ମୋର ଅନୁତାପ ରହିଲା । ଆପଣ ଅନ୍ୟ ଜଣକୁ ବିବାହ କରିପାରନ୍ତି ।

 

—ମହେଶ ମ୍ରିୟମାଣ ହୋଇପଡ଼ିଲେ । ପ୍ରତିପତ୍ତି ପଛରେ କାଳିମାକୁ ଲେପି ଦେଇ ଆଜି ବିନୀତା ତାଙ୍କ ଠାରୁ ବିଦାୟ ନେବାକୁ ଚାହେଁ । ଚାହେଁ ମୁକ୍ତି ! ଶିକ୍ଷତା ନାରୀକୁ ଜୀବନର ସାଥି ରୂପେ ବରି ନେଇ ସେ ଯେଉଁ କଳ୍ପନାର କୋଣାର୍କ ଗଢ଼ିବାକୁ ଭାବିଥିଲେ ତାହା ଯେ ବାସ୍ତବିକ୍ କେତେ ଯନ୍ତ୍ରଣା ଦାୟକ ସେ କଥା ସେ ମର୍ମେ ମର୍ମେ ଉପଲବ୍ଧି କରି ପାରିଚନ୍ତି—

 

ମହେଶ—ସେଇଥି ପାଇଁତ ତମର ହାତ ଧରିବାକୁ ପଡ଼ିଥିଲା ।

 

ବିନୀତା—ତେବେ ବାସ୍ତବିକ୍ ଭୁଲ୍‍ କରିଚନ୍ତି ।

 

-ତିନି-

 

—ଶୟନ କକ୍ଷ । ପଲଙ୍କରେ ମହେଶ ଆଉ ନିରୁପମା, ଶାୟିତ । ପୌଷ ପୂର୍ଣ୍ଣିମା । ରାତ୍ର ପ୍ରାୟ ଶେଷ । ଶୟନ ନିଳୟର ବାତାୟନ ପଥ ଦେଇ ଚନ୍ଦ୍ରାଲୋକରେ ଝାଉ ବୃକ୍ଷର ଛାୟା ସମ୍ମୁଖସ୍ଥ କାନ୍ଥ ଉପରେ ରୂପ ପାଇଥାଏ । ନିରୂପମାର ନିଦ ସହସା ଭାଜିଗଲା । ଅର୍ଦ୍ଧ ଜାଗରିତ ଅବସ୍ଥାରେ ସେ ଚାହିଁ ଦେଖିଲା ସେହି ଛାୟାକୁ—ମନୁଷ୍ୟର ଏକ ମସ୍ତକ ରୂପନେଇ କାନ୍ଥ ଉପରେ ଛିଡ଼ିଚି—

 

—ସ୍ଵାମୀ ସଂଲଗ୍ନ ଭାବରେ ଶୋଇଥିଲେ । ବାହୁଧରି ସେ ଉଠାଇଲା—

 

ନିରୂପମା— ଏଁ !

 

—ମହେଶ ଚେତା ପାଇ ଉଠିଲେ—

 

ମହେଶ—ନିରୂ, ହେଲା କ’ଣ ?

 

ନିରୂ—ସେ’ଟା କିଏ ?

 

ମହେଶ—ଆରେ, ଗଛ ଛାଇଟାକୁ ଦେଖି ଏଡ଼େ ଭୟ ।

 

ନିରୂ—ସେ’ଟା ଗଛ ଛାଇ !

 

ମହେଶ—ଏଇ ପଛର ଫାଟକ ଆଡ଼େ ଚାହଁନା—ଗଛଟା ।

 

—ନିରୂପମା ସେଇଦିଗେ ଅନାଇଲା । ଝାଉଗଛର ଦୀର୍ଘକାୟା ପ୍ରାଚୀର ଉପରେ ଛାୟାପାତ କରି ପଡ଼ିଚି—

 

ନିରୂ—ସତେତ, ଗଛ ଛାଇଟା ।

 

ମହେଶ—ଚନ୍ଦ୍ର, କିରଣରେ ଗଛ ଛାଇ ଏଇ କାନ୍ଥ ଉପରେ ପଡ଼ିଛି । ଆରେ ନିରୁ, ତମେ ଏଡ଼େ ଭୀରୁ ! ଡରିଲ କି ?

 

ନିରୂ—ପ୍ରଥମେ ଦେଖି ଡର ମାଡ଼ିଲା । କ୍ଷଣକାଳ ଯାଏ ତୁଣ୍ଡ ବାଂଥୁଳି ଗଲା । ପରେ ଆପଣଙ୍କୁ ଉଠାଇଲି ।

 

—ଚନ୍ଦ୍ରର କିରଣ ଘୁଞ୍ଚିଯାଇ ଶଯ୍ୟା ଉପରେ ବିଚ୍ଛୁରିତ ହୋଇ ପଡ଼ିଚି—

 

ମହେଶ—ଛାତିଟା ଢିଙ୍କି କୁଟିଲା ପରି ଧଡ଼ ଧଡ଼ ହେଉଛି । ଏଡ଼େ ଡର ?

 

—ନିରୂ ନବବଧୂ । ପତି କାନନକୁ କୁସୁମିତକରି କେତେ ମାସ ସୁଦ୍ଧା ଅତିବାହିତ ହୋଇଚି । ବେଦନା ମଥିତ, ସଂଗ୍ରାମ ପରାହତ ସ୍ୱାମୀଙ୍କର ହୃଦୟକୁ ସେ ଆଜି ପୁନରପି ଅନୁରଞ୍ଜିତ କରିବାକୁ ଚାହେଁ—ମହେଶଙ୍କର ଭୁଜ ଉପରେ ମଥାକୁ ଢଳାଇ ଆଣି ସ୍ୱାମୀଙ୍କର ମୁଖକୁ ସେ ସତୃଷ୍ଣ ନୟନରେ ଅନାଇ ରହିଥିଲା—

 

ନିରୂ—ଡର ମାଡ଼ିଲା ଯେ—

 

—ମହେଶ ନିରୂର ତନିମା ଦେହ ଲତାକୁ ଆଉଜାଇ ଆଣିଲେ—

 

ମହେଶ—ନିରୂ, ପ୍ରଥମେ ତମକୁ ଦେଖିବାକୁ ଯାଇ ପାନଦେବା ପାଇଁ ଯେଉଁ ଅନୁରୋଧ କରିଥିଲି, ସେଥିରେ କ’ଣ ଧୃଷ୍ଟତା ଦେଖି ପାରିଥିଲ ?

 

—ସ୍ୱାମୀଙ୍କର ଏ ପ୍ରଶ୍ନ ଶୁଣି ନିରୂ ଅଳ୍ପ ହସିଲା—

 

ନିରୂ—ବର୍ତ୍ତମାନ କହିଲେ, ଧୃଷ୍ଟତା ଚିହ୍ନା ପଡ଼ିବନି ?

 

—ପତ୍ନୀର ଏ ଲାଞ୍ଚିତ ବାଣୀ ଶୁଣି ମହେଶ ଅପ୍ରତିଭ ହୋଇପଡ଼ିଲେ—

 

ମହେଶ—ତେବେ ପାନ ଦେବାକୁ ତ ପଡ଼ିଥିଲା ।

 

ନିରୂ—ନଚେତ୍ ଆପଣ ପରାହତ ହୋଇ ଫେରିଥାନ୍ତେ ।

 

ମହେଶ—ଅଥଚ ପରାସ୍ତ ହେବାକୁ ପଡ଼ିଥିଲା ।

 

ନିରୂ—ମୁଁ ! ନୁହେଁ । ଆପଣ—

 

ମହେଶ— ମୁଁ —

 

ନିରୂ—ନୁହେଁ—

 

ମହେଶ—କିମିତି ?

 

ନିରୂ—ନୁହେଁ, ଆପଣଙ୍କ ସାଥିରେ ମୋର ବିବାହ ପ୍ରାୟ ନିଶ୍ଚିତ ବୋଲି ସିନା ଗୋଟାଏ ଅଚିହ୍ନା ଅଦେଖା ପୁରୁଷ ଆଗରେ ପାନ ଥାଳି ଧରି ଠିଆ ହେବାକୁ ପଡ଼ିଥିଲା । ଦୃଷ୍ଟି ତଳେ ଦୁଇ ବର୍ଷ ପାଇଁ ମଥିତ ହେବାକୁ ପଡ଼ିଥିଲା । ପରିଶେଷରେ ଏକ ପ୍ରତ୍ୟାଖ୍ୟାନ ଖବର ଦେଇ ନୀରବ ରହିଲେ । ନାରୀ ହୃଦୟକୁ ଚିହ୍ନିବା ପାଇଁ ଆପଣଙ୍କଠି କଣ ହୃଦୟ ନଥିଲା ।

 

—ଅତୀତ ସ୍ମୃତିର ଲହଡିରେ ମହେଶଙ୍କର ହୃଦୟ ଆଲୋଡ଼ିତ ହୋଇଉଠିଲା—

 

ମହେଶ—ବର୍ତ୍ତମାନ ଫେରିପାଇଚି ନିରୂ ।

 

—ନିରୂ ମହେଶଙ୍କର ଦ୍ଵିତୀୟ ପତ୍ନୀ । ହୃଦୟର ଦ୍ଵିତୀୟ ପୂଜାରିଣୀ । ଏକଥା ନିରୂ ଜାଣେ । ସ୍ୱାମୀଙ୍କ ନିକଟରେ ସ୍ଵାଭାବିକ ଅଭିଯୋଗ ରହିବା ସ୍ଵାଭାବିକ ।

 

ନିରୂ—କଥାରେ ଇମିତି ଠକିଲେ ଚଳିବ ।

 

ମହେଶ—ଜୀବନର ଅତୀତ କାହାଣୀ ଭୁଲି ଯିବାକୁ ପଡ଼ିବ, ନିରୂ । ବାସ୍ତବ ହିଁ ଆମର–ମୋର ଅତୀତକୁ ଚକଟିଲେ କେବଳ ବାହାରିବ ହଳାହଳ ।

 

ନିରୂ—ବର୍ତ୍ତମାନ ସେ କେଉଁଠି ?

 

ମହେଶ—କିଏ ? ବିନୀତା—

 

ନିରୂ—ହଁ—

 

ମହେଶ—ଛାଡ଼ ସେ କଥା । ତାର ଅତୀତ ସ୍ମୃତିରେ ମୁଁ ଶେଷ ଆହୁତି ଦେଇ ସାରିଛି । ବର୍ତ୍ତମାନ ସେ ଭ୍ରମିତ କପୋତୀ । ଜୀବନ ଥିଲା ସେ ମୋର ସଂସାରକୁ ନେଇ ବେଶ ଖେଳି ଜାଣି ପାରିଥିଲା । ପୁରୁଷ ହୃଦୟ ନେଇ ନାରୀ ଉପରେ ଆସ୍ଥା ରଖିଥିଲି । ସେଥିରେ ପୁଣି ଏପରି ବିଷ ମନ୍ଥନ ହେବ ବୋଲି କାହାର ବା ଆଶଙ୍କା ଥିଲା । ସେ ଚାହେଁ ସ୍ଵାଧୀନତା । ସେଥିରେ ମୋର କୌଣସି ଆପତ୍ତି ନଥିଲା । ସ୍ୱାଧୀନା କରିଥିଲି ! ସ୍ଵାଧୀନର ତୂରୀ ବଜାଇ ସ୍ଵେଚ୍ଛାଚାରିତାର ଧ୍ୱନି ଯେ ବାହାର କରିବ ତାହା ମୁଁ ଭାବିପାରି ନଥିଲି ! ବିବାହର ବର୍ଷେ ଖଣ୍ଡେ ପରେ ବିନୀତାକୁ ଦେଖିଲି, ତାର ଚାଲିଚଳଣୀ ଯେପରି ସ୍ଵଚ୍ଛନ୍ଦ, ଅସଂଲଗ୍ନ । ଶୁଣିଥିଲି । କିନ୍ତୁ ଚକ୍ଷୁକୁ ଉନ୍ମେଷ କରିଲା ସେଇ କେତୋଟି ଘଟଣା ।

 

—ପ୍ରଭାତ ବିହଗର କାକଳୀରେ ଦିଗନ୍ତ ମୁଖରିତ ହୋଇଉଠିଲା । ନିରୂର ଦୀର୍ଘନିଶ୍ଵାସ ମହେଶଙ୍କ ଗଣ୍ଡ ଉପରେ ବାଜିଚି—

 

ନିରୂ— ନୀରବ—

 

ମହେଶ— କିନ୍ତୁ ନିରୂ, ଆଧୁନିକ ଶିକ୍ଷିତା ଯୁବତୀକୁ ଧରି ମୁଁ ଯେଉଁ ସୁଖ-ସୌଧ ଗଢ଼ିବି ବୋଲି କଳ୍ପନା କରିଥିଲି, ବାସ୍ତବିକ୍ ସେ କେଡ଼େ ଭ୍ରାନ୍ତ ଧାରଣା ।

 

ଲଳିତାଦେବୀ— ମହେଶ—

 

—ନିରୂ ଚମକି ପଡ଼ି ପଣତ ପ୍ରାଞ୍ଚଳକୁ ବକ୍ଷ ଉପରେ ଘୋଡ଼ାଇ ଆଣିଲା—

 

ନିରୂ—ଏଇ, ମାଁ ଡାକୁଚନ୍ତି ।

 

ଲଳିତାଦେବୀ—ଏଇ ସକାଳ ପାସେଞ୍ଜର୍‍ରେ ଶିବ ଆସିଛି । ବୈଠକ ଖାନାରେ ତୋ ପାଇଁ ଅପେକ୍ଷା କରିଚି, ଥରେ ଦେଖିଆ—

 

ମହେଶ—ଶିବ ଆସିଛି ! ହଁ, ଯାଉଛି ।

 

ନିରୂ— ଶିବ କିଏ—

 

ମହେଶ— ପରେ ଜାଣିବ— ପ୍ରଥମେ ବଂଧୁଙ୍କ ପାଇଁ ଚା’ ପ୍ରସ୍ତୁତ କର ।

 

—ମହେଶ କକ୍ଷାନ୍ତରିତ ହେଲେ—

 

ମହେଶ—ଶିବ କରେ, ଏଡ଼େ ସକାଳୁ ।

 

ଶିବ—ହ୍ୟାଲୋ ମିଷ୍ଟର ପଲ୍ଲୀବାସୀ । କୋର୍ଟ ତ ଛୁଟି, ଇମିତି ଅଲକ୍ଷିତ ଭାବରେ ଚାଲି ଆସିଲି ।

 

ମହେଶ—ଆଉ କଟକର ନୂଆ ଖବର କ’ଣ ?

 

ଶିବ—ଆଉ ନୁଆଁ କଣ ? କାଲି ଶିବବାବୁ ପାସେଞ୍ଜର୍‍ରେ କଟକ ଛାଡ଼ିଲେ, ମହେଶବାବୁଙ୍କ ସହ ସାକ୍ଷାତ କରିବା ପାଇଁ ।

 

ମହେଶ— ‘ଅମୃତ ବଜାର ପତ୍ରିକା’କୁ ଏ ସମ୍ବାଦଟା ପଠାଇ ଦେଉନୁ ?

 

ଶିବ—ସେଇଆତ ଭାବୁଛି; କାଲି ଆଡ଼କୁ ଠିକ୍ କରିବା ।

 

ମହେଶ—ହାତରେ ସେ’ଟା କି ପୋଥି ମ ?

 

ଶିବ— ‘ସହକାର’ ।

 

ମହେଶ—କାଇଁ ଦେଖେତ ।

 

—ଶିବକୁମାର ପତ୍ରିକାଟାକୁ ବଢ଼ାଇ ଦେଲେ । ଅହେତୁକ ଭାବରେ ମହେଶ କେଇଟା ପୃଷ୍ଠା ଲେଉଟାଇଲା ବେଳକୁ ହଠାତ୍ ତାଙ୍କର ନଜର ପଡ଼ିଲା ବିନୀତାର ସମଲୋଚନା ପ୍ରତି । ସେ ଚମକି ଉଠିଲେ—

 

ମହେଶ— ‘ସମାଜରେ ନାରୀର ସ୍ଥାନ ପ୍ରବନ୍ଧର ସମାଲୋଚନା’—ଲେଖିକା ଶ୍ରୀମତୀ ବିନୀତାଲତାଦେବୀ— । ଦୀର୍ଘ ଦେଢ଼ ବର୍ଷ ପରେ ନିରୂପମା ଦେବୀଙ୍କ ପ୍ରବନ୍ଧ ଉପରେ ଦୋଷାରୋପ । ଏତ ସାହିତ୍ୟ କ୍ଷେତ୍ରରେ ନୂତନ ସୃଷ୍ଟି ।

 

ଶିବ—ମୁଁ ପଢ଼ିଛି; ସେ କେବଳ ଦ୍ଵେଷ ମୂଳକ ସମାଲୋଚନା ।

 

ମହେଶ—ବର୍ତ୍ତମାନ ବିନୀତା କେଉଁଠି ?

 

ଶିବ—ଏଇ ପନ୍ଦର ଦିନ ତଳେ କାଠଯୋଡ଼ି କୂଳରେ ତାଙ୍କର ଦର୍ଶନ ପ୍ରାପ୍ତ ହୋଇଥିଲା-। ସାଥିରେ ପୁଳିନ ନୁହେ— ଅନ୍ୟ ଜଣେ ।

 

ମହେଶ— ଅନ୍ୟଜଣେ । ସ୍ଵାଧୀନା ନାରୀତ ।

 

ଶିବ— ପ୍ରାୟ ବର୍ଷେ କାଳ କଲିକତାରେ ଅଧିବାସ କରି ବର୍ତ୍ତମାନ ବୋଧହୁଏ କଟକକୁ ଫେରିଛନ୍ତି, —ଅନ୍ୟ ଜଣକ ସାଥିରେ ।

 

ମହେଶ—ସେଥିର ଖବର ରଖିବା ପାଇଁ ମୁଁ ପ୍ରୟାସୀ ନୁହେ, ଶିବ ।

 

ଶିବ—ନିରୂପମା ଦେବୀଙ୍କ ଢଙ୍ଗ କିମିତି, ବେଶ୍‍ତ ।

 

ମହେଶ—ସେତ ପଲ୍ଲୀର ସରଳା । ତଥାପି ଶିକ୍ଷିତା, ଦୃଷ୍ଟିକୋଣ ଭିନ୍ନ । ଏଇ ଦଶ ମାସ ଭିତରେ ମୁଁ ଯେତେ ଦୂର ଅନୁମାନ କରିଛି ସେ ନିଜକୁ କେବଳ ଘର ଚାଳନାରେ ହିଁ ନିୟୋଜିତ କରି ଚାଲେ, ବିନୀତା ଭଳି ଦୂରଭିମାନୀ ସ୍ଵେଚ୍ଛାଚାରିଣୀ ନୁହେ । ଚା’ ଥଣ୍ଡା ହୋଇଯିବ–ଶୀଘ୍ର ସାରିଦେ । ଦାମା ନିରୂକୁ କହିଦେତ ।

 

—ଦାମା ହୁଁ ଟିଏ ମାରିଲା—

 

ମହେଶ—ଏଇଲାଗେ ନିରୂ ଆସୁ, ନାରୀ ସମ୍ବନ୍ଧରେ ତା’ର ଅଭିମତ ଶୁଣିବୁ । ସୁନ୍ଦର ତାର ତର୍ଜମା । ସେ ନାରୀ ବିଷୟରେ ଯୁକ୍ତି ସଙ୍ଗତ ଆଲୋଚନା ପଟୁତା ସହ କରି ଜାଣେ । ଚମତ୍କାର । ଇଂରେଜ ଲେଖକ ରସ୍‍କିନ୍ ଓ ନାଟ୍ୟକାର ସେକସ୍ପିଅରଙ୍କ ସାହିତ୍ୟ ସହିତ ନିଜମତକୁ ସମନ୍ଵୟ କରି ବେଶ୍ ଯୁକ୍ତି ବାଢ଼େ ।

 

ଶିବା— ସତେ—

 

—ନିଶୀଥ ଶାଢ଼ିକୁ ବଦଳାଇ ନିରୂପମା ବୈଠକ ଖାନା ପ୍ରବେଶ କଲା । ଗଭା ଉପରେ ମଉଳା ଯୂଥୀମାଳା । ପଥଦେଇ ଆସିଲାବେଳକୁ ଆଗତ ବଂଧୁ ଶିବକୁମାରଙ୍କ ଆଗରେ ପତିଙ୍କ ମୁଖରୁ ତାର ଶ୍ଳାଘ୍ୟ ବାଣୀ ସେ ଶୁଣି ପାରୁଥିଲା ।

 

ମହେଶ— ନିରୂ, ଏ ଶିବକୁମାର, ମୋର ସହପାଠୀ ଥିଲେ, ବେଶ୍ ହାସ୍ୟକର ବଂଧୁ ।

 

ନିରୂ— ନମସ୍କାର ।

 

ଶିବ— ନମସ୍କାର ।

 

—ମହେଶ ଉଦ୍‍ବେଗରେ କହି ଉଠିଲେ—

 

ମହେଶ— ବିନୀତା ତମ ପ୍ରବଂଧ ‘ସମାଜରେ ନାରୀର ସ୍ଥାନ’ ର ସମାଲୋଚନା କରିଛି-

 

ନିରୂ— ‘ସମାଜରେ ନାରୀର ସ୍ଥାନ’ । ଦେଢ଼ ବର୍ଷ ପରେ—

 

ମହେଶ— ଚମତ୍କାର, ନୁହେଁ ?

 

ଶିବ— ମହେଶ୍, ସେ କେବଳ ଚଂଚରୀଟ ସମାଲୋଚନା ମ–

 

ନିରୂ— ନାଇଁ, ସେମିତି କଥାକୁ ମୁଁ ଧରେନି । କିନ୍ତୁ ଦେଢ଼ ବର୍ଷପରେ ପ୍ରବନ୍ଧ ଉପରେ ଦୃଷ୍ଟିପାତ କରିଚନ୍ତି ।

 

—ନିରୂପମା ମଥାପୋତି ଏତିକି କହିଲା—

 

ଶିବା— ସେଥିର ସମାଲୋଚନା ଖଣ୍ଡେ ଆପଣ ଲେଖି ପଠାଇ ଦିଅନ୍ତୁ ।

 

ନିରୂ— ଏ ବୃଥା ଦଳାଦଳିର ପ୍ରୟୋଜନ ବା କଣ ? ସେ ନାରୀ ପକ୍ଷରୁ ସମର୍ଥନ କରିବେ ଏକଥା ମୁଁ ଜାଣେ । ସେତ ସ୍ଵାଧୀନା । ମୁକ୍ତମାର୍ଗକୁ ବରି ନେଇଚନ୍ତି । କିନ୍ତୁ ସେ ଯାହା ଲେଖନ୍ତୁ; ପୁରୁଷ ସେ କାର୍ଯ୍ୟ କ୍ଷେତ୍ରରେ ଉତ୍ସାହ-ଦାତା, ପ୍ରଧାବକ ଓ ରକ୍ଷକ, ଆଉ ନାରୀ ପ୍ରରୋଚକ, ପାଳନଶୀଳା ଓ ପ୍ରଦର୍ଶିକା— ଏଥିରେ କଣ ମତ ରହିପାରେ ? ତେବେ ପୁରୁଷଠାରେ କେତେକ ଗୁଣର ଅଭାବ ପୁଣି ନାରୀଠାରେ ଅନ୍ୟ କେତେକର ଅଭାବ ପରିଲକ୍ଷିତ ହୁଏ; ଏ ଦୁହିଁଙ୍କ ଉପଯୁକ୍ତ ମିଳନ— ସଂଯୋଗହିଁ ଦେଶୋନ୍ନତିର କାରଣ । ଆଧୁନିକା ନାରୀର ଇପ୍ସିତ ସ୍ଵାଧୀନତା ତ ଠିକ୍ ସ୍ଵାଧୀନତା ନୁହେ—ତାହା ହିମକାସ୍ତୃତ ଅବୋଧ୍ୟ । ବିନୀତାଦେବୀଙ୍କଠିତ ସମସ୍ତ ଗୁଣ ଉଦ୍‍ଭାସିତ ହୋଇପାରେନା । ବ୍ରୂଟସ୍‍ଙ୍କ ପତ୍ନୀ ପୋଷୀୟାଙ୍କଠାରୁ ଧୈର୍ଯ୍ୟ, ସହିଷ୍ଣୁତା, ସମୀକ୍ଷାପ୍ରବୀଣତା ଆମର କଣ ଅଧିକ ? ଜାନୁ ଉପରେ ଛୁରିକା ବିଦ୍ଧ କରି, ସହିଷ୍ଣୁତାର ଚୂଡ଼ାନ୍ତ ନିଦର୍ଶନ ଦେଇ, ସ୍ଵାମୀଙ୍କ ଠାରୁ କେତେକ ରହସ୍ୟ ଶୁଣିବାର ଅଧିକାର ପାଇଥିଲେ । ତଥାପି ପରିଶେଷରେ ନାରୀ ସୁଲଭ ଦୁର୍ବଳତାର ଆଘାତରେ ଅସ୍ଥିର ଚିତ୍ତ ହୋଇ ଅଗ୍ନି, ପିଣ୍ଡୁଳା ଗିଳି, ପ୍ରାଣ ହରାଇଲେ । ଏଇତ ନାରୀର ଦୁର୍ବଳତା ।

 

—ଶିବକୁମାର ତାଙ୍କର ହାସ୍ୟ ସୁଲଭ ପ୍ରକୃତି ଫୁଟାଇ କହିଲେ—

 

ଶିବ— ଆପଣଙ୍କ ମତ ବୁଝିପାରିଲି ତଥାପି ସଂକ୍ଷିପ୍ତ ।

 

—ନିରୂପମା ଅନ୍ୟ କୌଣସି ବ୍ୟାଖ୍ୟାକଲା ନାହିଁ । ମଥାପୋତି ନୀରବ ରହିଲା—

 

—ସୂର୍ଯ୍ୟ ଆକାଶର ଗଣ୍ଡ ଉପରକୁ ଉଠି ଯାଇଥିଲେ । ଶୀତଋତୁର ଜଡ଼ିତ ରଶ୍ମି, ସମୀପସ୍ଥ ବଗିଚାର ସ୍ଥାବର ଉପରେ କଂପନ ଆଣି ଦେଇଥିଲା ।

 

ମହେଶ— ଆଚ୍ଛା, ପରେ ସେସବୁ ବିଷୟ । ସାଢ଼େ ନ’ ବାଜିଲାଣି । ଗାଧୁଆ ପାଧୁଆ କର ।

 

-ଚାରି-

 

—ବିନୀତା ସାଂଘାତିକ ରୋଗରେ ଶଯ୍ୟାଶାୟିତା । ଦୁଇ ମାସ ଅତିବାହିତ ହୋଇଗଲାଣି । ଡାକ୍ତରୀ ଚିକିତ୍ସା ନିୟମିତ ଭାବରେ ଚାଲିଛି । ତଥାପି ସ୍ଵାସ୍ଥ୍ୟ ଫେରି ପାଇବାର ଆଶା କ୍ଷୀଣ । ମଦନବାବୁ ବିନୀତାର ପିତା, ନିକଟରେ ରହି ଶୁଶ୍ରୂଷା କରନ୍ତି—

 

—ସଂଲଗ୍ନ କକ୍ଷଟିରେ ଡାକ୍ତର ଏବଂ ମଦନବାବୁ—

 

ମଦନ— ଡାକ୍ତରବାବୁ, ତେବେ ରୋଗଟା ସାଂଘାତିକ ?

 

ଡାକ୍ତର— ସାଂଘାତିକ ଭଳି ଜଣାଯାଉଛି । ରୋଗଟା କ୍ରିନିକ୍ ହୋଇଗଲାଣି । ନୂଆଁ ନୂଆଁରେ ବ୍ୟବସ୍ଥା କରିଥାନ୍ତେ, ଭଲ ହୁଅନ୍ତା । ନିୟମିତ ଚିକିତ୍ସା ଆବଶ୍ୟକ । ମୁଁ ଯଥାସାଧ୍ୟ ଚେଷ୍ଟା କରୁଛି । ଦେଖାଯାଉ, ଏତ ଫେର୍ ଗୋଟାଏ ଭାଗ୍ୟ ପରୀକ୍ଷା ।

 

ମଦନ— ତେବେ କୌଣସି ସମ୍ଭାବନା ନାହିଁ ?

 

—ମଦନବାବୁଙ୍କର ଏପରି କାକୁତି ଦେଖି ଡାକ୍ତରଙ୍କର ହୃଦୟ ଆର୍ଦ୍ର ହୋଇ ଉଠିଲା—

 

ଡାକ୍ତର— ମଦନବାବୁ, ଆପଣତ ନିଜେ ରୋଗୀର ପିତା । ଚିକିତ୍ସା କରିବାରେ ତିଳେ ସୁଦ୍ଧା ଅବହେଳା ଦେଖି ପାରିଚନ୍ତି ?

 

ମଦନ— ମୁଁ ତାହା ଜାଣେ । କିନ୍ତୁ ଗୋଟିଏ ବୋଲି ଝିଅ । ମାତ ଚଉଦ ବର୍ଷରେ ଆଖି ମୁଦିଲା । ଭାବିଥିଲି ଗୋଟାଏ ଯୋଗ୍ୟ ପାତ୍ର ସାଥିରେ ବିବାହକରି ନିଶ୍ଚିନ୍ତ ହେବି । ଦେଖି ଦେଖି କଟକର ଓକିଲବାବୁ ମହେଶ ସାଥିରେ ବିବାହ ମଧ୍ୟ କରିଦେଲି । କିନ୍ତୁ ବିବାହର ଦେଢ଼ ବର୍ଷ ପରେ ମହେଶ ବିନୀତାକୁ ପରିତ୍ୟାଗ କଲେ । ଶେଷରେ ଏଇ ବେମାରରେ ଆଣିଛି କଲିକତା ।

 

ଡାକ୍ତର— ଆପଣ ହତାଶ ହୁଅନ୍ତୁ ନାହିଁ, ମଦନବାବୁ; ଧୈର୍ଯ୍ୟ ଧରନ୍ତୁ, ସେ ସବୁ ନିୟତିର କଥା ।

 

—ସଂଲଗ୍ନ କକ୍ଷରୁ ରୋଗୀର ଯନ୍ତ୍ରଣା ଦାୟକ କାଶ ଶବ୍ଦ ସଙ୍ଗେ କ୍ଳେଶର ଅଭିବ୍ୟକ୍ତି ଶୁଣାଗଲା—

 

ମଦନ— ଏଇ ବିନୀତା ଉଠିଲାଣି; ଚାଲନ୍ତୁ ଥରେ ଦେଖି ଆସିବେ ।

 

—ଦୁହେଁ କକ୍ଷ ପ୍ରବେଶ କଲେ । ଛୋଟ ଶଯ୍ୟାଟି ଉପରେ ବିନୀତା । ତନୁ ଶୀର୍ଣ୍ଣ ଭଜିଗଲାଣି । ଚକ୍ଷୁ ଦୁଇଟିର ଜ୍ୟୋତି ନିଷ୍ପଭ, ମଳିନ । ଓଷ୍ଠ ଉପରେ କେତୋଟି ଆକୁଞ୍ଚିତ ଶୁଷ୍କ ରେଖା । ଦୁଇଟି ବାହୁ—କୃଶ ।

 

ବିନୀତା— ସେ ଆସି ନାହାନ୍ତି—

 

ମଦନ— ମହେଶ— ସେତ ବର୍ତ୍ତମାନ ତା’ଙ୍କ ଗାଁରେ; ତାର କ’ଣ ଦେବି ?

 

ବିନୀତା— ହଁ । ‘ବର୍ତ୍ତମାନ ମୁଁ ମୃତ୍ୟୁଶଯ୍ୟାରେ; ଏଇ ମୋର ଶେଷ ଅନୁରୋଧ, ଥରେ ଦେଖିଯିବେ ।’

 

ଡାକ୍ତର— ମଦନବାବୁ ଆପଣଙ୍କ ଜାମତାଙ୍କ ନାମ ମହେଶଚନ୍ଦ୍ର ଦାଶ ?

 

ମଦନ— ହଁ—

 

ଡାକ୍ତର— ବୋଧହୁଏ ବର୍ତ୍ତମାନ ସେ କଲିକତାରେ ଅବସ୍ଥାନ କରନ୍ତି । ତେବେ ସେ କି ନୁହେଁ, ଠିକ୍ ଭାବେ କହି ହେବନି; ଯାହାହେଉ ଥରେ ଫୋନ୍ କରି ବୁଝନ୍ତୁନା, —ନମ୍ବର ୪୩ କୁ ।

 

—କ୍ଷଣକାଳ ବିତି ଯାଇଚି । ମଦନବାବୁ ଫୋନ୍ ଦେଇ ପୁନରପି କକ୍ଷ ପ୍ରବେଶ କଲେ–

 

ମଦନ— ବିନୀତା, ମହେଶ ଏଇଠି ଅଛନ୍ତି । ଶୀଘ୍ର ଆସିବା ପାଇଁ କହିଲି ।

 

—ବିନୀତାର ହୃତ୍‍ପିଣ୍ଡ ଭିତରେ ଯେଉଁ କ୍ଷୀଣ ନିଶ୍ଵାସ କ୍ଷୀଣତର ହୋଇ ଆସୁଥିଲା ତାହା ସ୍ୱାମୀଙ୍କର ଆଗତ ବାର୍ତ୍ତାରେ ସଂଚରି ଉଠିଲା–

 

ବିନୀତା— ଅଛନ୍ତି ! ତେବେ ଫେର୍ ଫୋନରେ କହିଦିଅ— ନିରୂ ଯଦି ଆସିଥାଏ ତେବେ ତାକୁ ବି ସାଥିରେ ଧରି ଆସିବେ ।

 

ଡାକ୍ତର— ଏଇ — ଔଷଧ—

 

—ଜୀବନ ପ୍ରତି ସେତେବେଳକୁ ବିନୀତାର ଯେପରି ଏକ ଘୃଣା ଭାବ ଆସି ଯାଇଚି—

 

ବିନୀତା— ଡାକ୍ତରବାବୁ, ଔଷଧ ବା ଦେଉଛନ୍ତି କାହିଁକି ? ବଞ୍ଚିବାର ଆଶା କଣ ଅଛି-?

 

ଡାକ୍ତର— ଅଧୈର୍ଯ୍ୟର କାରଣ କିଛି ନାହିଁ । ତମେ ଔଷଧ ସେବାକର ।

 

ବିନୀତା— ହେଉ—

 

—ଏତିକି କହି ବିନୀତା ଔଷଧ ବଢ଼ାଇ ନେଲା । ଜୀବନର ଶତ କ୍ଷ୍ଵେଡ ମଧ୍ୟରେ ଏ ଯେପରି ଅନ୍ୟତମ ହଳାହଳ । କି ଯନ୍ତ୍ରଣାମୟ ସେ ଅତୀତ । ତାଠୁଁ କି ଏହା ମଧୁରମୟ ନୁହେ ? ଔଷଧର ବିନିମୟରେ ସେ ସ୍ଵାସ୍ଥ୍ୟ ଫେରି ପାଇ ପୁଣି ସେଇ ଅତୀତକୁ ଚାଲିଯିବ !!! ସେ ଔଷଧ ସେବନ କଲା । ତିକ୍ତ ସେ ଔଷଧ । ଆଉନ୍‍ସ ଗ୍ଲାସଟି ତଳେ ପଡ଼ିଯାଇ ଝନ୍ ଝନ୍‍ ଶବ୍ଦ ଦେଲା—

 

—ମଦନବାବୁ, ନିରୂପମା ଓ ମହେଶ ପ୍ରବେଶ କଲେ-

 

ମଦନ— ବିନୀତା, ଏଇ ମହେଶ—

 

—ମୁଦ୍ରିତ ଦୁଇ ଶୁକ୍ଲୀକୃତ ନୟନ ମେଲି ବିନୀତା ମହେଶ ଦିଗେ ଅନାଇଲା—

 

ବିନୀତା— ଆପଣ —

—ଅଧରର ଶୀର୍ଣ୍ଣ ପ୍ରାନ୍ତ ଦୁଇଟି କ୍ଷୀଣ ଭାବରେ ଥରି ଉଠିଲା—

ମହେଶ— ତମେ କଥା କହନା’, ଶୋଇପଡ଼ । ସ୍ୱାସ୍ଥ୍ୟ ଭଲ ହେବା ପରେ କଥା ହେବା-

ବିନୀତା— ଭଉଣୀ, ତୁ—

—ଧୂସରହସ୍ତ ଦୁଇଟିକୁ ବିନୀତା ନିରୂପମା ଦିଗେ ପ୍ରସାରିତ କଲା—

ମହେଶ— କଥା କହିବାକୁ ଚେଷ୍ଟା କରନା, ବିନୀତା । ଅଳ୍ପ ନୀରବ ରହ ।

—ବିନୀତାର ଅଧର ପ୍ରାନ୍ତରେ ଏକ ଇଷିତ୍ ହାସ୍ୟ ରେଖା ଖେଳିଗଲା—

ବିନୀତା— ଗୋଟାଏ ଅନ୍ଧକାରମୟ ରାଜ୍ୟ ମୋ ପାଖକୁ ଯେପରି ଘୁଞ୍ଚି ଘୁଞ୍ଚି ଆସୁଛି । ଅତୀତର ଅବସଂଭାବୀ ଆଲୋକରେ ଆହୁତି ଦେଇ ବର୍ତ୍ତମାନ ଯେ ଘନ ତିମିରାଚ୍ଛନ୍ନ ତାହା ଜାଣି ପାରିଲି । ଅତୀତର ଉଦ୍ଦୀପନାରେ ଆଜିର ଏ ଅନ୍ତିମ ସ୍ୱାହା କେଡ଼େ ମଧୁର । ସ୍ଵାଧୀନତାର ଭୁଜଙ୍ଗ ଫଣା ତଳେ ଆଜିର ଏ ସର୍ପ ଦଂଶନ କେଡ଼େ ଆନନ୍ଦ ଦାୟକ । ଆଜି ମୁଁ ସେଇ ଆନନ୍ଦ ଚାହେଁ । ଆଉ ସମୟ ଯେ ନାହିଁ । ତେବେ ଯିବା ଆଗରୁ— ଆପଣ ମତେ କ୍ଷମା ଦେଇଛନ୍ତି ?

ମହେଶ— ତମେତ କିଛି ଅପରାଧ କରିନାହିଁ, ବିନୀତା । ତେବେ ମନୁଷ୍ୟ ଘଟଣା ବିହ୍ଵରେ ଛନ୍ଦିତ ରହି ସଂସାର ପଥରୁ ତାର ପଦ ସ୍ଫଳନ ହୋଇଥାଏ । ସେ କଥା ଛାଡ଼ । ଯଦି ତମେ ସେପରି କିଛି କରିଥାଅ, ତେବେ କ୍ଷମା ନେଇଛ ।

 

—ବିନୀତା ମୃତ୍ୟୁଶଯ୍ୟାରେ ମଧ୍ୟ ସ୍ୱାମୀଙ୍କର ହୃଦୟର କରୁଣାଟିକକୁ ପାଇ ପାରିଲା ନାହିଁ । ସେ ଅଳ୍ପ ଉତ୍ତେଜିତ ହୋଇପଡ଼ିଲା—

 

ବିନୀତା— ଭଉଣୀ ନିରୂ, ମୁଁ ସ୍ଵାଧୀନା ନାରୀ ନୁହେ, ସ୍ଵେଚ୍ଛାଚାରିଣୀ । ମୃତ୍ୟୁଶଯ୍ୟାରେ ମଧ୍ୟ ପତିଙ୍କ ଠାରୁ କ୍ଷମା ପାଇ ପାରିଲି ନାହିଁ ! ପାଇବି ବ । କେଉଁଠ । ପାଇବା ପାଇଁ ସେଇ ହୃଦୟକୁ ମୁଁ ମୋର ଏଇ ନିଜ ହାତ ଘେନି ଚୁରମାର କରି ସାରିଚି । ଆଜି ଜଣେ ଶତାଦ୍ଦୀ ଗର୍ବିତା, ଅଶାନ୍ତ ବିଦ୍ରୋହୀଣୀ ଦୁନିଆରୁ ବିଦାୟ ନେଇ ଯାଉଛି । ଏଇ ଧରଣୀରେ ବଞ୍ଚି ରହିବା ପାଇଁ ତାର ଯେଉଁ ଜିଗୀସାଉତ୍ସ ବେଗବତୀ ଗତିରେ ଖାଲ-ଢେପ ନମାନି ଅବବାହିକା ଭୂମିକୁ ପରିପ୍ଳାବିତ କରି ଅବାଧରେ ଧାଇଁ ଚାଲିଥିଲା ତାହା ହୃଦୟ କନ୍ଦରରେ ଅବଲୁପ୍ତ ହୋଇଯାଇଚି । ସେ ବନ୍ୟା ଆଉନାହିଁ । ତୁ ସ୍ଵାଧୀନା, ମୁଁ ନୁହେ— ତୁ ପତି ହୃଦୟକୁ ରଞ୍ଜାଇ ପାରିଚୁ ।

 

—ନିରୂ ସେଇଠି ନାରୀ ହୃଦୟକୁ ନେଇ ଠିଆ ହୋଇଥିଲା । ତାର ଚକ୍ଷୁ ଦେଇ ଅଶ୍ରୁ ବିଗଳିତ ହୋଇ ଆସିଲା—

 

ନିରୂ— ଟିକିଏ ତୁନି ହୁଅ, ଅପା ।

 

—ବିନିତାର ଦୁଇଟି ଜ୍ୟୋତିହୀନ କରୁଣ ଚକ୍ଷୁ ମହେଶଙ୍କ ଦିଗେ ଅପସରି ଗଲା—

 

ବିନୀତା— କ୍ଷମାର ସଲିଳ ତଳେ ଆଜି ମୁକ୍ତି ମାଗେ ।

 

—ମହେଶ ବିନୀତାର ଶଯ୍ୟା ସମୀପକୁ ପାଖେଇ ଗଲେ । ଦୁଇ ଚକ୍ଷୁ ଅଶ୍ରୁ, ଛଳ ଛଳ ହୋଇ ଆସିଥିଲା—

 

—ବିନୀତା ମହେଶଙ୍କ ହାତ ଭିତରେ ନିଜର ହାତକୁ ଜଡ଼ାଇ ଆଣିଚି—

 

—ବାହାରେ ଝଡ଼ ପବନ ଉପରେ ବତାସ-ପକ୍ଷ ପିଟି ଚାଲିଥିଲା—

 

୧୯୪୬

Image

 

ନଷ୍ଟନୀଡ

 

ବିଜୟନଗର ସଙ୍ଗୀତ କଲେଜରେ ‘ସଙ୍ଗୀତର ସ୍ୱରୂପ' ବିଷୟ ନେଇ ବକ୍ତୃତା ଦେବାପାଇଁ ଅଧ୍ୟାପକ ଅଜୟଙ୍କୁ ଯେଉଁ ନିମନ୍ତ୍ରଣ ଆସିଥିଲା ସେଇ ଅନୁରୋଧ ରକ୍ଷାକରି ସେ ଯାଇଥିଲେ ବିଜୟନଗର । ସେଦିନ ନିମନ୍ତ୍ରିତ ବକ୍ତା ଚାରିଜଣ । ସଙ୍ଗୀତର ବହୁମୁଖୀ ବିଷୟ ନେଇ ଆଲୋଚନା କରିବେ ।

 

ସଭାପତି ଶ୍ରୀଯୁକ୍ତ ରାମସ୍ଵାମୀ ମୁଦିଲିଆର, ଜଣେ ଲବ୍‍ଧ ପ୍ରତିଷ୍ଠ ସଙ୍ଗୀତଜ୍ଞ ଏବଂ ଧୁରନ୍ଧର ଗବେଷକ । ଦକ୍ଷିଣରେ ତାଙ୍କର ପ୍ରତିପତ୍ତି ଅସାମାନ୍ୟ ବୋଲି କହିଲେ ଚଳେ । ଲୋକେ କହନ୍ତି, ଶ୍ରୀଯୁକ୍ତ ରାମସ୍ଵାମୀ ସଙ୍ଗୀତ ଶାସ୍ତ୍ରର ବେଦ, ‘ମ୍ୟୁଜିକ୍-ଆଥାରିଟି' ।

 

ବିଚିତ୍ର ତୋରଣ-ମାଳାରେ ସଭାମଣ୍ଡପ ସଜ୍ଜିତ ହୋଇଥିଲା । ପ୍ରଥମ ଦିନ । ଇମିତି ସାତ ଦିନ ଯାଏଁ ସଭା ଚଳିବ । ପ୍ରତ୍ୟହ ପୃଥକ୍ ପୃଥକ୍ ବିବୁଧ ସଭାପତି ଆସନ ଅଳଂକୃତ କରିବେ-। ସଙ୍ଗୀତ ସାପ୍ତାହିକ ।

 

ସାୟନ୍ତନୀ ସୂର୍ଯ୍ୟର ସମାପ୍ତ କିରଣ ସଭାମଣ୍ଡପକୁ ଆଲୋକିତ କରି ଦେଇଥାଏ । ଆହ୍ଵାନ-ସଙ୍ଗୀତ ଗାନ ପରେ ଶ୍ରୀଯୁକ୍ତ ରାମସ୍ଵାମୀ ସଭାପତି ଆସନ ଅଳଂକୃତ କଲେ ।

 

ବନ୍ଦନା-ଗୀତିକା ଗାନ କରି କୁମାରୀ ପ୍ରେମଲତା ସଭାପତିଙ୍କ ଗଳାରେ ମାଲ୍ୟର୍ପଣ କଲେ । ସମବେତ ଜନତା ମଧ୍ୟରୁ ବାଜି ଉଠିଲା ଘନ ଘନ କରତାଳି ।

 

କ୍ଷଣକାଳ ବିବିଧ ବାଦ୍ୟଯନ୍ତ୍ର ସମେତ ଛାତ୍ର-ଛାତ୍ରୀଙ୍କ ମନ୍ଦରୋଦାତ୍ତ କଣ୍ଠ-ସ୍ଵର ସେହି ସଭା ନିଳୟକୁ ସଙ୍ଗୀତମୟ କରି ତୋଳି ଧରିଲା ।

 

ବକ୍ତୃତା ପ୍ରାରମ୍ଭ ହୋଇଛି ।

 

‘ପ୍ରାଚ୍ୟ ଓ ପଶ୍ଚାତ୍ୟ ସଙ୍ଗୀତର ଚିନ୍ତାଧାରା’ ମହୀଶୂର ବିଶ୍ଵବିଦ୍ୟାଳୟର ଅଧ୍ୟାପକ ଶ୍ରୀଯୁକ୍ତ ଚୋଡାପ୍‌ପା ଦେଉଥାନ୍ତି ବାଗ୍‌ବିନ୍ୟାସ—ତାଙ୍କର ଅନର୍ଗଳ ଭାଷାରେ ।

 

ଭଦ୍ରତାକୁ ବ୍ୟତିକ୍ରମ କରି ଅଜ୍ଞାତ ଭାବରେ ଅଜୟଙ୍କ ଚକ୍ଷୁ ଢଳି ପଡ଼ିଥିଲା ମହିଳାସନ ଦିଗକୁ । ବକ୍ତୃତାର ପ୍ରକାଶ ଶୈଳୀକୁ ଗ୍ରହଣ କରି ଅଲକ୍ଷିତ ଭାବରେ ସେ ଚାହିଁ ରହିଥାନ୍ତି— ସେହିଆଡ଼େ, କୌଣସି ମୋହ କିମ୍ବା ଆଶା ନରଖି ।

 

ଅଲକ୍ଷତା ଭାଜିଗଲା । ଦେଖିଲେ, ସେ ଜଣେ ଆସନ୍ନ ଯୌବନା-ତରୁଣୀ । ତଥାପି ଦେଖିବାର ବିଷୟ ବସ୍ତ ତା’ଠାରେ ଯାହା କିଛି ଅବା ଅଛି, ସେସବୁ ଯେପରି ମ୍ରିୟମାଣ ହୋଇଯାଇଛି, ଅତି ନିର୍ମମ ଭାବରେ । ଯୌବନ କଳାପୂର୍ଣ୍ଣ ଅଥଚ ନିଷ୍ପ୍ରଭ । ସେଥିର ଉପଭୋଗ୍ୟ ସରସ ସାମଗ୍ରୀ ଯେପରି ନୀରସ ହୋଇଯାଇଛି ।

 

ଶ୍ରୀଯୁକ୍ତ ଚୋଡାପ୍‌ପା ନିଜ ବକ୍ତୃତା ଶେଷ କରିଛନ୍ତି । ଅଜୟଙ୍କ ଚିନ୍ତାଧାରାରେ ବାଧାଦେଇ ବାଜି ଉଠିଲା ଘନ ଘନ କରତାଳି ।

 

ଏଥର ଆହ୍ଵାନ ଆସିଲା ଅଧ୍ୟାପକ ଅଜୟଙ୍କୁ—

ପ୍ରୌଢ଼ ପ୍ରବୀଣ ବକ୍ତାମାନଙ୍କର ବକ୍ତୃତା ପରେ ଜଣେ ଅନୁନଭବୀ ତରୁଣ ସୁବିରାଟ ସଭାପୀଠ ଉପରେ ଠିଆହୋଇ ବକ୍ତୃତା କିପରିବା କହିବେ ସେ ସଂଶୟ କ୍ଷଣକାଳ ଯାଏ ତାଙ୍କର ମନରେ ଦୋସନ୍ଧି ସୃଷ୍ଟି କଲା । ତଥାପି କର୍ତ୍ତବ୍ୟ ଅନୁରୋଧରେ ସଭାବେଦୀ ଉପରେ ଠିଆ ହୋଇ ବିରାଟ ଜନତା ପ୍ରତି ଦୃଷ୍ଟିପାତ କରି ସେ ବକ୍ତବ୍ୟ ଆରମ୍ଭ କରିଦେଲେ ।

ଚିନ୍ତାକରି ଧୀରେ ଧୀରେ ବକ୍ତୃତା କହିବା ତାଙ୍କର ଏକ ସାଧାରଣ ଅଭ୍ୟାସ । ସେ ତାହାହିଁ କଲେ, ଅଥଚ ବକ୍ତୃତାଟି ଅତି ଉପାଦେୟ ଓ ଭାବ ବ୍ୟଞ୍ଜକ ଥିଲା ।

ବକ୍ତୃତା ସମାପନ କରି ସେ ସ୍ଵସ୍ଥାନକୁ ଫେରି ଆସିଲେ । ତହୁଁ ‘ନାଦର ବ୍ୟୁତ୍ପତ୍ତି’ ବିଷୟ ନେଇ ଆଲୋଚନା ଆରମ୍ଭ କଲେ ଶ୍ରୀଯୁକ୍ତ କ୍ରିଷ୍ଣନ ।

ସ୍ଵେଦସିକ୍ତ କ୍ଳାନ୍ତ ତନୁରେ କିଞ୍ଚିତ ଆରାମ ଆଣିବା ପାଇଁ ନିକଟସ୍ଥ ମୁକ୍ତପ୍ରାନ୍ତର ସ୍ଥିତ ଉଦ୍ୟାନ ଭିତରକୁ ଚାଲିଲେ । ବିଜନ ସ୍ଥାନ । ଚତୁର୍ପାଶ୍ଵରେ ସୁରଭିତ ତରୁଲତାର ଛନ୍ଦିତ ବେଷ୍ଟନୀ । ନୀଳ ଗଗନରେ ରମଣୀୟ ଢଳଢ଼ଳ ଚନ୍ଦ୍ରମା ବିଶ୍ୱବକ୍ଷ ଉପରେ ଢାଳି ଦେଇଥାଏ ତାର ନିଟୋଳ ତନୁପଦ୍ମକୁ ।

ଡିବାରୁ ଖଣ୍ଡିଏ ପାନ ବାହାର କରିବା ମଧ୍ୟରେ ଦେଖିଲେ କେହି ଜଣେ ଆସି ତାଙ୍କର ପାଦ ଛୁଇଁ ପ୍ରଣାମ କରି ସାରିଛି । ହଠାତ୍ ଚିହ୍ନି ପାରିଲେ ନାହିଁ । ସଂକୋଚରେ ସେ କହିଲା, ‘ପାଶୋରି ଗଲେ, ମୁଁ ବୀଥି—’

‘ବୀଥି !’

‘ହଁ’

‘ଏଇଠି କ’ଣ କରୁଛୁ ?’

‘ପଢ଼ୁଛି’

ସ୍ମୃତି-ପୃଷ୍ଠା ଉଦ୍‌ଘାଟିତ ହୋଇଗଲା । ବୀଥି–ସେ ତାଙ୍କର ପ୍ରିୟ ଛାତ୍ରୀ ।

ସେଇ ବୀଥି— ତାର ଶୀର୍ଣ୍ଣ ତନୁର ଯୌବନ ରୂପ-ରସ କୁଆଡ଼େ ଗଲା । ବେଶ-ଭୂଷା ହୀନ । ନିହାତି ମାମୁଲି ଧରଣର ଶାଢ଼ି ବେହରଣ କରି ଆସିଚି । ବୋଧହୁଏ ଆନ୍ଧ୍ର ଦେଶର ବେଶ ପରିପାଟୀ ଅନୁକରଣ କରି ବୀଥି ଇମିତି ନିକାଞ୍ଚନ ରୂପ ଧାରଣ କରିବାକୁ ପଡ଼ିଲା ।

‘ସମସ୍ତେ ଭଲ ଅଛ ?’

ବୀଥିର ଚକ୍ଷୁ କୁବଳୟରୁ ଅଶ୍ରୁଝରଣା ଫିଟିପଡ଼ିଲା, ‘କେହି ନାହାନ୍ତି—’

ସ୍ଵପ୍ନ ନା ସତ୍ୟ, ସେ କିଛି ଠିକ୍ କରିପାରିଲେ ନାହିଁ ‘କେହି ନାହାନ୍ତି ?’

ବୀଥି କିଛି କହିପାରିଲା ନାହିଁ । ତାର ମୁଖମଣ୍ଡଳରେ ଅକଳନ ଖେଦର ଛାୟା ପ୍ରତିବିମ୍ଵିତ ହେଲା । ଦେଖାଗଲା, ସେ ଯେପରି ଦୁନିଆରେ ବ୍ୟର୍ଥତାର ତାଡ଼ନା ସହ୍ୟ କରିବାକୁ ବଞ୍ଚିରହିଛି । ଆଶ୍ଵସନାର ପଦେ କଥା କହି ତାର ସର୍ବସ୍ଵାନ୍ତ ମନକୁ ସାନ୍ତ୍ୱନା ଦେବା ପାଇଁ ଏଇ ସଂସାରରେ ଆପଣାର ହୋଇ କେହି ନାହାନ୍ତି । ସେ ଏକାକିନୀ—ଯାତ୍ରାପଥରେ ଚାଲିଚି ।

 

ଅଶ୍ରୁଳ ନୟନକୁ ପୋଛୁ ପୋଛୁ ସେ କହିଲା, ବଞ୍ଚିରହିବାର ଆଶା ମୋର ତିଳେ ସୁଦ୍ଧା ନାହିଁ । ତଥାପି ବଞ୍ଚିରହିଚି; ଜୀବନ୍ତ-ମରଣ, ମୋର ନିୟତି’

 

ଅଜୟ ଭାବପ୍ରବଣ ଅଧ୍ୟାପକ । ଅପର ଅଶ୍ରୁ ଦେଖି ନିଜର ଅଶ୍ରୁ, ସମ୍ବରଣ କରି ପକାନ୍ତି-। ସ୍ମୃତି-ପଟରେ ଜାଗରୁକ ହେଲା ସେଇ ଛ ବର୍ଷ ତଳର କଥା— ସେ ଯେତେବେଳେ ଦଶବର୍ଷର ପିଲାଟି ହୋଇ ତାଙ୍କର ନିବିଡ ସ୍ନେହ ପାଉଥିଲା—

 

ସ୍ମୃତିର ତଡ଼ନାରେ ତାଙ୍କର ଚକ୍ଷୁ ସଜଳ ହୋଇ ଆସିଲା । ହୃଦୟରେ ସେହି କ୍ଷୁଦ୍ର ସଂସାରର ଚିତ୍ର–ଯେପରି ତାହା ସଦ୍ୟ, ଜୀବନ୍ତ—

 

ସେଇଠି, ସେଇ ବିବାହ-ବେଦୀ ଉପରେ ବୀଥି ଜୀବନର ଭବିତବ୍ୟ-ଅନ୍ଧକାରର ମୂଳପତ୍ତନ ହୋଇଥିଲା ।

 

ସେତେବେଳକୁ ବୀଥିର ଜୀବନକୁ ସ୍ପର୍ଶ କରିଥିଲା ଦଶଟି ବସନ୍ତର ମଳୟ ସମୀରଣ । କିନ୍ତୁ ବସନ୍ତ-ଶୋଭା ଶିରୀର ଉପଭୋଗ ସମ୍ଭାର ଅନୁଭନ କରିନଥିଲା । ତା’ର ଦର ବିକଚ ନୟନ-ପଦ-ଯୁଗଳରେ ଆହୁରି ଶାଣିତ ବିଶିଖର ନୃତ୍ୟ ଶିଖାଇ ନଥିଲା । ରାତିରେ ମଦ-ଦ୍ଵିରଦର ମଂଥରତା ଆହୁରି ପ୍ରବେଶ କରି ନଥିଲା, ଆଳାପରେ ପ୍ରଣୟ-ପାଟବ ଫୁଟି ନଥିଲା । ସେ ଥିଲା ସରଳା, ଅମାୟିକା । ଇମିତି ଅବସ୍ଥାରେ ମଦନବାବୁ କହିଲେ, ‘ କିଶୋର ବୀଥିର ଯୋଗ୍ୟ ପାତ୍ର । ଧନବନ୍ତ ଘରର ପିଲା । ଉଚ୍ଚ ଶିକ୍ଷିତ-ଏମ୍. ଏ ପଢ଼େ । ଏଥିରୁ ବଳି ଆଉ ଭଲ ସମ୍ବନ୍ଧ ଯୁଟିବାର ଆଶା କରିବା ବିଡ଼ମ୍ବନା ମାତ୍ର । ତେଣୁ କିଶୋର ସହିତ ବୀଥିର ହାତଗଣ୍ଠି ପକାଇ ଦେବା’

 

ଗୃହିଣୀ ଚନ୍ଦ୍ରଲେଖା ଉଚ୍ଚଶିକ୍ଷିତା ନହେଲେ ମଧ୍ୟ ଶିକ୍ଷିତା ବୋଲାଇ ପାରିବେ । ବୀଥିକୁ ପ୍ରାକ୍‌କାଳୀନ ଢଙ୍ଗରେ ନରଖି ପାଶ୍ଚତ୍ୟ ଶିକ୍ଷର ଚିନ୍ତାଧାରାରେ ସଂଶ୍ଲିଷ୍ଟ କରିବା ପାଇଁ ତାଙ୍କର ଅଭିଳାଷ । କିନ୍ତୁ ମଦନବାବୁ ଥିଲେ ସେଥିରେ ପରମ ବିରୋଧୀ ।

 

ଏଇ ସମାଜର ଏ ଗୋଟାଏ ମସ୍ତବଡ଼ ଭୁଲ୍‍ । ନିହାତି ଆଠଦଶବର୍ଷର ବାଳିକାକୁ ବଳାତ୍କାରରେ ସାଂସାରିକ–ବନ୍ଧନରେ ଛନ୍ଦି ଦେଇ ସେମାନଙ୍କର ଉଦୀୟମାନ ଭବିଷ୍ୟତକୁ ବିପଦଗ୍ରସ୍ତ କରିବାରେ ଯେ ଅଭିଭାବକ ବର୍ଗ ଦ୍ଵିଧା ମନେ କରନ୍ତି ନାହିଁ—ସେଥିପାଇଁ କଣ ସମାଜ ଦାୟୀ ନୁହେଁ ? ଯେକି ଯୌବନର ପ୍ରଥମ ସୋପାନରେ ପାଦ ପକାଇ ନାହିଁ, ତାର ପୁଣି ଏହି ଗତି-!

 

ସେଦିନ ମଦନବାବୁ ଦସ୍ତାବିଜ ନଥିକୁ ଟେବୁଲ ଉପରେ ଛେଦିଦେଇ ନିଜର ସ୍ତ୍ରୀ ପ୍ରତି ଆକ୍ରୋଶ କରି କହିଲେ, ‘ତେବେ ତମେ କଣ କହୁଛ ? ବ୍ରାହ୍ମଣ ଘରର ଅଭିଆଡ଼ୀ ଝିଅକୁ ବିଭା ନକରି ଖ୍ରୀସ୍ତିଆନ୍ କରିବା ପାଇଁ–ନୁହଁ ?’

 

ଶିଲେଇ ବ୍ୟସ୍ତା ଚନ୍ଦ୍ର ଲେଖାଙ୍କୁ ଏ କଥାଟା ଯେପରି ବ୍ରଣଗଣ୍ଡ ଉପରେ ଚାପୁଡ଼ା ମାରିଲା ପରି ଲାଗିଲା । ସେ ହାତରେ ଧରିଥିବା ଛୁଞ୍ଚିଟିକୁ ଫୋପାଡ଼ି ଦେଇ କହି ଉଠିଲେ, ‘ମୋ ଝିଅ ଉପରେ ତମର କି ଅଧିକାର ଅଛି ? ମୋ ଇଚ୍ଛା । ମୋର ବୀଥିକୁ ମୁଁ ଖ୍ରୀସ୍ତିଆନ୍ କରି ରଖିବି–ସେଥିରେ ତୁମର ଯାଏ କେତେ, ଆସେ କେତେ ?’

 

‘ଚନ୍ଦ୍ର, ରସନା ଟିକିଏ ସଂଯତ କରି ରଖ । ତୁମର ପୁଣି ଗୋଟାଏ ଝିଅ ! କଉଁଠୁ ଆଣିଥିଲ ?’

 

ନିରୁତ୍ତର ।

 

‘କହୁନା,’ ଏବେ କ’ଣ ତୁଣ୍ଡରେ ମଣ୍ଡା ପଶିଛି ? ତମର ପୁଣି ଝିଅ ! ଭଲଘର, ଭଲବର–ସବୁ ଭଲ ବୋଲି ବାରମ୍ବାର କହିଲେ ବି କାନ ଭିତରେ ପଶୁନି ନା ।

 

ସେଦିନ ସେ ଦମ୍ପତିଙ୍କ ମଧ୍ୟରେ ଏହି ଯେଉଁ ଝଗଡ଼ା ହୋଇଥିଲା, ସେ’ ଟାହିଁ ବୀଥି ଜୀବନର ଶେଷ ନିଷ୍ପତ୍ତି କରି ଦେଇଥିଲା । କିନ୍ତୁ ଭବିଷ୍ୟତ ଜାଣିବା ପାଇଁ ସେଇଠି କେହି ନଥିଲେ-। ଅଜୟ ବହୁବାର ମନାକରି କହିଥିଲେ, ‘ଆଜିର ବଂଶ ଶତାବ୍ଦୀରେ ସୁଦ୍ଧା ଆପଣ ସେହି ପୂର୍ବକାଳିଆ ଢଙ୍ଗ କଣ କାଢ଼ୁଛନ୍ତି ? ବୀଥି ଉଚ୍ଚ ଶିକ୍ଷିତା ହେବାପରେ ଆହୁରି ଉଚ୍ଚ ଘରର ସମ୍ବନ୍ଧ ଆପେ ଆପେ ଆସି ଯିବ । ଆପଣ ଆତୁର ନହେଇ ଅପେକ୍ଷା କରନ୍ତୁ ।’ ତଥାପି ତାଙ୍କର କଥାକୁ ମଦନବାବୁ ମାନିଲେ ନାହିଁ । ତାଙ୍କର ବା ପର ଝିଅ ଉପରେ କ’ଣ ଅଧିକାର ଅଛି ? ସେ ତୁନି ରହିଲେ । ତହୁଁ ଚାଲିଗଲେ କାର୍ଯ୍ୟ ଉପଲକ୍ଷେ ଗ୍ରାମାନ୍ତରିତ ହୋଇ । ପୁଣି ଆଜି ସେଇ ବୀଥିକୁ ଦେଖି ପାରିଚନ୍ତି ।

 

ଅଜୟ ବୁଝିପାରିଲେ— ବୀଥିର କେହି ନାହାନ୍ତି । ତଥାପି ମୋହାବେଶରେ ପୁଣି ପ୍ରଶ୍ନ କଲେ, ‘ତୁ କେବଳ ଜଣେ ଅଛୁ ?’

 

ଅକଥନୀୟ ସ୍ମୃତିଭାରକୁ ହୃଦୟରେ ଚାପି ଧରି ସେ କହିଲା, ‘ମୁଁ କେବଳ ଜଣେ ଅଛି, ଆଉ କେହି ନାହାନ୍ତି ।

 

ବିଧାତାର ବିଧାନ । ଯେଉଁକ୍ଷୁଦ୍ର ଗୃହସ୍ଥ-ଉଦ୍ୟାନରେ କେତୋଟି ଜୀବନ-କୁସୁମ-କୋରକ ବିକଶିତ ହୋଇ ଆସୁଥିଲେ, ଆଜି ସେଗୁଡ଼ିକ ବନ୍ତଭ୍ରଂଶ ହୋଇ ଝଡ଼ି ପଡ଼ିଛନ୍ତି । କେବଳ ବଞ୍ଚିରହିଛି ଶୁଷ୍‌କ ଗୋଲପଟିଏ— ଯାହାର ସୁଗନ୍ଧ ବା ସ୍ଵାଦିଷ୍ଠାରେ ସେହି କ୍ଷୁଦ୍ର କାନନଟି ପୁନରପି ହସି ଉଠିବା କଳ୍ପନାରେ ବାହାରେ । ଯାହା ଆଜି ଆନନ୍ଦର କେନ୍ଦ୍ର ହୋଇଥାନ୍ତା, ତାହା ହୋଇଛି ଦୁଃଖର ପରିଧି । ରୁଜୁ-କୁଟିଳ ସଂସାରରେ ବାସ୍ତବିକ୍‍ ସୃଷ୍ଟିର ଉଦ୍ଦେଶ, ରହସ୍ୟ ବୁଝିବା ସ୍ଵଳ୍ପଧୀ ମନୁଷ୍ୟ ପକ୍ଷରେ କି ଦୁର୍ମଦ ବିଷୟ !

 

ବୀଥିର ଆନତ ନୟନ ଯୁଗଳରୁ ଅଶ୍ରୁ-ଝରଣା ଚରଣକୁ ଧୋଇ ଚାଲିଛି ।

 

ଅଜୟ ଆକାଶକୁ ଚାହିଁଲେ । ହୃଦୟରେ ତାଙ୍କର ଶୋକ-ଉଚ୍ଛ୍ୱାସର ନିଶ୍ୱାସ । ଉଜ୍ଵଳ ଚନ୍ଦ୍ର ମଧ୍ୟ ମ୍ରିୟମାଣ ହୋଇଯାଇଛି । ବୀଥିର ଭାଗ୍ୟଚକ୍ର ବିଷୟରେ ତାଙ୍କର ଆଲୋଚନା କୌଣସି ଶେଷ ନିଷ୍ପତ୍ତିରେ ଉପନୀତ ହୋଇ ପାରିଲା ନାହିଁ । ଭବିଷ୍ୟତ ଭୂମିକାରେ ସାଥୀ-ଶୂନ୍ୟ, ପାଥେୟ-ଶୂନ୍ୟ, ସହାୟ-ଶୂନ୍ୟ ଭାବରେ ଆହୁରି ତାର ଦୀର୍ଘ-ଜୀବନ-ଯାତ୍ରା କିପରି ନିର୍ବାହିତ ହେବ, ସେ ଦ୍ଵନ୍ଦ–ସମାସ୍ୟାର ସମାଧାନ ତାଙ୍କ ପକ୍ଷେ ଅସମ୍ଭବ ହୋଇ ପଡ଼ିଲା ।

 

‘ବୀଥି, ବର୍ତ୍ତମାନ ତୁ କେଉଁଠି ଅଛୁ?’

 

ବିଗଳିତ ଅଶ୍ରୁଧାରକୁ ପୋଛୁ ପୋଛୁ ସେ କହିଲା, ‘ବିଜନବାବୁଙ୍କ ଘରେ’

 

ଅଜୟ ଆଶ୍ୱସ୍ତ ହେଲେ । ବିଜନ ତାଙ୍କର ସହାଧ୍ୟାୟୀ ଥିଲେ । ବର୍ତ୍ତମାନ ସେ ବିଜୟନଗର କଲେଜର ଅଧ୍ୟାପକ । ‘ବୀଥି, ବିଜନ ମୋର ସହପାଠୀ । ସେ ଜଣେ ସମ୍ଭ୍ରାନ୍ତ କୂଳର ସନ୍ତାନ । ମୁଁ ମଧ୍ୟ ତୋ ବିଷୟ ନେଇ ବିଜନ ଠାରେ କହିବି । ଜୀବନକୁ ନଷ୍ଟକରିବା ପାଇଁ ଦୁର୍ବୁଂଧୁର ପଥ ଉପରେ ଯେଉଁ ଘାତ ପ୍ରତିଘାତ ଆସିବ ସେ ସବୁଥିକୁ ଧୈର୍ଯ୍ୟ ଚିତ୍ତରେ ସହିନେବୁ । ଆଉ କ୍ଷଣିକରେ ଉତ୍ତେଜିତ ହୋଇ ଭବିଷ୍ୟତକୁ ଯେପରି ଦୁର୍ବିସହ କରିଦେବୁନି ସେଥିପାଇଁ ମୋର ଶୁଭାଶୀଷ ଗ୍ରହଣ କରିଥା । ଉପରେ ଅନନ୍ତ ଆକାଶ, ତଳେ ଅଖଣ୍ଡ ଭୂମାଁ । ଏ ହିଁ ତୋର ଚିର ସାଥୀ ।’ ଅଜୟ ଏତିକି କହି ଚାହିଁ ରହିଲେ ତାରକା ପୂର୍ଣ୍ଣ ଅନ୍ତରୀକ୍ଷକୁ । ଅନ୍ତରରେ ନିରୁକ୍ତ ବେଦନ-
 

ସଙ୍ଗୀତ ସଭାର କାର୍ଯ୍ୟ ଶେଷ ହୋଇଛି ।

 

ବୀଥି ଅଜୟଙ୍କଠାରୁ ବିଦାୟନେଇ ଚାଲିଲା— କୌଣସି ଏକ ରୂପବାନ ଯୁବକ ସହ— ଦୁହେଁ ପରସ୍ପର ଆଳାପ କରୁଥିଲେ—

 

ସଭା ସମାପନ ସଙ୍ଗୀତ ସରଗୁଣା ସମେତ ସମବେତ କଣ୍ଠ ଗାଉଥିଲା—

 

ରଘୁପତି ରାଘବ ରାଜା ରାମ୍

ପତିତ ପାବନ ସୀତା ରାମ୍

ଈଶ୍ଵର ଆଲ୍ଲା ତେରେ ନାମ୍

ସବ୍‌କେ ସନ୍‌ମତି ଦେ ଭଗବାନ୍ ।

 

ଅଜୟ ସେଇଠି ଠିଆହୋଇ ରହିଥିଲେ ।

Image

 

ବଳାକା ଓ ଅଳକା

 

ବିଶି ଆଙ୍ଗୁଠିଟାକୁ ଭ୍ରୂଲତା ତଳେ ଭରାଦେଇ ବୈଦ୍ୟନାଥ ଚିନ୍ତାଶୀଳ ଦେଖାଯାଉଥିଲେ-। କପାଳ ବିକୁଞ୍ଚିତ । ମସୃଣ ଗଣ୍ଡ ଉପରେ କେତୋଟି ସ୍ଵେଦବିନ୍ଦୁ— ମୁକ୍ତା ପରି ଦୋଳି ଆସିଥାଏ-। ଆଗରେ ଖୋଲା ଫାଇଲ—କଳା ନାଲି ଛକଛକିଆ ଲେଖା— କେତେଖଣ୍ଡ କାଗଜ-। ତଳୁ ଉପରକୁ, ଉପରୁ ତଳକୁ ଯା’ଆସ, ଘାଣ୍ଟି ଚକଟି ହୋଇ କେତେ ମାସ ଗଡ଼ି ଗଲାଣି-। ତଥାପି ଫାଇଲ୍ ଶେଷ ହେବାରୁ ସମ୍ଭାବନା ଦିଶୁନି । ଏ ଭୂତନାଥବାବୁଟା ଏଇଠି ଥିଲା ଯାଏଁ ସେ ଏଇଟିକୁ ଲୁଚାଇ ରଖିବେ । ଏ ଲୋକଟା ତାଙ୍କ ବାଟରେ ବରାବର କଣ୍ଟା ପକାଇ ଆସୁଚି-। ଆଉ ପାରିହବନି ।

 

ବୈଦ୍ୟନାଥ କଲମଟାକୁ କାଗଜ ଉପରେ ହଲାଇ ହଲାଇ ପୁଣି ଥୋଇଦେଲେ । ଧେତ୍, ଏ ଲୋକଟା କି ତାଙ୍କର ଭଲ କରିବ, ସବୁ କଥା ଗୁଡ଼ାକତ ଇମିତି ଧପାବାଜି କରି ଆଡ଼ୁଆ ଲେଖି ଦେଉଚି । ଏଥିରେ ତାଙ୍କର ରିପୋର୍ଟ ଅନୁଯାୟୀ ଅର୍ଡରଟା କିମିତିବା ଅନୁକୂଳ ହୋଇପାରେ-। ଅସମ୍ଭବ । ବର୍ଷେ ହେଲା ଭୂତନାଥ ଆସି ତାଙ୍କର ସମସ୍ତ ଆୟଟାକୁ ବିଗାଡ଼ି ଦେଲା-। ଅଖାଡ଼ୁଆ-। ଚିନିଦିଆ ଦୁଧରେ ଟୋଟାଏ ଲମ୍ବା ଖଡ଼ିକା ।

 

ଭୂତନାଥବାବୁ ଯେତେବେଳେ ଏଠାକୁ ପ୍ରଥମେ ଆସନ୍ତି ବୈଦ୍ୟନାଥ ତାଙ୍କୁ ବେଶ୍ ଖୁସାମତ୍ କରିଚନ୍ତି । ପନିପରିବା, ଡାଲି ଚାଉଳ, ପିଲାଙ୍କ ପାଇଁ ପେଣ୍ଟଥାନ, ବାବୁଆଣିଙ୍କ ପାଇଁ ସମ୍ବଲପୁରିଆ ଶାଢ଼ୀ, ବ୍ଲାଉଜଥାନ, ଆହୁରି କ’ଣ କ’ଣ ଦରକାର ପଡ଼ିଲେ ଯୋଗାଇ ଦିଅନ୍ତି । ବାବୁଆଣି ଖବର ଦିଅନ୍ତି—ସେ ଆଣି ଯୋଗାନ୍ତି ।

 

ବାବୁଙ୍କ ଆଗରେ ବି ସେ ତାଙ୍କର ମନମୁତାବକ କଥା କହନ୍ତି । କଥାଗୁଡ଼ିକ ଯେପରି ପରସ୍ଥିତି ସଙ୍ଗେ ବେଶ୍ ଖାପ ଖାଇବ—ଆଉ ଅଠାରେ ଟିଂକଳ ଚଢ଼େଇଟା ଯିମିତି ଚଟ୍ କିନା ଲାଗିଯିବ । ଭୂତନାଥବାବୁଙ୍କ ପୂର୍ବବର୍ତ୍ତୀ ରଞ୍ଜନବାବୁ ତ ଇମିତି କାର୍ଯ୍ୟଦକ୍ଷ ନଥିଲେ । ଚବିଶ ବର୍ଷର ଯୁବକ ସେ, ଏମ୍. ଏ. ପାଶ କଲେ । ପଛକୁ କେହି ଗୋଟାଏ ସାହା ଥିଲା ବୋଧେ । ମୋଟା ଦରମା ହାକିମ ଖଣ୍ଡିଏ ପାଇଗଲେ । ପରିଚାଳନା ଯୋଗ୍ୟତା ଥିବା ଦରକାରତ । ଏଡେ ବଡ଼ ଭାରଟା ମୁଣ୍ଡାଇ ନେବା କି ସହଜ କଥା । ବୈଦ୍ୟନାଥଙ୍କର କଥାଗୁଡ଼ାକ ଭୂତନାଥବାବୁଙ୍କୁ ବେଶ୍ ମନପାଏ । ପଚାଶବର୍ଷର ଅନୁଭୂତିଶୀଳ ବୁଢ଼ାସେ । ଦେଶର ଛୋଟ-ବଡ଼, ଗୁଣ୍ଡା–ସାଧୁ, ଧନୀ–ଦରିଦ୍ରଙ୍କୁ ଦେଖି ଦେଖି ମୁଣ୍ଡରବାଳ ଝୋଟ ପରି ଦିଶିଲାଣି । ତାଙ୍କ ଆଗରେ ଏ ଟୋକାଗୁଡ଼ାକ ମଣିଷ ହୋଇଚନ୍ତି । ଏମାନେ ପୁଣି ଶାସନ ପରିଚାଳନା କରିବେ । ଅଫିସ୍ ଫାଇଲ୍ ଉପରେ ଆଖି ପକାଇ ସୁନା ଖୋଳପାର ପାର୍କର କଳମଟାକୁ ଥୋଡି ତଳେ ଟିପିଧରି କହନ୍ତି ‘ଦେଖହେ, ଏମାନେ ଫେର୍ ଗୋଟାଏ ଅଧିକାରୀ ।’

 

ବୈଦ୍ୟନାଥଙ୍କ ମନରେ ଗୋଟାଏ ରାଜ୍ୟ ଜିତିବାର ପରାକ୍ରମ ଆସିଯାଏ । ନିଦାନଟା ଠିକ୍ ହୋଇଚି । ଏଥର ଔଷଧଟାକୁ ବେଶ୍ କରି ଚଢ଼ାଇ ଦେବାକୁ ପଡ଼ିବ ।

 

ବୈଦ୍ୟନାଥ କଣ୍ଠଟାକୁ ଟିକିଏ ସୁତ୍ରାର କରି ଭୂତନାଥବାବୁଙ୍କ ଉପରେ ମାର୍ଫିଆ ଚଢ଼ାନ୍ତି-। ମାଦକଟା ଯେପରି ତାଙ୍କର ଶିରା ପ୍ରଶିରାରେ ବିଜୁଳି ପରି ଖେଳିଯାଏ । ‘ଗୋଟାଏ ଛୋଟକଥା ଆଜ୍ଞା । ରଞ୍ଜନବାବୁ ଏତେ ଦିନ ଯାଏ ଜାଣି ନଥିଲେ ପ୍ରଥମେ ରାଜ୍ୟ ଏସେମ୍ବ୍ଲି ପାଇଁ ବା ପାର୍ଲାମେଣ୍ଟ ଭୋଟ ଦେବାକୁ ହୁଏ ।’

 

ଭୂତନାଥବାବୁ ଫାଇଲ୍ ଉପରୁ ଆଖି ଫେରାଇ ବୈଦ୍ୟନାଥଙ୍କୁ ଆଶ୍ଚାର୍ଯ୍ୟାନ୍ୱିତ ହୋଇ ଅନାଇ ରହନ୍ତି । ତାଙ୍କ କଥାକୁ ବିଶ୍ଵାସ କରି ପାରନ୍ତି ନାହିଁ । ଏହା କି ସତ ହୋଇପାରେ । ହଁ ହଁ ଅସମ୍ଭବ ନାହିଁ । ଆଜିକାଲି ଏ ପିଲା ଅଫିସର ଗୁଡ଼ାକ ଇନାମ, ଜିରାୟତ୍, ବାଞ୍ଜେର, ପରମ୍ବୋକ ମାନେ ତ କ’ଣ ବୁଝନ୍ତି ନାହିଁ, ଏଇଟା ଆଉ ଆଶ୍ଚର୍ଯ୍ୟ କ’ଣ ?

 

ଭୂତନାଥବାବୁଙ୍କ କାନ୍ଧଟା ଟିକିଏ ନାଚିଯାଏ । ପାଚିଲା ନିଶ ମୁଠାଟା ପାଣ୍ଡୁର ଗାଲ ଦୁଇଟିକୁ ଧରି ଟିକିଏ ଫୁଲିଯାଏ । ସେ ନାଲି ଶିଲକ୍ ଟାଇଟା ଉପରେ ବତାହାତକୁ ସାଉଁଳି ଆଣି କହନ୍ତି ‘ମୁଁ ଦେଖି ଦେଖି ପାଚିଗଲିଣି ପରା, ଏ ଗୁଡ଼ାକର ଦୁଧଖିଆ ବେଳ ଯାଇନି । ଏମାନେ ଫେର୍ ଏଭଳି ଗୁରୁତର ଦାୟିତ୍ଵ ପୂରଣରେ ଅଧିକାରୀ । ବର୍ଷାକାଳ ଛତୁପରି ଏମାନେ ପାଳ ଗଦାରେ ଫୁଟନ୍ତି । ଅଫିସ କାମ କରିବା ପାଇଁ ଏମାନଙ୍କର ସାମର୍ଥ୍ୟ ବା କାହିଁ ।’

 

ବୈଦ୍ୟନାଥ ଜୃମ୍ଭଣି ପାଖରେ ଫୁଟୁକି ଫୁଟାନ୍ତି । ଶ୍ରାବଣ ମାସ । ଚାରିଆଡ଼ରେ ମେଘ ଢାଙ୍କି ହୋଇ ରହିଥାଏ । ବର୍ଷା ପାଗଟା ବେଶ୍ ଧରିଚି— ଧୂପଟା ବି ଭୂତନାଥବାବୁଙ୍କ ଉପରେ ବେଶ୍ ଧରିଲା । ଏ ସ୍ରୋତରେ କମଳାଟାକୁ ସେ ବାହା କରିଦେବେ । ଅଭିଆଡ଼ୀ ଝିଅ । କୋଡ଼ିଏ ପୁରି ଏକୋଇଶି ଚାଲିଲାଣି । ଆଉ କେତେଦିନ ବା ଘରେ ରଖିବେ । ଭୂତନାଥବାବୁ ଚିରଞ୍ଜିବୀ ହୋଇ ରୁହନ୍ତୁ । ଉପଯୁକ୍ତ ହାକିମଙ୍କ ପାଖରେ ସେ ଉପଯୁକ୍ତ ପି. ଏ. ହୋଇ ପାରିଚନ୍ତି । ରଞ୍ଜନବାବୁ ଯିବା ଦିନ ଠିକ୍ ତାଙ୍କର ସାତ ବର୍ଷର ମଙ୍ଗଳ ଦଶାଟା ପାର ହୋଇଗଲା । ମୀନ ଲଗ୍ନକୁ ମିଥୁନରେ ରାହୁ । ଭୂତନାଥବାବୁଙ୍କ ଆବିର୍ଭାବ ହିଁ ସେଥିର ସୂଚନା ।

 

କଫି ଆସେ । ଦୁହେଁ କଥାବାର୍ତ୍ତା ହୋଇ ଶୋରଡନ୍ତି । ଦୁହିଁଙ୍କ ଭିତରେ କେବଳ ପାଞ୍ଚୋଟି ବର୍ଷର ପାର୍ଥକ୍ୟ । ମଜାମଜା ଗପ ତଳେ । ପିଲାକାଳର ଗଫ । ବେଶି ନୁହେଁ—ଟିକିଏ ଟିକିଏ ।

ଭୂତନାଥବାବୁଙ୍କ ଗସ୍ତ ଖବର ପାଇ ବୈଦ୍ୟନାଥ ବଙ୍ଗଳାରେ ହାଜର ହୁଅନ୍ତି । ପାଥେୟ ପାଇଁ ମଟରରେ ସେ କେତେ ପୁଞ୍ଜା ବଢ଼ାଇ, ଡଜନ ଅଧେ ଏପିଲ୍, ଚାରି ପାଞ୍ଚଟି ଦ୍ରାକ୍ଷା ଲେନ୍ତି ରଖିବା ପାଇଁ ନିଜର ଡ୍ରାଇଭରକୁ ଆଦେଶ ଦିଅନ୍ତି । ତାଙ୍କର ଗାଡ଼ିରୁ ପେଟ୍ରୋଲଟିନ୍ ବାହାର କରାଯାଇ ଭୂତନାଥ ବାବୁଙ୍କ ଫୋର୍ଡଗାଡ଼ିରେ ଅଜଡ଼ା ହୁଏ ।

ଭୂତନାଥବାବୁ ମୋଟର ଚଢ଼ିଲାବେଳେ ଉପହାରଗୁଡ଼ିକୁ ଦେଖି ନ ଚମକି ଚମକି ପଡ଼ନ୍ତି । ମୃଦୁ ହସି କହନ୍ତି ‘ମୋତେ ଏଗୁଡ଼ାକ କାହିଁକି ଦେଲ, ଘରେ ଥିଲେ ପିଲାପିଲି ଖାଆନ୍ତେ ।’

‘ଘର ପାଇଁ ମୁଁ ଏଇଲେ ପଠାଇ ଦଉଚି ଯେ । ଆପଣଙ୍କର ଟିକିଏ ଦୂର ପ୍ରୟାଣ, ଏଥି ପାଇଁ ଅଳ୍ପ କିଛି—’

ଗାଡ଼ି ଷ୍ଟାର୍ଟ ହୁଏ । ଡାଇଭର ଗେର ପକାଉ ପକାଉ ଭୂତନାଥବାବୁ ବୈଦ୍ୟନାଥଙ୍କୁ ଡାକି କହନ୍ତି ‘ଦେଖନ୍ତୁ, ଘରର ସୁବିଧା ଅସୁବିଧା ପ୍ରତି ଟିକିଏ ନଜର ଦେଉଥିବେ । ପାଞ୍ଚଟି ଦିନ ଭିତରେ ମୁଁ ଫେରି ଆସିବି ।’

ଏଇ ସୁଯୋଗକୁ ତ ବୈଦ୍ୟନାଥ ଖୋଜୁଥାନ୍ତି । ସେ ବା ଛାଡ଼ିବେ କାହିଁକି । ବାବୁଆଣୀଙ୍କୁ ତୃପ୍ତ କରିପାରିଲେ ଯଥେଷ୍ଟ । ଭୂତନାଥବାବୁ ତାଙ୍କ ଆଗରେ ଜନ୍ତୁଣିର ଗୋଟାଏ କଅଁଳ କୁଣ୍ଢାଇ ।

 

ଭୂତନାଥବାବୁଙ୍କ ଗାଡ଼ି ଚାଲିଯାଏ । କିନ୍ତୁ ତାଙ୍କର ଉଚ୍ଛନ୍ନ ମନଟା ଅଳକାଦେବୀଙ୍କ ଉପରେ ଦୋହଳୁଥାଏ । ସୁନ୍ଦରୀ, ଶିକ୍ଷିତା, ହାଇହିଲ୍ ଜୋତା ପିନ୍ଧନ୍ତି । ଦ୍ଵିତୀୟ ପକ୍ଷ । ଇଣ୍ଟରମିଡିଏଟ୍ ଫେଲ୍ କରିଚନ୍ତି । ଜନ୍ମହେବା ପିଲାଟିକୁ ପାଞ୍ଚବର୍ଷ ଡେଇଁ ପଡ଼ିଥିଲେ ବି ଓଠରେ ନାଲି ଲିଫ୍‌ଷ୍ଟିକ୍ ମାଲିସ୍ କରନ୍ତି । ବୟସଟା ତିରିଶି ଖଣ୍ଡେ ହେବ । ଦେହ ଯଷ୍ଟି ବେଶ୍ ମନୋହର । ସପତୁଣୀର ବଢ଼ିଆଳ ଝିଅଟା ସଭା ସଂସଦକୁ ଯିବା ପାଇଁ ଅଡ଼ିବି ନ କଲେ ମଧ୍ୟ ପ୍ରିୟତମା ଜିଦ୍ ଧରି ବସନ୍ତି । ଏସବୁ କଥା ତାଙ୍କର ମନ ଭିତରେ ସ୍ତନିତ ହୁଏ । ମୋଟର ଆଗକୁ ଆଗକୁ ଚାଲେ । ସେ ଗାଡ଼ିରେ ବସି ଦୁଇଦିଗରେ ଚଳନ୍ତା ଗଛପତ୍ର, ଲତା ବୁଦାକୁ ଅନାଇ ରହନ୍ତି ।

 

ବୈଦ୍ୟନାଥ ଅଳକାଦେବୀଙ୍କ ସଙ୍ଗେ ଅଧଘଣ୍ଟାଏ ଗଫଟଫ କରି ଘରକୁ ଫେରନ୍ତି । ସାବୁନରେ ମୁହଁ ଧୋଇ ଗୋଠଛଡ଼ା ପାଚିଲା ବାଳ କେଇଟାକୁ ଦର୍ପଣରେ ଦେଖି ଟିକିଏ କ୍ଷୋଭ କରନ୍ତି । କିନ୍ତୁ କଳାରଙ୍ଗ କିଣନ୍ତି ନାହିଁ । ସିମିତି ଥାଉ । ପେଦ୍‌ଦପୁର ଶିଲ୍‌କ ଧୋତି ଉପରେ ଫାକୁଣ୍ଡିଆ ନୀଳ ରଙ୍ଗ ଲାଲ୍‌ଚି ଲଗାଇ ସାକୁଟୁମ୍ବେ ସିନେମା ଦେଖନ୍ତି ।

 

ଛଅଟି ମାସ ପରେ ରାହୁ ଅନ୍ତର ତାଙ୍କୁ ଗ୍ରାସ କଲା । ରବି ଗ୍ରହ ତା ସହିତ ଯୁକ୍ତି ହୋଇଚି ଏ କଥା ସେ ଭୁଲି ଯାଇଥିଲେ । ଦିନକ ଭିତରେ ଅଦ୍ଭୁତ ପରିବର୍ତ୍ତନ ଘଟିଗଲା । ଦୁହେଁ ଅହି ନକୁଳ ହୋଇ ମୁହଁ ଫଣଫଣ କଲେ । ଷଣ୍ଢ ମତାମତି ବାଛୁରୀ ଉପରେ । କିରାଣୀ ବାପୁଡ଼ାଙ୍କ ଉପରେ ଏ ଧୂମକେତୁ ଛିଡ଼ିଲା ।

 

ସେଇଦିନୁଁ ବୈଦ୍ୟନାଥ ଅଫିସ୍ ଫାଇଲରେ ଯାହା ଲେଖନ୍ତି ତାହାର ଠିକ୍ ବିପରୀତ ଅର୍ଡର ଦିଅନ୍ତି ଭୂତନାଥ ।

 

ବୈଦ୍ୟନାଥ ଲେଖନ୍ତି ‘ସବ୍‌ବୁଚେଟ୍ଟୀକୁ ଏଇ ଦୁଇ ୱେଗେନ୍ ସିମେଣ୍ଟ କୋଟା ଦିଆଯାଇପାରେ ।’

 

ଆଦେଶ ହୁଏ, ‘ବର୍ତ୍ତମାନ ସିମେଣ୍ଟ ଅଭାବ, ଏଇ ପେର୍‌ମିଟ ଦେବା ବାଞ୍ଛନୀୟ ନୁହେ ତେଣୁ ସ୍ଥଗିତ ରହିଲା ।’

 

ବୈଦ୍ୟନାଥ ଲେଖନ୍ତି— ‘ସାଞ୍ଜୀବାୟାକୁ ଭୀମପୁରଠାରୁ ତ୍ରିଲିଙ୍ଗ ପର୍ଯ୍ୟନ୍ତ ରୋଡ଼ ମରାମତି କାମଟା ଦେବା ଉଚିତ ମନେ ହେଉନାହିଁ । ସେ ବିଶ୍ୱାସର ପାତ୍ର ନୁହନ୍ତି ବୋଲି ଆଗରୁ ଦୁର୍ନାମ ଅଛି ।

 

ଆଦେଶ ଆସେ, ‘ସାଞ୍ଜୀବାୟାକୁ ଏଇ ରୋଡ୍ ମରାମତି କାମଟା ଦିଆଗଲା ।’

 

ବୈଦ୍ୟନାଥ ପୁଣି ଏକ ବ୍ୟବସାୟୀକୁ ଅନୁମୋଦନ କରି ନୋଟ୍ ଲେଖନ୍ତି, ‘ଚିରଞ୍ଜୀବୀରାଓକୁ କୋୟଂ ବତୂରୁ ମିଲ୍‌ର ଧୋତି ଆମଦାନୀ କରିବା ନିମିତ୍ତ ଅନୁମତି ଦିଆ ଯାଇପାରେ ।’

 

ଭୂତନାଥବାବୁ ‘ଲେଖନ୍ତି, ‘ଏ ଅନୁମତି ବିଷୟ ଦୁଇମାସ ଘୁଞ୍ଚାଇ ଦିଆଗଲା । ପରେ ଦେଖାଯିବ ।’

 

ସର୍ବନାଶ । ଭୂତ ଆସି ତାଙ୍କର ସର୍ବନାଶ କଲା । ୟାଙ୍କ ଠାରୁ ନିଷ୍କୃତି ପାଇବା କି ସମ୍ଭବ-? ବୃଥା—ସବୁପଣ୍ଡ । କମିଗଲା । ସବୁ କମିଗଲା । ଭ୍ରଷ୍ଟ—ବୈଦ୍ୟନାଥ ବିରକ୍ତ ହୋଇଉଠନ୍ତି-। ଘରେ-ବାହାରେ-ଅଫିସ୍‌ରେ ସବୁଠି ତାଙ୍କର ଅଶାନ୍ତି ।

 

ସେଦିନ ଖୋଲା ଥିବା ଫାଇଲ୍ ଉପରେ ସେ ତନ୍ମୟ ଦୃଷ୍ଟି ନିବଦ୍ଧ କରି ବସି ଥିଲେ । ଟେବୁଲ୍‌ର ଗୋଟାଏ ପାଖରେ ପନ୍ଦର କୋଡ଼ିଏ ଫାଇଲ ଗଦା ହୋଇ ରହିଚି । ସେ ଗୁଡ଼ିକୁ ପରେ ଦେଖିବେ । ଥାଉ, ବର୍ତ୍ତମାନ ରାମାୟାର ଧାନ ପ୍ରକ୍ୟୁରମେଣ୍ଟ୍‌ ଦରଖାସ୍ତଟା ମଞ୍ଜୁର ହୋଇଗଲେ କଥା ଛିଡ଼େ ।

 

କମିଜ୍‌ର ଚଳା ବୋତାମ୍‌ଟାକୁ ଆଙ୍ଗୁଠି ଟିପରେ ବୁଲାଇ ମୁଣ୍ଡକୁ ସେ ସଧୀର ଭାବରେ ହଲାଉଥିଲେ । ଉପରେ ବୈଦ୍ୟୁତିକ ବ୍ୟଜନ କ୍ଷିପ୍ର ଗତିରେ ବୁଲୁଚି । ତଥାପି ତାଙ୍କର ଚିକ୍କଣ ଗାଲ ଉପରେ ଅଶ୍ରୁବିନ୍ଦୁ ଆଣି ଦେଉଥିଲା ମନରେ ଅଶାନ୍ତି ।

 

ଆଷାଢ଼ ମାସର ଗଉଦ । ପବନ ରୁନ୍ଧି ଦେଇଚି । ଆକାଶରେ କେତେ ଖଣ୍ଡ ମେଘ ସ୍ଥିର ଅଚଳ ହୋଇ ରହିଚି । ସୂର୍ଯ୍ୟର ଦେହଟା ଅଧେ ମେଘ ଭିତରେ ଲୁଚି ଯାଇଥିଲା । ପାଣି ଶିରି ଶିରିଆ ଚାଉଁ ଚାଉଁ ଖରାଟା ଭୂମି ଉପରେ ସୃଷ୍ଟି କରିଥିଲା ଗୋଟାଏ ଇଥର୍ ବେଦନା ।

 

ବୈଦ୍ୟନାଥ ବିରକ୍ତିର ସହ କଲମର କ୍ଲିପ୍‌ଟାକୁ ଆଙ୍ଗୁଠି ନଖରେ ଟିକ୍‌ଟିକ୍‌ ବଜାଇ କାନ୍ଥ ଉପରେ ଲମ୍ବିଥିବା କେଲେଣ୍ଡରଟାକୁ ଅନାଇ ରହିଥିଲେ । ଉପରେ ବୈଜୟନ୍ତୀମାଳାର ପ୍ରତିଛବି । ହିମାଳୟ ସ୍ରୋର ବିଜ୍ଞାପନ । ତଳେ ନଦୀ ବହି ଯାଉଚି । ସ୍ରୋତରେ ଦୁଇ ତିନୋଟି ଯାତ୍ରୀବୁହା ଛୋଟ ସିଲ୍‌ହାଉଟି ଡଙ୍ଗାଟି ବାଟକାଟି ଚାଲିଚି ।

 

ଭାସି ଯାଉଥିବା ଡଙ୍ଗାଟାକୁ ଗୋଇଠା ମାରି ଓଲଟାଇ ଦେବାକୁ ତାଙ୍କର ମନ ବିପ୍ଳବ କରି ଉଠୁଥିଲା । ନାଉରୀର ମେଣ୍ଢାଶିଙ୍ଘ ପରି ମୋଟା ବାହୁର ମାଂସପେଶୀଗୁଡ଼ିକୁ ଛୁରିରେ ଚିରି ଦେବା ପାଇଁ ଇଚ୍ଛା ହେଉଥିଲା । ସେ ଗୋଟାଏ ଟୋକା ଦୂର ହିଡ ଉପରେ ବସି ବଂଶୀ ବଜାଉଚି କାହିଁକି ?

 

ବୈଦ୍ୟନାଥ ଭ୍ରୂଲତା ଉପରକୁ ଟେକି ପାଟି ବାଟେ ଗୋଟାଏ ଦୀର୍ଘନିଶ୍ଵାସ ଛାଡ଼ିଲେ । ଏ ବିଷମ ପରିସ୍ଥିତିକୁ ସେ କିମିତି ସୁଧାରିବେ ? ସବୁ କଥାରେ ତ ରୀତିମତ ଆଗୁଳ ହୋଇ ଆସିଲାଣି । କରିବେ କ’ଣ ?

 

ବୈଦ୍ୟନାଥ ଉଦ୍‌ବିଗ୍ନ ହୋଇ ପଡ଼ିଲେ । ଏ ପରିସ୍ଥିତିରେ ସେ କ’ଣ ବା କରିବେ ।

 

କେତେବେଳୁ କିରାଣୀ ବାପୁଡା ଅଧ୍ୟାଦେଇ ଛିଡ଼ା ହୋଇଚି । ସେଥିପ୍ରତି ବୈଦ୍ୟନାଥଙ୍କର ଦୃଷ୍ଟି ମୋଟେ ନାହିଁ । ଭୂତନାଥବାବୁଙ୍କୁ ଆଙ୍ଗୁଠି ନଖରେ କିମିତି ସରୁ ଚିତା କାଟିବେ ସେଇ ଚିନ୍ତାରେ ସେ ମଗ୍ନ ।

 

‘ସାର୍’—‘ସାର୍’

 

ବୈଦ୍ୟନାଥ ଚମକି ଉଠିଲେ, ‘କ’ଣ—ହେଲା କ’ଣ

 

‘ଏଇ ରାମାୟା ଚେଟ୍ଟୀର ଧାନ ପ୍ରକ୍ୟୁରମେଣ୍ଟ୍‌’

 

‘ହଁ ହଁ ସେଇ କଥାତ । ହଇହୋ—କରିବା କ’ଣ ମୋ ମୁଣ୍ଡରେ ତ କିଛି ପନ୍ଥା ଢୁକୁ ନାହିଁ— ତେବେ—’

 

ଗୁମାସ୍ତା ଚିନ୍ତିତ ହୋଇପଡ଼ିଲେ । ବୈଦ୍ୟନାଥଙ୍କର ସେ ସପକ୍ଷ । କେତେଥର ଓଜନ ଅନୁଯାୟୀ ଭାଗ ପାଇଚନ୍ତି । ଉପାୟଟିକୁ ସେ ଆଗରୁ ଠିକ୍ କରି ରଖିଥିଲେ ।

 

‘ଆଜ୍ଞା, ମୁଁ ନୋଟ୍ ଲେଖିଦିଏ ।’

 

‘ହଁ, ହଁ, ଠିକ୍ ଭାବେ ଲେଖିଦେବଟି—ଯେପରି ଆମେ ତାଙ୍କୁ ଟପି ଯାଇପାରୁ ।’ ଏତିକି କହି ବୈଦ୍ୟନାଥ ଗୁମାସ୍ତାଙ୍କୁ ଅପେକ୍ଷା କରି ରହିଲେ । ଗୁମାସ୍ତ । ଗଙ୍ଗାଧରଙ୍କର ଚାତୁର୍ଯ୍ୟ ଆଗରେ ସେ ମଧ୍ୟ ବହୁବାର ହଟି ଯାଇଚନ୍ତି । ତାଙ୍କର କୌଶଳ ଅତି ଚମତ୍କାର ଅତି ମଜବୁତ୍ । ସେ କୌଶଳକୁ କାହାର ସୂକ୍ଷ୍ମ ଅନ୍ତର୍ଦୃଷ୍ଟି ସୁଦ୍ଧା ପାରିବା ସହଜ ନୁହେ । ବୈଦ୍ୟନାଥ ଆଶାତୀତ ହୋଇ ଅପେକ୍ଷା କରିଥିଲେ ।

 

ଗଙ୍ଗାଧର ନୋଟ୍ ଲେଖି ହାଜର ହେଲେ । ବାସ୍ତବିକ୍ ସେ ଯେପରି ଏକ ବୁଡୁବୁଡ଼ିଆଣି ଜାଲରେ ଭୂତନାଥଙ୍କୁ ଛନ୍ଦି ଦେବାକୁ ଯାଉଚନ୍ତି ସହଜେ ଖସିଯିବା ସମ୍ଭବ ନୁହେ । ଗୋବରା ଚଢ଼େଇ ଅଠାରେ ଲାଗିଯାଇ ପାରେ । ଦେଖାଯାଉ ।

 

ବୈଦ୍ୟନାଥ ଚୁପ୍ ଚୁପ୍ ଦସ୍‌ଖତ୍‌ କରି କହିଲେ, ‘ମତେ କ’ଣ ଦେଖାଉଚ, ସାହେବ ବର୍ତ୍ତମାନ ଚାଲିଯାଉଚନ୍ତି— ଯାଅନା— ଜଲ୍‌ଦି ମଞ୍ଜୁର କରାଇ ଘେନି ଆଣିବ ।’

 

ଗଙ୍ଗାଧର ବୁଷ୍‌ଷର୍ଟର କଲର୍‌ଟାକୁ ଟିକିଏ ସଜାଡ଼ି ଚାଲିଲେ—ବଡ଼ ସାହେବଙ୍କ ନିକଟକୁ ।

 

ଭୂତନାଥବାବୁ କାମରୁ ଟିକିଏ ଫୁରୁସତ୍‍ ପାଇ ଧୂମ୍ରପାନ କରୁଥିଲେ । ଉପରେ ବିଜୁଳି ପଙ୍ଖା ଚାଲିଚି ।

 

‘କ’ଣ—’

 

ଗଙ୍ଗାଧର ନୋଟ୍ ସହ ଫାଇଲ୍‌ଟାକୁ ଆଗରେ ଥୋଇ ଦେଲେ । ଟିକିଏ ପଛକୁ ଘୁଞ୍ଚି ଅତି ବିନୟ ଭାବରେ ଠିଆ ହେଲେ ।

 

ମାର୍କୋକ୍ଵିଚ୍‌, ସିଗାରେଟର ପୁଳାଏ ଧୂଆଁ ଶୋରଡ଼ି ଭୂତନାଥବାବୁ ଆଖି ଉପରେ ଚଷମାକୁ ଥୋଇଲେ ।

 

‘ସେତ ଭଲ ଲୋକ, ମୁଁ ଜାଣେ’ ଏତିକି କହି ଭୂତନାଥବାବୁ ଫାଇଲ୍‌ଟିକୁ ତନ୍ନତନ୍ନ ବିଶ୍ଳେଷଣ କଲେ; କେଉଁ ଭିତରେ କିଛି ଗୋଟାଏ ଅଭିସନ୍ଧି ଥାଇ ପାରେ ।

 

ଇନ୍ଦ୍ର ଲୁପ୍ତ ମଥା ଉପରେ ବ୍ୟଜନର ଛାୟିଟା ଭ୍ରମିତ ହୋଇ ଚାଲିଥାଏ ।

 

‘ସାନ ସାହେବ ଏପରି ଗୁଡ଼ାଏ କ’ଣ ଲେଖନ୍ତି । ରାମାୟା ଚେଟ୍ଟୀକୁ ଧାନ ପ୍ରକ୍ୟୁରମେଣ୍ଟ ପାଇଁ ଅନୁମତି ମିଳିବନି କାହିଁକି ?’ ଏତିକି କହି ସେ ଦରଖାସ୍ତଟାକୁ ମଞ୍ଜୁର କରିଦେଲେ ।

 

ଗଙ୍ଗାଧର ଟିକିଏ ହସିଲେ । ଦସ୍‌ଖତ୍ ହୋଇଗଲା, ଧରି ସାନ ସାହେବଙ୍କ ଅଫିସକୁ ଫେରିଲେ । ଗତି ଦୁଇଗୁଣ ବଢ଼ି ଯାଇଥିଲା ।

 

‘ହେଲା—’

 

‘ଆଜ୍ଞା—’ ଗଙ୍ଗାଧରଙ୍କ ମୁଖରେ ଲୌହଗଡ଼ ବିଜୟର ସ୍ମିତହାସ୍ୟ ।

 

‘ଦେଖେ—’

 

ଗଙ୍ଗାଧର ଫାଇଲ୍‌ଟାକୁ ତରବରରେ ଖୋଲି ବୈଦ୍ୟନାଥଙ୍କ ଟେବୁଲ୍ ଉପରେ ଥୋଇଲେ । ସେନାପତି ଗଙ୍ଗାଧର କି ଅଦ୍ଭୁତ ଉପାୟରେ ଭୂତନାଥଙ୍କୁ ଫାଙ୍କି ଦେଇ ଆସିଚନ୍ତି, ବୈଦ୍ୟନାଥ ବୁଝିପାରିଲେ ନାହିଁ ।

 

ଗଙ୍ଗାଧରଙ୍କ ନୋଟ୍—‘ରାମାୟା ଚେଟ୍ଟୀ ବିଶ୍ଵାସ ହୀନ ଲୋକ ବୋଲି ସାଧାରଣରେ କଥିତ । ତେଣୁ ସେ ମାଗିଥିବା ଧାନ ପ୍ରକ୍ୟୁରମେଣ୍ଟ ପାଇଁ ଅନୁମତି ତାଙ୍କୁ ଦିଆଯିବା ଉଚିତ ନୁହେଁ-।’

 

ଭୂତନାଥବାବୁଙ୍କ ଅର୍ଡ଼ର ‘ରାମାୟା ଚେଟ୍ଟୀ ବିଶ୍ୱାସ ଯୋଗ୍ୟ ଅଟନ୍ତି । ତେଣୁ ତାଙ୍କୁ ଏଇଧାନ ପ୍ରକ୍ୟୁରମେଣ୍ଟ ପାଇଁ ଅନୁମତି ଦିଆଗଲା ।’

 

‘ଚମତ୍କାର— ଠିକ୍ କରିଚ । ଭୂତନାଥର ଭୂତ ବିଳି ବିଳେଇଗଲା ।

 

ସଂଧ୍ୟା ପ୍ରାୟ ସାଢ଼େ ପାଞ୍ଚ । ଭୂତନାଥ ବାବୁ ଅଫିସରୁ ବାହୁଡ଼ିବା ସମୟରେ ତାଙ୍କ କାନରେ ବୈଦ୍ୟନାଥଙ୍କର ଏଇତକ କଥା ଠୋ ଠୋ ଆଘାତ ଦେଲା । ପାଦ ବେତାଳିଆ ହୋଇଗଲା । ଆଶ୍ଚର୍ଯ୍ୟ ହେଲେ । ‘କ’ଣ— ସବୁ ଠିକ୍ ହୋଇଚି । ଭୂତନାଥର ଭୂତ ବିଳି ବିଳେଇଲା’— ତାଙ୍କ ଛାତିଟା ଧପ୍ ଧପ୍ ଉଠିଲା ଆଉ ପଡ଼ିଲା— ‘ସେମାନେ ମୋର ମନ କଥାଟା ବୁଝିଲେ କିପରି ?’ ଫେରିଯାଇ ବୈଦ୍ୟନାଥଙ୍କ ଠାରୁ ବୁଝିବା ପାଇଁ ମନ ଉଦ୍‌ବିଗ୍ନ ହେଲା । କିନ୍ତୁ ବିଜୁଳିବତି ଗୁଡ଼ିକଜଳି ଉଠିଲାଣି । ଫେରି ଯିବାକୁ ପଡ଼ିବ । ଘରେ ଯୌବନଭରା ଅଳକା—

 

 

ଭୂତନାଥବାବୁ ଅନ୍ୟ କିଛି ଭାବନାକୁ ପ୍ରଶ୍ରୟ ନଦେଇ ମୋଟର ଚଢ଼ିଲେ । ଗାଡ଼ିକୁ ଷ୍ଟାର୍ଟ ଦେବାପାଇଁ ସେଲ୍‌ଫ ଉପରେ ଆଙ୍ଗୁଠି ଟିପିବାକୁ ଯାଇ ହଠାତ୍ ତାଙ୍କର ହାତ ଟ୍ରମ୍ପେଟ ହର୍ଣ୍ଣ ଉପରେ ଜାକି ହୋଇଗଲା । ଚମକି ପଡ଼ିଲେ । ଉପରେ ଥିବା ବଟଦ୍ରୁମ ଉପରୁ କ୍ଷୁଦ୍ର ବଳାକା ପୁଞ୍ଜ କରର୍ କରର୍ ଉଡ଼ିଗଲେ ।

 

୧୩-୩-୫୬

Image

 

ମୁମୂର୍ଷୁ

 

ଧୂମାୟିତ ଗ୍ରୀଷ୍ମ ପ୍ରଭାତ ।

 

ପ୍ରଶସ୍ତ ନଗର କଲିକତାର ଚାରିଦିଗରୁ ଧୂମ୍ର-ବେଷ୍ଟନୀ ଯେପରି ନିଷ୍ପ୍ରଭ କରି ଦେଇଥାଏ । ତଥାପି ସେ ବିଶାଳ ନଗର ଯେପରି ସେଇ ବେଷ୍ଟନୀକୁ ଭେଦ କରିବା ପାଇଁ ତପ୍ତର ତାହାର ଅଭ୍ୟସ୍ତ କ୍ରୀଡ଼ା-କୌତୁକ ଓ ବିଳାସ-ବ୍ୟସନ ମାର୍ଗରେ । ସକଳ ଜନତା କର୍ମମୟ ଥିଲେ ।

 

ଉପରେ ଦୃତ ଚାଳିତ ବିଦ୍ୟୁତ୍-ବ୍ୟଜନ-ତଳେ ସୁଧା । ଗଣ୍ଡ ଉପରେ କୃଷ୍ଣ-ନୀଳ ମୁକ୍ତ କେଶ-ରାଶିର ନୃତ୍ୟଲୀଳା । ପଦ୍ମମୁଖ ଉପରେ ମୁକ୍ତାହାର ରଚନା କରିଦେଇଥାଏ କେତୋଟି ସ୍ଵେଦ ବିନ୍ଦୁ । ବେଶ ବିନ୍ୟାସରେ ସୁଧା ଆସକ୍ତ ଥିଲା ।

 

କେହି ଜଣେ ଟେବୁଲ୍ ଉପରେ ପାନ ପତ୍ରର ପୁଡ଼ା ଥୋଇ ଦେଇ ଚାଲି ଗଲା ।

 

ବାହାରେ ଅସଂଖ୍ୟ ଯାନ-ବାହନର ନିରବଚ୍ଛିନ୍ନ କର୍କଶ ଶବ୍ଦ । ସେହି କୋଳାହଳ ଭିତରେ କଳ୍ପନା ବାଧା ପାଇବା ସ୍ଵାଭାବିକ । କିନ୍ତୁ ସୁଧା ତହିଁରେ ଚିର ଅଭ୍ୟସ୍ତା । ଏହି ଶବ୍ଦ ହୁଏତ ତା’ର ବେଶ କଳ୍ପନାର ଅପକର୍ଷ ଠାରୁ ଉତ୍କର୍ଷ ସାଧନ କରିବା ସହର-ସୁଲଭ ।

 

ପ୍ରଶାନ୍ତ ହଠାତ୍ ସେଇ କକ୍ଷ ପ୍ରବେଶ କଲେ । ସୁଧା ବେଶ ଅନୁରକ୍ତ । ପାଖ ଟେବୁଲ୍ ଉପରେ ଦୁଇ ଖଣ୍ଡ ପାନ । ମନରେ ଘୃଣା ଜାତ ହେଲା । ସେଇଠି ସେ ଟିକିଏ ଠିଆ ହୋଇପଡ଼ିଲେ । କେଉଁଥି ପାଇଁ ଏ ଉଦ୍ଦେଗ, ତାଙ୍କ ମନ ଭିତରେ ଏ ଘନ ଘନ ଅସ୍ଵସ୍ତି, ସେଥିର ସଂଧାନ ସେ କରି ପାରିଲେ ନାହିଁ । ତଥାପି ସେ ସନ୍ଦେହ କରିବାର କାରଣ ଯେ ନିତାନ୍ତ ଅସଙ୍ଗତ ଏ କଥା ନୁହେ । ଘଟଣାର ଆବର୍ତ୍ତନ ଆଜି ତାଙ୍କର ଅନ୍ତରକୁ ଏପରି ବୁଦ୍‌ବୁଦ୍‍ କରି ରଖିଛି । ସେଥିର ଅପ୍ରତ୍ୟାଶିତ ପ୍ରରୋଚନାରେ ଦୁଇଟି ପାନ ଖିଲ ଧରି କକ୍ଷାନ୍ତର ହେଲେ । ସୁଧାର ସେ ଆଡ଼କୁ ଆଦୌ ଲକ୍ଷ୍ୟ ନଥିଲା ।

 

ପ୍ରଶାନ୍ତ ପାନପତ୍ରଟିକୁ ଫିଟାଇ ଦେଖିଲେ—ଭିତରେ ଖଣ୍ଡିଏ ପତ୍ର । ଉଦ୍‌ବେଗରେ ତାଙ୍କର ଛାତି ଥରି ଉଠିଲା ।

 

ସ୍ନେହର ସୁଧା,

 

ସଂଧ୍ୟା ସମୟରେ ପ୍ରଶାନ୍ତ ବାହରକୁ ଚାଲିଯିବେ । ମୋ ପାଇଁ ତୁମେ ଅପେକ୍ଷା କରିଥିବ-। ଭୁଲି ଯିବନି—

 

ତୁମର

ମୁଁ-

 

ହସ୍ତାକ୍ଷର ? କାହାର ଏ ? ହୃଦୟ ଭିତରେ ଗୋଟାଏ ଅଗ୍ନି, ପିଣ୍ଡୁଳା ଗୁଡ଼େଇ ତୁଡେଇ ହୋଇଗଲା । ପ୍ରଶାନ୍ତ ଦମ୍ଭଧରି ପାରିଲେନାହିଁ । ନାରୀକୁ ସ୍ଵାଧୀନତା ଦେବାରେ ସେ ଯେଉଁ ଏକ ମସ୍ତବଡ଼ ଭୁଲ୍ କରିଛନ୍ତି ଆଜି ତାହାର ପରିମାଣ ସେ ଅନୁଭବ କରିବାକୁ ପଡ଼ିବ । ଆଧୁନିକ ଯୁଗର ସ୍ଵାଧୀନତା କିପରି ସ୍ଵେଚ୍ଛାଚାରିତାରେ ପରିଣତ ହୋଇଛି, ତାହା ସେ ଉପଲବ୍‌ଧ କଲେ ।

 

ପ୍ରାଚୀନ ଓ ଅର୍ବାଚୀନ ଯୁଗର ସ୍ଵାଧୀନତା ମଧ୍ୟରେ ଯେଉଁ ପାର୍ଥକ୍ୟ ତାହା ସେ ଆଲୋଚନା କରି ପାରିନଥିଲେ । ବୈଦିକ ଯୁଗର ନାରୀ ସ୍ଵାଧୀନ-ଚେତା, ପାଳିକା, କଲ୍ୟାଣୀ ତଥା ଆଦର୍ଶ ଗୃହିଣୀ ଥିଲା । କିନ୍ତୁ ମଧ୍ୟାଦ୍ଦର ପ୍ରଥମ ଭାଗରେ ନାରୀଠାରୁ ପୁରୁଷ କୌଶଳରେ ସମସ୍ତ ଅଧିକାର ତଥା ଦାୟିତ୍ଵ ଗ୍ରହଣ କରିଥିଲା । କେଉଁଥି ପାଇଁ ? ସେ କଥା କି ପ୍ରଶାନ୍ତଙ୍କର ମୁଣ୍ଡ ଭିତରେ ପଶିଥିଲା ? ଯୌବନର ରଙ୍ଗିନ୍ ସ୍ଵପ୍ନରେ ଆତ୍ମ ବିସ୍ତୃତ ହୋଇ, ରକ୍ତର ପିପାସରେ କର୍ତ୍ତବ୍ୟ-ଅକର୍ତ୍ତବ୍ୟ ବୋଧ କରି ନପାରି, ଆଧୁନିକ ସମାଜର ପ୍ରଗତି ପୁରୁଷାର୍ଥ ଦେଖାଇ ସେ ସୁଧାକୁ କରିଥିଲେ ସ୍ୱାଧୀନା । ସେଥିରେ ଦୋଷ କା’ର ? ଦାୟୀ କିଏ ? ଆଜି ସେ ଅଙ୍ଗେ ଅଙ୍ଗେ ଅନୁଭବ କରିବାକୁ ପଡ଼ିବ ।

 

ଭାବନାର ଉତ୍ତେଜନାରେ ଅଥୟ ହୋଇ ପ୍ରଶାନ୍ତ ଚୌକି ଉପରେ ଢଳି ପଡ଼ିଲେ । ମସ୍ତିଷ୍କରେ ଶତ ବୃଶ୍ଚିକର ତୀବ୍ର ଦଂଶନ, ହୃଦୟରେ ପ୍ରତିହିଂସା ବହ୍ନିର ତୁଙ୍ଗ ଶିଖା ଜଳି ଉଠିଲା । ମନେ ହେଲା—ଦୁନିଆ ଯେପରି ଏହି କଳୁଷିତ ପ୍ରାଣକୁ ଧରି ଗୁରୁ ହୋଇ ରସାତଳରେ ବୁଡ଼ି ଯାଉଛି, ଆଉ ପରିତ୍ୟକ୍ତ ପ୍ରାଣୀ ଦୁହିଙ୍କୁ ଅଙ୍ଗୁଳି ନିର୍ଦେଶ କରି କହୁଛି, ‘ଏ ପାପୀ ଦୂର ହୁଅ, ଦୂର ହୁଅ ।’

 

‘ଧରଣୀ ଗର୍ଭରୁ ଆଜି ଏହି ଦୁଇ ପ୍ରାଣୀ ଲୀନହୋଇ ଯିବୁ ଏଇ କଥା ପ୍ରଶାନ୍ତଙ୍କ ମସ୍ତିଷ୍କ ଭିତରେ ପତ୍ରାଘାତ କରି ଚାଲିଲା ! କିନ୍ତୁ ଉପାୟ ? ସେ ସ୍ଥିର କଲେ । ସେଥିପାଇଁ ସେ ହୃଦୟଜ୍ଵାଳାକୁ ପ୍ରଚ୍ଛନ୍ନ ରଖିବାକୁ ପଡ଼ିବ; ଛଳନାରେ ସ୍ତ୍ରୀ ସହିତ ପ୍ରେମ-ସମ୍ଭାଷଣ ଝର ଫିଟାଇ ଦେବେ; ଆଉ ସେଥି ଭିତରେ ସେ ପାଇବେ ପ୍ରତିହିଂସାର ସୁଯୋଗ ।

 

ପ୍ରଶାନ୍ତଙ୍କର ତରୁଣ କବି-ସୁଲଭ ଅନ୍ତର ଥରି ଉଠିଲା । ଆଜି ସେ ନିଜ ହାତରେ ହତ୍ୟା କରିବାକୁ ଯାଉଛନ୍ତି—ଆପଣା ସ୍ତ୍ରୀକୁ । ଆଉ ସେ କରିବେ ଆତ୍ମହତ୍ୟା । ମନେ ହେଲା ଦୁନିଆରୁ ସେ ବିଦାୟ ନେବା ପୂର୍ବରୁ କିଛି ଦୁନିଆକୁ ଦେଇ ଯିବେ, —ଦେଇଯିବେ ତାଙ୍କର ଇତିହାସ, ଅନୁଭୂତି, ଜୀବନୀ, ପ୍ରତାରଣା ମୂଳକ କାହାଣୀ । କେତେବେଳୁ ହାତରେ କଲମଟା ରହି ଯାଇଚି । ଖଣ୍ଡିଏ କାଗଜ ? ପାଇଗଲେ । ଏଥର ଚାଲିଲା ଲେଖା ।

 

—ନାରୀର ବିଷାକ୍ତ କଟାକ୍ଷ ପାତରେ ଆଜି ପୁରୁଷର ଜୀବନ ଭସ୍ମୀକୃତ ହୋଇଚି । ଆଜି ? ଆଜି ନୁହେ । ଯୁଗ ଯୁଗ ଧରି ନାରୀ ଯେପରି ପୁରୁଷରେ ପରମ ଶତ୍ରୁ । ଜୀବନର ମାନଦଣ୍ଡ ଉପରେ ଠିଆହୋଇ ଅଯାଚିତ ଭାବରେ ପୁରୁଷକୁ ଦଳିଦେଇ ଯାଇଛି ନାରୀ—ଯାହାର ରୂପ-ସୌନ୍ଦର୍ଯ୍ୟ ଗଢ଼ା ହୋଇଛି ବିଷ-ମନ୍ଥନରେ, ଯାହାର ଭ୍ରୂଯୁଗଳରେ ଭୁଜଙ୍ଗ ନୃତ୍ୟ କରି ଚାଲିଚି, ଯାହାର ଅଧର-ପୁଟରେ ହଳାହଳର ଗଭୀର ରକ୍ତିମା ଉକୁଟି ଉଠିଚି, ଯାହାର ବଚନ କୋମଳ ହୃଦୟକୁ ମନ୍ଥି ଦେଇ ରୁଧିର ସ୍ରୋତ ଫିଟାଇ ଦେଇଛି, ଯାହାର ବାହୁ ବେଷ୍ଟିତ କେୟୂର-ବଜ୍ରର ପ୍ରତିଘାତରେ ଅବୟବ ଚୂର୍ଣ୍ଣୀକୃତ ହେଇଚି—ସେହି ନାରୀ—ମାୟାବିନୀ, ଗୌରବର କୀଟ !

 

ପୁରୁଷ ! ହାୟରେ ପୁରୁଷ !! ଦୁର୍ଭଗ !!! ନାରୀର ଚରଣ ତଳେ ତା’ର ସମସ୍ତ ସ୍ଵକୁ ଢାଳି, ନାରୀଠାରେ ନିଜର ଜୀବନକୁ ସମର୍ପି ଦେଇ ପୁଣି ନାରୀକୁ ମାଗୁଛି ଭିକ୍ଷା । କି ଅମାୟିକତା, କି ବିଶ୍ୱାସ, କି ଦୁର୍ବଳତା ! ସେ କି ଶୁଣି ନାହିଁ ଦ୍ରୌପଦୀର କଥା—ଯେ ବଂଶ-ନିର୍ବଂଶ କରିବା ପାଇଁ ରକ୍ତପିପାସିନୀ ହୋଇ ଉଠିଥିଲା ?

 

ମୃଗତୃଷ୍ଣିକାର ପଛେ ପଛେ ଧାଇଁ ପ୍ରାଣ ବିସର୍ଜନ କରିବାକୁ ପୁରୁଷ ଏଡ଼େ ଆକୁଳ ? ସେକି ଜାଣିନାହିଁ ନାରୀର ଇନ୍ଦ୍ର ଜାଲ ? ସେ ପରା ପୁରୁଷର ଯମ ! ମର୍ତ୍ତ୍ୟକୁ ଆସିଥାଏ— ପୁରୁଷର ଜୀବନକୁ ରକ୍ତ କୁଣ୍ଡରେ ଆହୂତି ନେବା ପାଇଁ ।

 

ପୁରୁଷ—ସବୁ ଜାଣେ । ତଥାପି ନାରୀର ଶକ୍ତି ସମ୍ମୁଖରେ ତାର ଶକ୍ତି ପରାଜିତ । ଏତ ସୃଷ୍ଟିର ରହସ୍ୟ–ତା’କୁ ବ୍ୟତିରେକ କରିବାକୁ ପୁରୁଷର ବା ସମ୍ବଳ କାହିଁ ? ସେ ଆସିଥାଏ ଅଭିଶପ୍ତ, ପ୍ରତାରିତ ହେବା ପାଇଁ । ଦୁନିଆ ରଙ୍ଗମଞ୍ଚରେ ଅଭିନୟ ଶେଷକରି ଚାଲିଯାଏ ଦୂରକୁ । ଚିର ଆଶାରତ ଜୀବନର ପୃଷ୍ଠ ଉପରେ ଯେତେବେଳେ ଶେଷ ଯବନିକା-ଦଣ୍ଡ ଆଘାତ ଦିଏ, ସେତେବେଳେ ସେ ସ୍ମରଣ କରେ ସେଇ ସ୍ରଷ୍ଟାକୁ । ଏଇତ ଲୀଳା ।

 

ଆଜି ସେ ନାରୀର ଆଶା ପୂରଣ କରିବାକୁ ଯାଇ ପୁରୁଷ କଙ୍ଗାଳ ରୂପ ଧାରଣ କରିଛି ।

 

ସେଥିର ଦୃଷ୍ଟାନ୍ତ ମୁଁ ନିଜେ । ଲୋକେ ନହସି ରହିପାରିବେ ନାହିଁ । ହଁ— ହସିବା କଥା ମଧ୍ୟ କିଛି ଅଛି । ମୁଁ କହିବାକୁ ଯାଉଛି ମୋର ଜୀବନିକା । କାହାପାଇଁ ? —ନାରୀପାଇଁ—, ଯେ ମତେ ପଥର ଭିକ୍ଷୁକ କରିଛି—ଯାହାର ମାୟାରେ ପଡ଼ି ମୋର ସୁଖ–ଜୀବନ ବିଭୀଷିକାଗ୍ନିରେ ପୋଡ଼ି ହୋଇ ଯାଇଛି । ବଞ୍ଚିଛି କେବଳ ମୋର ପ୍ରେତ । ଆଜି ସେହି ଜାଗରିତ ପ୍ରେତ ଆପଣମାନଙ୍କ ନିକଟରେ ତା’ର ଜୀବନ୍ତ-କାହାଣୀ ଖୋଲି କହିବ । ମାନବ ! ସାବଧାନ ! ! ମନଯୋଗ ସହିତ ଶୁଣ; ଜୀବନର ପରମ ଉପକାର-ବାଣୀ; ନାରୀର ପଦ୍ମବ୍ୟୂହରେ ପଡ଼ି ପ୍ରଣୟ-ସମର ଚଳାଇବା ବେଳେ ତୁମର ଏ ଜୀବନୀ ହେବ ରକ୍ଷା-କବଚ ।

 

ମୁଁ ଯୁବକ । ମୋର ଶିରା-ପ୍ରଶିରାରେ ତପ୍ତ ରକ୍ତର ପ୍ରସ୍ରବଣ ଫୁଟି ପଡ଼ୁଛି । ମୋର ଜ୍ଵଳନ୍ତ ଆଖିରେ ଯୌବନର ରଙ୍ଗୀନ୍ ଚଷମା । ତଥାପି ହୃଦୟରେ କୋମଳତା ନାହିଁ, ଅଧର ରେ ମଧୁର ହାସ୍ୟ ନାହିଁ; ବେଶ-ପରିପାଟୀରେ ସୌଖୀନତ । ନାହିଁ, — କିଛି ନାହିଁ । ଭାବିବା—ଏତେ ଅଳ୍ପ ବୟସରେ ଏଡ଼େ ନିରାଶା, ହତାଶା, ବିରାଗ କାହିଁକି ? ସତ କଥା । ମୋର ଜୀବନ ଅତି କ୍ଷୁଦ୍ର, ଅସମାପ୍ତ ତଥାପି ସମାପ୍ତ । ସଂସାରର ସୁଖ-ଦୁଃଖ, ବାଧା-ବିଘ୍ନ, ଆଶା-ନିରାଶା, ମିଳନ-ବିରହର ସମସ୍ତ ଚିତ୍ର ମୋ କ୍ଷୁଦ୍ର ଜୀବନ-ନାଟିକାରେ ଲିପିବଦ୍ଧ ହୋଇ ସାରିଛି । ତେଣୁ ଆଜି ମୁଁ ନିର୍ଭୀକ ଭାବରେ କହିପାରିବି—ମୁଁ ତରୁଣ ତଥାପି ସଂପୂର୍ଣ୍ଣ ପରିପକ୍ଵ, ପ୍ରୌଢ଼ । ସେଥିପାଇଁ ଆଜି ଶେଷ ଜୀବନର ସିଦ୍ଧାନ୍ତ-ପୀଠ ଉପରେ ଦଣ୍ଡାୟମାନ ହୋଇ ଆତ୍ମଜୀବନର ବିଦ୍ରୂପମୟ ଇତିହାସକୁ ଉଦ୍‌ଘାଟିତ କରି ଯାଉଛି । ଲଜ୍ଜା ଲାଗୁଛି, ଅପମାନରେ ମୁଣ୍ଡ ଛିଡ଼ି ପଡ଼ୁଛି । ହାୟ ନାରୀ ! କି ଲଳିତ-ରୁଦ୍ର ତୋର ମୂର୍ତ୍ତି ! କି ଅଟ୍ଟହାସ, ପୈଶାଚିକ ଲୀଳା, ବିଦ୍ରୋହ, ବିଶୃଙ୍ଖଳାର ହେତୁ ତୁ !

 

ଅହିଂସା ! କାହିଁ ଅହିଂସା ? ଜଗତ ବକ୍ଷରେ ହିଂସାର ବହ୍ନି, ଅନବରତ ଜଳୁଚି । ହିଂସାର ତୀକ୍ଷ୍ନ ଖଡଗ୍‌ଧାର ପ୍ରତି ନିମିଷରେ ବଧକରି ଯାଉଛି ଲକ୍ଷ ଲକ୍ଷ ପ୍ରଜା । ହିଂସାର ବୈର–ବିହ୍ନି, ଜାତି ଜାତି, ଗୋଷ୍ଠୀ-ଗୋଷ୍ଠୀ, ବ୍ୟକ୍ତି-ବ୍ୟକ୍ତି ମଧ୍ୟରେ ଧ୍ବଂସ ଲୀଳା ପ୍ରତିମୁହୁର୍ତ୍ତରେ ଲଗାଇ ଦେଉଛି । ପ୍ରଳୟଙ୍କର ସମରର ମୁହୁର୍ମୁହୁ ଅଭିଯାନ ଧରା ପୃଷ୍ଠରେ ଲାଗି ରହିଛି । ଆଉ କେଉଁଠୁ ପାଇବ ଅହିଂସା । ଶାନ୍ତି ! କାହିଁ ଶାନ୍ତି ? ମୋର ରକ୍ତ ପିପାସୁ ହୃଦୟରେ ଶାନ୍ତିର ପ୍ରତିଷ୍ଠା କାହିଁ ? ମୋର ନୟନ କୋଣରେ ଶାନ୍ତିର ବିନୀତ ଚାହାଁଣୀ କାହିଁ ? ଶାନ୍ତିର ବୃକ୍ଷ ମୂଳୋତ୍ପାଟିତ ହୋଇଛି । ଏହି ବିପ୍ଲବ-ଯୁଗର ଶାନ୍ତି ଲୋପ ପାଇଛି । ଆଉ ଶାନ୍ତି ନାହିଁ ।

 

ସତ୍ୟ ! କାହିଁ ସତ୍ୟ ? ପତିର ତଟି ଚିପି ଯେଉଁ ପତ୍ନୀ ହାସ୍ୟ ମୁଖରା ହୋଇ ପାରୁଛି, ପତିର ବକ୍ଷ ଚିରି ଯେଉଁ ପତ୍ନୀ, ରକ୍ତଧାର ଶୋରଡୁଛି, ପତିର ଚକ୍ଷ୍‌ ଫୁଟାଇ ଯେଉଁ ପତ୍ନୀ, କରୁଛି ବ୍ୟଭିଚାର, ତା’ ପକ୍ଷରେ ପୁଣି କାହିଁ ସତ୍ୟ ? ଜଗତରେ କାହିଁ ସତ୍ୟ ?

 

ସୁନ୍ଦର ! କାହିଁ ସୁନ୍ଦର ? ଯେଉଁ କ୍ଷଣିକ ସୁନ୍ଦର ରୂପ ପାଇ ନାରୀ ଭୁଲି ଯାଉଛି ଜୀବନର ମୌଳିକ ସତ୍ୟ, ଅହିଂସା, ଶାନ୍ତି, ସେଠାରେ ସୁନ୍ଦରର ଗୌରବ ରହିଲା କେଉଁଠି ? ଯେଉଁ ନାରୀ ସୁନ୍ଦର ଘେନି ବ୍ୟଭିଚାର-କ୍ରୀଡ଼ା କରୁଛି, ସେଠାରେ ସୁନ୍ଦରର ମହତ୍ଵ ରହିଲା କେଉଁଠି-? ଆଉ ସୁନ୍ଦର କାହିଁ ?

 

ଶିବ ! ଆସ ଶିବ ! ତୁମର ରୌଦ୍ର ବେଶରେ ଓହ୍ଳାଇ ଆସ ! ଲଲାଟ ଲୋଚନର ଜ୍ଵଳନ୍ତ ଅଗ୍ନିରେ ଏ ସୃଷ୍ଟିକୁ ଧ୍ଵଂସ କର ! ମୋର ଲେଖନୀ ଉପରେ ତୁମର ପୀନାକର ଶକ୍ତି ବୃଷ୍ଟିକର । ଲେଖିଯିବି— ଆଜି ମୋର ବିଭୀଷିକାମୟ ଜୀବନକାହାଣୀ ଲେଖିଯିବି । ସମସ୍ତେ ପଢ଼ିବେ— ଜଗତ ଶୁଣିବ । ଶୁଣିବେ ପଶୁ ପକ୍ଷୀ, ତରୁ ଲତା । ଜାଣିବେ— ଗଗନ, ପବନ, ସାଗର, ସରିତ ।

 

ଆଜି ଏ ମୋର ଉଚ୍ଛ୍ୱାସ ଆପଣମାନଙ୍କ ହୃଦୟରେ କୋହ ଜମାଇ ଦେବ । ମୋତେ କେହି କେହି ଚିହ୍ନନ୍ତି । ମୋ ସହିତ ଚାକ୍ଷଷ ପରିଚୟ ନଥିଲେ ମଧ୍ୟ ମୋର କବିତା, ଗଳ୍ପ, ଉପନ୍ୟାସଗୁଡ଼ିକୁ ଚିହ୍ନନ୍ତି । ହୁଏତ ମୋର ପୂର୍ବ ପରିଚିତ ସଖା-ମିତ୍ର, ବଂଧୁ-ବାଂଧବ ମୋର ଏ ଉଚ୍ଛ୍ୱାସ ଶୁଣି କିଏ ଟିକିଏ ହସିବେ, ଆଉ କିଏବା ଟିକିଏ ଅଶ୍ରୁ ଢାଳିବେ । ସେଥିରେ ମୋର ଯାଏ ଆସେ କଅଣ ? ନାରୀର ପ୍ରବଞ୍ଚନାରେ ମୁଁ ଯେତେବେଳେ ଆତ୍ମହତ୍ୟା କରିବାକୁ ଯାଉଛି, ଅନ୍ୟର ମମତା-ଉପହାସ ପ୍ରତି ମୋର ଲକ୍ଷ ହେବ କାହିଁକି ?

 

X X X

 

ଭାବନା-ସ୍ରୋତରେ ବାଧାଦେଇ ସୁଧା ଆସି ଡାକିଲା, ‘ବଢ଼ା ହୋଇଛି ।’

 

ପ୍ରଶାନ୍ତ ହଠାତ୍ ପ୍ରକୃସ୍ଥିତ ହୋଇ ହୋଇ ସରଳ କଣ୍ଠରେ କହିଲେ, ‘ତୁମେ ଖାଇଲଣି ?

 

‘ନା’

 

ଦମ୍ଭଧରି ପ୍ରଶାନ୍ତ କହିଲେ, ‘ମୋର ଖିଆତ ଦୁଇ ଘଣ୍ଟାବେଳେ— ତୁମେ ଜାଣ । ମୁଁ ବାରମ୍ବାର କହିଲିଣି ମୋ ପାଇଁ ତୁମେ ଅପେକ୍ଷା କରନ । ବୋଲି । କିନ୍ତୁ ବୃଥାରେ ମୋ ପାଇଁ ଟାକି ରହି ଦେହକୁ ବିଗାଡ଼ି ଦେଉଛ ।

 

ପ୍ରଶାନ୍ତ ଉଠି ପଡ଼ି ସୁଧାର ଖାନ୍ଦ ଉପରେ ମୃଦୁ କରାଘାତ ଦେଇ କହିଲେ, ‘ଦେଖିଲ କିମିତି ଶୁଖିଗଲଣି ।’

 

ସୁଧା ସୋହାଗ ବୋଳା ମୁହଁରେ କହିଲା, ‘ଆପଣଙ୍କର ଦେହ କ’ଣ ଆଉ ସୁସ୍ଥ ଅଛି ?’

 

ପ୍ରଶାନ୍ତ ଟିକିଏ ହସିଲେ । ସେ ହମ-ସମୁଦ୍ର ଭିତରେ ଯେ ଉତ୍କଟ ହଳାହଳ ଲୁଚି ରହିଚି–ଏ କଥା ସୁଧା ବା ଜାଣିବ କିପରି ? ସେ ମୁହଁପୋତି ଦେଲା-ସେ ପତି-ସୋହାଗିନୀ ହୋଇ ପାରିଚି, —ଏ ଭାବ ତା ହୃଦୟରେ ସୃଷ୍ଟି କଲା ରସ-ନଦ ।

 

ପ୍ରଶାନ୍ତ ଆସନ ଉପରେ ବସି ପଡ଼ିଲେ । ସୁଧା ଠିଆ ହୋଇ ରହିଲା, ଯେପରି ଅନ୍ୟମନସ୍କା । ‘ଠିଆ ହେଲ ଯେ, ଆସ, ଖାଇବା ।’

 

ସୁଧା ଭୂଇଁରେ କରଭରା ଦେଇ ବସିଲା । ପ୍ରଶାନ୍ତ ସ୍ମିତ ମୁଖରେ ପଚାରିଲେ, ‘ସୁଧା, ‘ନିଓଗେଡିନ୍’ ଟାନିକ୍ ଟା ନିୟମିତ ଭାବେ ଖାଉଚ ତ ?’

 

ସୁଧା ମଥା ହଲାଇ କହିଲା, ‘ହଁ ।’

 

‘ମୁଁ ଭାବୁଚି ଏଥର ତୁମର ଝିଅଟିଏ ହେବ ।’

 

ସୁଧା ଟିକିଏ ଲଜ୍ଜାନତା ହେଲା । ଏତ ତା’ର ପ୍ରଥମ ଅନୁଭୂତି ନୁହେ । ପତି ସଙ୍ଗେ ସେ ତିନି ବର୍ଷ କଟାଇ ଆଗରୁ ମାତୃତ୍ଵର ସ୍ଥାନ ପାଇଛି । ‘ହେଉ ଆପଣଙ୍କୁ କେବଳ ଲୋଡା ପୁଅ ।’ କଟାକ୍ଷରେ ଥିଲା ପ୍ରଗଲ୍‌ଭତା ।

 

ପ୍ରଶାନ୍ତ ଡେବିରି ହାତରେ ସୁଧାର ଉରୁ ଉପରେ ପୁଳାଏ ଚିମୁଟି ଦେଲେ । ସେ ଚିମୁଟାରେ ଥିଲା ରୁକ୍ଷତା । ସ୍ନିଗ୍‌ଧତା ବା ଆସିବ କେଉଁଠୁ ?

 

ଭୋଜନ ସରିଲା । ଦୁହେଁ ସଂଲଗ୍ନ ଶୟନ-କକ୍ଷ ଭିତରେ ପ୍ରବେଶ କଲେ । ପ୍ରଶାନ୍ତ ଅନୁଭବ କଲେ ଯେପରି ସେହି ଲୁହା, ଚୂନ, ଇଟା ନିର୍ମିତ ଗର୍ଭରୁ ଛାତଟା ତାଙ୍କର ମୁଣ୍ଡ ଉପରେ ମାଡ଼ି ପଡ଼ୁଛି ।

 

ପ୍ରଶାନ୍ତ ଶେଯ ଉପରେ ବସିପଡ଼ିଲେ । ସୁଧା ଯେପରି ପତିର ନୟନ-ଦୀପ୍ତିକୁ ଟିକଏ ଝଲସାଇ ଦେଇ ଖଣ୍ଡିଏ ପାନ ପାଟିରେ ଗୁଞ୍ଜି ଦେଲା । ଗବାକ୍ଷର ନୀଳ ଫର୍ଦାକୁ ବ୍ୟସ୍ତ କରି ନିଦାଘ-ମେଘା-ବୃତ-ଗଗନ ପ୍ରାନ୍ତରୁ ସମୀର ଗଣ୍ଡକୁ ସ୍ପର୍ଶ କରିଗଲା । ଯେଉଁଥିରୁ ଲୋକେ ଅସୀମ ସୁଖ ଅନୁଭବ କରନ୍ତି, ସେଇଥିରୁ ସେ ପାଇଲେ ତୀବ୍ର ଜ୍ଵାଳା । କ୍ଷୋଭରେ ପ୍ରଶାନ୍ତ ସୁଧା ଆଡ଼େ ଥରେ ଚାହିଁଲେ । ପବନ ମନ୍ଥର ହୋଇଆସିଲା । ଆଉ ସେଇ ମନ୍ଦ ସମୀରଣର ମୃଦୁ ଘାତରେ ସୁଧାର ଗଣ୍ଡଫଳକ ଉପରେ କେତୋଟି କୁଞ୍ଚିତ କେଶରାଶି କୃଷ୍ଣ ଭୃଙ୍ଗ ସଦୃଶ୍ୟ ନୃତ୍ୟ କରି ଉଠିଲା-। ସୁଧାର ବକ୍ଷ ଆଡ଼େ ପ୍ରଶାନ୍ତଙ୍କ ଦୃଷ୍ଟି ଢଳି ଆସିଲା । ପ୍ରଶାନ୍ତ ଆଉଜି ପଡ଼ିଲେ ସେଇ ଆଡ଼େ, ଟିକିଏ ସ୍ଫୁରଣ ସୁଧାର ଅଙ୍ଗରେ ଖେଳାଇ ଦେବେ ବୋଲି ।

 

ସେ ଟିକିଏ ହସି ଦେଇ ପ୍ରଶାନ୍ତଙ୍କୁ ଅଭ୍ୟର୍ଥନା ଜଣାଇଲା ଭଳି ମନେ ହେଲା ।

 

ପ୍ରଶାନ୍ତ ଚମକିଲା ପରି ଉଠିପଡ଼ି ପ୍ରସାଧନ-କକ୍ଷ ଭିତରକୁ ଯାଉ ଯାଉ କହିଲେ, ‘କବାଟ ବନ୍ଦ କରି ଦିଅତ ।’

 

ସୁଧା ତା’ର ମଦୀରାଳସ ଦେହକୁ ଉଠାଇ କବାଟ କିଳିବା ପାଇଁ ଗଲା ।

 

ଅପଲକ ବ୍ୟବଧାନରେ ପ୍ରଶାନ୍ତ ପୁଣି ଶୟନ କକ୍ଷରେ ପ୍ରବେଶ କଲେ ।

 

କବାଟ ଦେଉ ଦେଉ ସୁଧାର ବକ୍ଷ ଉପରେ ବାଜିଲା ପ୍ରଶାନ୍ତଙ୍କ ରିଭଲଭର୍ ଗୁଳି—

 

କବାଟ ଫିଟାଇ ସୁଧା ପାଉଛ ଓହ୍ଳାଉ ଓହ୍ଳାଉ ଢ଼ଳି ପଡ଼ିଲା—

 

ପ୍ରଶାନ୍ତ ନିଜ ବେକର ଦୁଇ ପଖାରେ ଦୁଇଟି ଗୁଳି ଚୋଟ ବସାଇ ଶେଯ ଉପରେ ଢଳିପଡ଼ିଲେ-

 

ଗୁଳିର ଘନଘନ ଅବାଜରେ ନିଶାନ୍ତ ଧାଇଁ ଆସି ଦେଖିଲା–ସୁଧା–ବକ୍ଷରୁ ଛୁଟିଚି ରକ୍ତ ଝରଣା !

 

X X X

 

କଲିକତା ହାସ୍‌ପତାଲ୍ । ସଂଧ୍ୟା ପାଞ୍ଚଟା ବେଳେ ପ୍ରଶାନ୍ତଙ୍କ ଦେହରେ ଆସିଲା ଚେତନା-। ଆଖି ମେଲି ଦେଖିଲେ ପାଖରେ ନିଶାନ୍ତ—ଆପଣା ଭାଇ । ହାତଧରି ବାଷ୍ପାବରୁଦ୍ଧ କ୍ଷୀଣ କଣ୍ଠରେ ଡାକିଲେ, ‘ଶାନ୍ତ—’

 

ନିଶାନ୍ତର ସଜଳ ଚକ୍ଷୁ ଭେଦ କରି ବହିଗଲା ଅଶ୍ରୁଧାର । ଷୋହଳ ବର୍ଷର କିଶୋର ସେ-। ଶୋକ ଗଦ୍‌ଗଦ୍‍ କଣ୍ଠରେ ବାକ୍ୟ ସ୍ପୁରିଲା ନାହିଁ ।

 

ପ୍ରଶାନ୍ତଙ୍କ ଦୁଇ ଆଖିରୁ ଦୁଇ ଟୋପା ଲୁହ ଝରି ପଡ଼ିଲା । ‘ଶାନ୍ତ, ବଡ଼ ଭାଇ ହୋଇ ତୋ’ ପାଇଁ ମୁଁ କିଛି କରି ପାରିଲି ନାହିଁ । ଦୁନିଆକୁ ଆସିଥିଲି କେବଳ ବାପା–ମା, ଭାଇ-ଭଉଣୀ-ଏଇ ପଦଟିମାନ ଶିଖିଯିବା ପାଇଁ । ଯବନିକା ପଡ଼ି ଆସିଲାଣି । ବାପା-ମା, ଭାଇ-ଭଉଣୀ କାହାକୁ ଦେଖି ପାରିଲି ନାହିଁ, କହିଦେବୁ—’

 

କିଛିକ୍ଷଣ ନୀରବ ହେବା ପରେ ପ୍ରଶାନ୍ତ ହଠାତ୍ ଚମକି ଉଠିଲା ପରି ପ୍ରଶ୍ନ କଲେ, ‘ସୁଧା କେଉଁଠି ?’

 

ନିଶାନ୍ତ ଉତ୍ତର ଦେଲା, ‘ବଉ ଭଲ ଅଛନ୍ତି ।’

 

ପ୍ରଶାନ୍ତ ଆଉ କିଛି କହିଲେ ନାହିଁ । ତାଙ୍କର ମୁମୂର୍ଷୁ ଆତ୍ମା ଡାକି ଉଠିଲା ‘ସେ ଯଦି ବଞ୍ଚିଯାଏ—

Image

 

ଭଗ୍ନ କଙ୍କଣ

 

ଏକ ସ୍ମରଣୀୟ ଦିବସ—

 

ଶିଶିର ରଜନୀ ଅତିକ୍ରାନ୍ତ ହୋଇଥିଲା । ଆଜି ଯାଏଁ ବସୁଧା ଉପରେ ଯେଉଁ ପ୍ରାଭାତିକ ରବି କିରଣ ଝରି ଆସିଚି ତାହାହିଁ ସେଦିନ ବିଞ୍ଛି ହୋଇ ପଡ଼ିଥିଲା—ଗତାନୁଗତିକ ଭାବରେ । ନୂତନତା ବା ପ୍ରାଚୀନତା ନଥିଲା ତହିଁରେ । ତଥାପି ଆମେ ଅନୁଭବ କରୁଥିଲୁ ଆନନ୍ଦ । ଆମର ତ୍ରିକୋଣ ବିଶିଷ୍ଟ ପ୍ରିଜମ୍ ଚକ୍ଷୁରେ ସେଦିନ ଏଇ ସୃଷ୍ଟି ଜ୍ୟୋତିର୍ମୟ ଦିଶୁଥିଲା ।

 

ଧରଣୀର ଉତ୍ସଙ୍ଗରେ ସଦ୍ୟ କନକିତ ମୟୂଖ ଜନତାକୁ ଜାଗ୍ରତ କରି ଦେଇଥିଲା । ସଭିଙ୍କ ହୃଦୟରେ ଆନନ୍ଦର ଉତ୍ସ ।

 

ସହରର ଅନତି ଦୂରରେ ଡାକବଙ୍ଗଳା । ନିର୍ଜନ । ଚତୁର୍ଦିଗରେ ପ୍ରକୃତିର ଅସରନ୍ତି ଶୋଭା ପସରା । ଚୂତ ବନର ବିରାଟ ପଟୁ ଆର ତଳେ ଶ୍ୟାମ-ଦୁର୍ବାର ମର୍କତ ମୁକୁର ନୀଳ ଗଗନ ଦର୍ପଣକୁ ସ୍ପର୍ଶ କରିଚି । ପ୍ରକୃତିରେ ଏଇ ଜନହୀନ ସ୍ଥାନଟି ସେଦିନ ଜନ ସମାଗମରେ ପୂରି ଉଠିଥିଲା । ମନ୍ତ୍ରୀଙ୍କର ଶୁଭାଗମନ ବାର୍ତ୍ତା ଆସିଚି । ଘଣ୍ଟାକ ଭିତରେ ସେ ପହଞ୍ଚିଯିବେ ।

 

ଶିଖରୀଉଚ୍ଚ ସ୍ତମ୍ଭ ଉପରେ ଧ୍ଵଜା ଉଡ଼ୁଚି । ସ୍ଵାଧୀନ ଧ୍ୱଜା, କି ସୁନ୍ଦର, ପବନର ମୃଦୁ ହିଲ୍ଲୋଳରେ ଏକ ବିଚିତ୍ରତା ଭିଆଇ ତରଙ୍ଗାୟିତ ଭେଳା ପରି ସେ ଉଡ଼ୁଥିଲା, ସେଥିକୁ ହିଁ ମୁଁ ଚାହିଁ ରହିଥିଲି—ଲୋକାରଣ୍ୟ ଭିତରେ ମୁଁ ଜଣେ ।

 

କେଉଁ ଏକ ଗୋଷ୍ଠୀର ତର୍କାଳାପ ଭିତରୁ ଶୁଭିଲା ‘ମନ୍ତ୍ରୀ ଆସିବେ ବୋଲି ସେ ଯେଉଁ ବଡ଼ ଲୋକ ଆମ ଗାଁରେ ଅଛନ୍ତି ସବୁ କାର୍ଯ୍ୟ ତୁଲାଇବା ପାଇଁ ଆଗୁଆ ହୋଇଚନ୍ତି, କରନ୍ତୁ ହୋ, ଦେଖିବା କିମିତି ଗଣ୍ଡଗୋଳ ନଥାଇ ଚଳାଇ ନେବେ ।’

 

ଅନ୍ୟ ଏକ ଗୋଷ୍ଠୀ ମଧ୍ୟରୁ ‘ଆମର ପଇସା କିଛି ଖର୍ଚ୍ଚ ହେବନି, ସେ ସବୁ କରିବେ, ଆମେ ଭୋଜିରେ ବସି ପଡ଼ିଲେ ଯଥେଷ୍ଟ ।’

 

ଅନ୍ୟ ଏକ ଠାରୁ ‘ଫୋଟ ନେବାବେଳକୁ ଆମେ ଠିକ୍ ମନ୍ତ୍ରୀଙ୍କ ପଛରେ ଠିଆହୋଇ ପଡ଼ିବା । ଆମର ଛବି ଗୋଟାଏ ରିକର୍ଡ ହେଦ । ଏ ସବୁଥିରେ ଯାଏ ଆସେ କେତେ ?’

 

ପୁଣି ଇତର ସମାବେଶ ଭିତରୁ ‘ଏଇଠି ପୁରୁଷ ସ୍ତ୍ରୀ ସଭିଙ୍କର ବଢ଼ିଆ ଯୋଗ ।’

 

ଏମିତି କେଉଁଆଡ଼ୁ କେତେ ଲୋକ ବକି ଯାଉଚନ୍ତି ଗଣନା ନାହିଁ । ବ୍ୟବସ୍ଥା କରିବା ଲୋକ କିନ୍ତୁ ନିରୀହ । ଧନୀ ହେଲେ ବି ବେଶ ପରିପାଟୀ, ଚାଲିଚଲଣ, କଥାବାର୍ତ୍ତା ସବୁଥିରେ ସରଳ ଓ ସାବଲୀଳ । ତାଙ୍କର ଏ ଆୟୋଜନରେ କିଛି ସହାୟକ ହୋଇ ମୁଁ ଥିଲି । ଏ ସବୁ ଆଡ଼ମ୍ବରରେ ମୋର ଯଦିଚ କୌଣସି ସ୍ପୃହା ନଥାଏ ତଥାପି ଅଂଶ ଗ୍ରହଣ କରିବାରୁ ପଡ଼ିଥିଲା, ଯେହେତୁ ସେ ମୋର ପରମ ବଂଧୁ ।

 

ଆତିଥ୍ୟ ଚର୍ଚ୍ଚା ଆୟୋଜନ ବୁଝିବା ପାଇଁ ଭିତରକୁ ଆସିଲି । ଭୋଜନ ସମ୍ଭାର ଜାଗ୍ରତ କରିବା ଭାର ମୋ ଉପରେ ନ୍ୟସ୍ତଥିଲା । ସରଞ୍ଜାମ ପ୍ରଚୁର ଭାବରେ ଆସିଥାଏ । ସୁଚାରୁ ରୂପେ ଚଳାଇନେଲେ ହେଲା ।

 

କାର୍ଯ୍ୟବ୍ୟସ୍ତତା ଭିତରେ ସୂର୍ଯ୍ୟ କ୍ରମେ ଅସ୍ତ ହୋଇ ଆସିଲେ ।

 

ପତାକା ଉଡ଼ୁଚି ।

 

ଦଳେ ଅଫିସର ପହଞ୍ଚିଗଲେ । ଚାଲିଲା ସେମାନଙ୍କର ବକ୍ତୃତା ।

 

ଜୀବନକୁ ହତ୍ୟା କରିବା ପାଇଁ ରକ୍ତ କାହିଁକି ଏଡେ ଚଞ୍ଚଳ ହୁଏ ଅଥଚ କାଙ୍ଗାଳକୁ ମୁଠେ ଭାତ ଦେବାପାଇଁ ମନ କାହିଁକି ପରାନୁଖ ହୁଏ ବୁଝିବା କଠିନ ।

 

ପ୍ରଥମ— ‘ଖଟଗୁଡ଼ିକ ଠିକ୍ ଭାବରେ ସଜା ଯାଇନି ।’

 

ଦ୍ଵିତୀୟ— ‘ଡିନ୍ନର ଟେବୁଲ୍‌ର କନାଟି ସୁନ୍ଦର ଦିଶୁନି ।’

 

ତୃତୀୟ— ‘ସବୁ ହେଲା କିନ୍ତୁ— ତରକାରି ଅନ୍ତତଃ କୋଡ଼ିଏ ରକମର ବିଭିନ୍ନ ରୁଚି ନେଇ ବନାଇବାର ଥିଲା ।’

 

ମନ୍ତ୍ରୀ ଆସିବେ । ଏଇଠି ଗୋଟିଏ ରାତି ପାଇଁ ଅତିଥି ହେବେ । ଏମାନେ ଆଗରୁ ଧରାଛୁଆଁ ନଦେଇ ବିବାହବେଳକୁ ଆସି କହୁଚନ୍ତି ବେଦୀ ଉପରେ ପିଢ଼ାଟା ଖରାପ ଦିଶୁଚି । ଭଲ ମଣିଷ !

 

ପୋଷ୍ଟ ମେନ୍ କାର୍ଡ଼ ଖଣ୍ଡେ ଦେଇଗଲା । ପ୍ରିୟ ବଂଧୁ କେଶବର ହସ୍ତଲିପି । ବଂଧୁମାନେ ସମ୍ବନ୍ଧ, ଜାତି ଗୋଷ୍ଠୀ ହିସାବରେ ନୁହେ— ସାଥି— ବଂଧୁ ।

 

ଲେଖିଚି, ‘ତୋର ଚିଠି ପାଇଚି । ବିଶେଷ ଭାବରେ ଲେଖିବା ପାଇଁ ମୋର ମନ ଠିକ୍ ନାହିଁ । ପାଞ୍ଚ ସାତ ଦିନ ହେଲା ଇନ୍ଦିରା ସାଂଘାତିକ ବେମାରରେ ପଡ଼ିଚି । ବାକି ଅନ୍ୟ ଚିଠିରେ ।’

 

ନମସ୍କାର

ତୋର

କେଶବ

 

ଇନ୍ଦିରା କେଶବର ଭଉଣୀ । ଗୁଣମତି, ସାବଲୀଳା, ସ୍ନେହ ସଂଳାପିଣୀ । ତା’ ସହିତ ମୋର ସ୍ନେହ ଦୀର୍ଘ ଆଠବର୍ଷ ଧରି । ୧୯୪୩ । ମୁଁ ଯେଉଁ ପ୍ରଥମ ଥର ମାନ୍ଦ୍ରାଜ ଯାଇଥିଲି ସେଇ ଦିନ ମୋର ପୂର୍ବ ସ୍ନେହ ମନ୍ମଥ ତାଙ୍କର ସ୍ନେହୀ କେଶବଙ୍କ ସହିତ ମୋର ପରିଚୟ ଘଟାଇ ଦେଇଥିଲେ, ସେଣ୍ଟ୍ରାଲ ଷ୍ଟେସନ ପ୍ଲାଟଫରମ୍ ଉପରେ । କେଶବ ମତେ ସ୍ଵାଗତ ଜଣାଇ ଆତିଥ୍ୟ ଗ୍ରହଣ କରିବା ପାଇଁ ଅନୁରୋଧ କଲେ । ମୁଁ ସଂକୋଚ ଅନୁଭବ କଲି । ତଥାପି ସେ ମୋର ପ୍ରାର୍ଥନାକୁ ଗ୍ରହଣ କରିପାରିନଥିଲେ । ହାତଧରି ଟାଣି ନେଇଥିଲେ ତାଙ୍କ ଘରକୁ । ସକଳ ପ୍ରକାର ଅପ୍ରତ୍ୟାଶିତ ନୂତନତା ମଧ୍ୟରେ ଆତିଥ୍ୟ ଗ୍ରହଣ କରିବାକୁ ପଡ଼ିଥିଲା ।

 

ପ୍ରଥମ ପରିଚୟ ଭିତରେ ଲଜ୍ଜା, ମାନ୍ୟ, ଇତ୍ୟାଦି ପାଳନ କରିବାର ଗୋଟାଏ ତଥାଗତ ରୀତି ପଡ଼ି ରହିଚି । ମୁଁ ବା ସେଥିରୁ କିପରି ବାହର ହେବି ?

 

ଇନ୍ଦିରା ଭାତଆଣି ପରଶିଲା ତାର ମୃଦୁକଂପିତ ହାତନେଇ, ଆଠ ବର୍ଷର ପିଲା ସେ । କେଶବଙ୍କୁ ପଚାରିଲି, ‘ୟା ନା’ କଣ ?’

 

ସେ ପାଣି ଢୋକେ ପିଇ କହିଲେ, ‘ଇନ୍ଦିରା’

 

ନାଁଟି ଶୁଣି ସନ୍ତର୍ପଣ ଉପଲବ୍‌ଧ କଲି । ପଚାରିଲି, ‘ଇନ୍ଦିରା ଲାଜ କରୁଚ ?’

 

ସେ ମୋ ଆଡ଼କୁ ଚାହିଁଲା । ତହୁଁ ସସ୍ମିତ ମୁଖକୁ ସ୍କନ୍ଧର ଅନ୍ତରାଳରେ ଲୁଚାଇ କିଛି କହିପାରିଲା ନାହିଁ ।

 

ଏଇ ପ୍ରଥମ ଅନୁରାଗ ଭିତରେ ମୁଁ ତାକୁ ଭଲ ପାଇଲି । ହୃଦୟରେ ଆନନ୍ଦ ଅନୁଭବ କଲି । ବନ୍ଧୁତ୍ଵର ନିବିଡ଼ତାକୁ ବଢ଼ାଇଦେଲା ଏଇ ଶ୍ୟାମଳବର୍ଣ୍ଣ କୁମାରୀଟି । ଶେଷରେ ମୁଁ ଘରକୁ ଫେରିଲାବେଳେ ଟୋଫି ପୁଡ଼ାଟି ବଢ଼ାଇ କହିଲି, ‘ମନେ ପକାଉଥିବ ।’

 

ସେ ଉତ୍ତର ଦେଲା, ‘ଇମିତି ଦୁଇ ତିନି ମାସରେ ଥରେ ଲେଖାଏ ଆସୁଥିବତ ।’

 

କି ସ୍ନେହ ମମତା ଜଡ଼ିତ ବାଣୀ ସେ ।

 

ତାର ହୃଦୟ ଯେପରି ଡାକି କହିଥିଲା ମୁଁ ସିମିତି ଦୁଇ ତିନି ମାସରେ ଥରେ ବେତାରର ସ୍ଵାଗତ ପାଇଯାଏ । ମୋର ବେହୁଲା ସନ୍ଦର୍ଭ ତାର ଶୁଭ କାମନାରେ ସାଫଲ୍ୟ ମଣ୍ଡିତ ହେଲା । ବେତାର ଦଳଙ୍କ ସୌଜନ୍ୟରୁ ମୁଁ ଘନ ଘନ ଆହ୍ଵାନ ପାଇଲି । ଗଲି— ଫେରିଲି କେବଳ ତାଙ୍କର ଅତିଥି ହିସାବରେ ନୁହେ—ଭାଇ ଭାଇ ହିସାବରେ । ଦୁନିଆତ କାହାକୁ ଅପେକ୍ଷା କରେନି । ସେ କ୍ଷିପ୍ର ଚରଣ ପାତରେ ଚାଲିବ ଆଗୁଆନ୍ ହୋଇ ।

 

ଇନ୍ଦିରା ମତେ ଲୁଚିଲା । ଭାତ ବାଢ଼ିଲା ପରେ କବାଟ କୋଣରେ ଛିଡ଼ା ହୋଇ ରହେ । ମୁଁ ଖାଏ । ସେ ମୋର ଖାଦ୍ୟ ପ୍ରତି ଦୃଷ୍ଟି ଦେଇ ସାମ୍ବାର୍, ଚାରୁ, ମାଂସ ଶେଷ ହୋଇଗଲେ ଢାଳି ଦିଏ । ମୁଁ ହାତ ଠାରି ମନାକରେ, ‘ନା, ନା, ଇରା, ଲୋଡ଼ାନି ।’

 

ସେ କିଛି ନକହି ସେମିତି ଅଜାଡ଼ି ଦିଏ । ମୁଁ ବିରକ୍ତ ହୋଇ ତା ଆଡ଼େ ଚାହେଁ । ସେ ଟିକିଏ ହସିଦେଇ ଆଢ଼ୁଆଳରେ ଲୁଚିଯାଏ । କହେ, ‘ଲାଜ କରୁଚ ।

 

ଭୋଜନ ସରେ । ଅଇଁଠା ଖଲିକୁ ମୁଁ ଧରୁ ଧରୁ ସେ ମୋହାତରୁ ଛଡ଼ାଇ ନେଇ କହେ, ‘ଦିଅ, ମୁଁ ନେବି ।’

 

ମୁଁ କିଛି କହିପାରେ ନାହିଁ । ଆମ ଦୁହିଁଙ୍କ ମଧ୍ୟରେ ଅଳ୍ପ ଝଗଡ଼ା ଚଳେ । ଅନିଚ୍ଛାସତ୍ତ୍ୱେ ତା’ ହାତକୁ ବଢ଼ାଇ ଦେବାକୁ ପଡ଼େ ।

 

ଆମ ଦୁହିଁଙ୍କ ଭିତରେ ପ୍ରଥମରୁ ଆଜି ଯାଏଁ ଏ ସ୍ନେହ-ମମତା ଗୋଟାଏ ସ୍ଵର୍ଣ୍ଣସୂତ୍ର ଧରି ଆସିଚି ।

 

ସେଦିନ ସଂଧ୍ୟା ସାଢ଼େ ପାଞ୍ଚ । ସୁପ୍ରଶସ୍ତ ମାନ୍ଦ୍ରାଜ ନଗର ଉପରେ ଶେଷ ମିହିର ଜ୍ୟୋତି ମିହିର ଜ୍ୟୋତି ପ୍ରସାରି ଦେଇଥାଏ ମନୋମୁଗ୍‌ଧକର ଭାସ୍ଵରତା ।

 

ବଜାରୁ ବାହୁଡ଼ି ଦେଖିଲି ଇନ୍ଦିରା ମୋର ପେଢ଼ିରୁ ମୁଦ୍ରିକାଟି ବାହାର କରି ଆଙ୍ଗୁଠିରେ ଲଗାଉଚି । ହଠାତ୍ ମୋର ନିଃଶବ୍ଦ ଆଗମନରେ ସେ ଚମକି ପଡ଼ି ଅପରାଧିନୀ ପରି ଲଜ୍ଜାରେ ମୁଣ୍ଡ ପୋତିଦେଲା ।

 

କହିଲି, ‘ଇରା, ଭୟ କଲୁ ?’

 

ସେ ଆଙ୍ଗୁଠିରୁ ମୁଦିଟି ବାହାର କରି ମୋ ହାତକୁ ବଢ଼ାଇ କହିଲା, ‘ନିଅ ।’

 

ଟିକିଏ ହସି କହିଲି, ‘ଏ ମୁଦିଟି ଉପରେ ତୋର ସଉକି ନା ?’

 

‘ନିଅ ।’ ମୁଣ୍ଡପୋତି ସେ କହିଲା ।

 

ହାତରୁ ମୁଦିଟାକୁ ଆଣି ତାର ଆଙ୍ଗୁଠିରେ ଲଗାଇ ଦେଇ କହିଲି, ‘ଏଇଟା ମୋର ପୁରସ୍କାର ।’

 

ସେ ଫେର୍ ବାହାର କରି ମୋ ଆଡ଼େ ବଢ଼ାଇ ଅନୁରକ୍ତ କଣ୍ଠରେ କହିଲା, ‘ନା, ନିଅ–ସନ୍ଦେହ କଲକି ?’

 

‘ନା ଇରା, ସେମିତି କିଛି ନୁହେଁ ! ଗରୀବ ବଡ଼ଭାଇର ଏଇଟି ଉପହାର । ତୁ ଗ୍ରହଣ କରିବାକୁ ହେବ ।’

 

ସେ କିଛି କହିପାରିଲା ନାହିଁ । କହିବା ପାଇଁ ତାର ଅନ୍ତର ଅନୁମତି ଦେଲା ନାହିଁ ।

 

କେତେଦିନ ଅତିବାହିତ ହୋଇଗଲା । ଇନ୍ଦିରାର ଅନ୍ନ, ରୁଣାନୁବନ୍ଧନ ବାପ ଘରେ ଶେଷ ହୋଇଆସିଲା । ପତି କକ୍ଷରୁ ଶୋଭନ କରିବା ପାଇଁ ଡାକ ଆସିଲା । ଗଲାବେଳେ ମୋର ଗୋଡ଼ ତଳେ ପ୍ରଣାମ ଜଣାଇ ଥରେ ଚାହିଁଥିଲା । କରୁଣ ସେ ଚାହାଣୀ । ଆଜି ଭାବିଲେ ମୋର ହୃଦୟ ବେଦନା-ପାଷାଣରେ ଭାରାକ୍ରାନ୍ତ ହୋଇ ଆସୁଚି । କିଛି କହିପାରି ନଥିଲି । କେବଳ ତାର ହାତରେ ଦୁଇଟି ସୁନାର କଙ୍କଣ ପିନ୍ଧାଇ କହିଥିଲି, ‘ସୁଖର ଘର ସଂସାର କରି ରହ ଇରା !’

 

ଇରା ଚାଲିଗଲା, ପତିର ସଙ୍ଗୀତ ସହିତ ଛନ୍ଦ ରଖି ଜୀବନ ସ୍ରୋତରେ ଉଡ଼ୁପ ଭସାଇବା ପାଇଁ ।

 

ହଠାତ୍ ପିଅନ୍ ତାର ଦେଇ ଚାଲିଗଲା ।

 

ଖୋଲିଲି— ‘Era expired’— ଇରା ଚାଲିଗଲା । ଚଉକି ଉପରେ ବସି ପଡ଼ିଲି । ଦୁଇ ଟୋପା ଲୁହ ଝରି ପଡ଼ିଲା ବକ୍ଷ ଉପରେ । ଅଜସ୍ର ଲୋତକରେ ବିଦାୟ ଆତ୍ମାକୁ ତର୍ପଣ କରିବା ପାଇଁ ମୋ ଆଖିର ରଙ୍ଗାଜଳକୁ କବିତା ନେଇ ଯାଇଥିଲା । ସେ ମୋର ସ୍ତ୍ରୀ ।

 

ଏଇ ଦୁଃଖମୟ ସଂସାର ଭିତରେ ମାନବ ସହିତ ସଂପର୍କ ରଖିବା ପାଇଁ ମନରେ କ୍ଷୋଭ ଜାତ ହେଲା । ବିଶ୍ଵଜୀବନଙ୍କ ଗୂଢ଼ତତ୍ତ୍ଵ ବୁଝିବା ପାଇଁ ସିନା ଏ ଜୀବନର ଇଙ୍ଗିତ ? ଆତ୍ମାର ସଦ୍‌ଗତି ଚିନ୍ତା କରିବା ପାଇଁ ସିନା ଏ ପ୍ରାଣ ? ପୂର୍ବ ଜନ୍ମକୃତ ପାପରୁ ଯେଉଁ ପିଣ୍ଡ ଆଜି ଧରଣୀରେ ତାଡ଼ନ ସହି ଆସୁଚି ସେଥିର ମୁକ୍ତି ପାଇଁ ସିନା ଏ ହାତ, ଗୋଡ଼, ମୁଣ୍ଡ ?

 

ମୁଁ ଆଉ ଏ ଉତ୍ସବରେ ଯୋଗ ଦେଇ ପାରିଲି ନାହିଁ । ଲୋକେ କ’ଣ ଭାବିବେ ? ଭାବନ୍ତୁ । ସେଥିରେ ମୋର କିଛି ହାନି ବା ଗ୍ଳାନି ନାହିଁ ।

 

ସଭାମଣ୍ଡପ ବିରାଜିତ ମନ୍ତ୍ରୀ ମହୋଦୟଙ୍କ ବେକରେ ଗୋଲାପମାଳ ବିଲମ୍ବିତ ହେଲାବେଳକୁ ଏକ ସୁଦୂର ଦର୍ଶକର ଅନ୍ତର ପ୍ରଦେଶରୁ, ଧ୍ୱନିତ ହୋଇ ଆସିଲା ଦୁଇଟି ଭଗ୍ନ କଙ୍କଣ ।

 

୧୦-୨-୫୧

ତତ୍‌ସତ୍‌

Image